ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରହିଛି ସହସ୍ର ଶୈବପୀଠ। ଏକାମ୍ର କ୍ଷେତ୍ରର ଅଧୀଶ୍ବର ପ୍ରଭୁ ଶ୍ରୀଲିଙ୍ଗରାଜ । ତାଙ୍କର ଅନ୍ୟ ଏକ ନାମ ‘ତ୍ରିଭୁବନେଶ୍ବର’ ଅର୍ଥାତ ତିନି ଭୁବନର ସେ ଈଶ୍ବର। ମହାଦେବଙ୍କ ଏହି ନାମ ଅନୁସାରେ ଏହି ସହରର ନାମ ପଡ଼ିଥିଲା ‘ଭୁବନେଶ୍ବର’। ସେଇ ନାମ ଅନୁସାରେ ଭିଏସ୍‌ଏସ୍‌ନଗର ଡିଏଲ୍‌କଲୋନିରେ ବିରାଜିଛନ୍ତି ମା’ ଭୁବନେଶ୍ବରୀ। ‌ତେବେ ଚାଲନ୍ତୁ ଜାଣିବା ଭିଏସ୍‌ଏସ୍‌ନଗରର ଏହି ‘ଭୁବନେଶ୍ବରୀ ମନ୍ଦିର’ ପ୍ରତିଷ୍ଠାର କାହାଣୀ।

Advertisment

ଏନେଇ ଭିଏସ୍ଏସ୍‌ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦିଲୀପ ଦାଶଶର୍ମା କହିଛନ୍ତି, ୧୯୭୫ ମସିହାରେ ବାଣୀବିହାର ଜମି ମଞ୍ଜୁର କରାଯିବା ପରେ ବାଣୀବିହାର ଓ ସୈନିକ ସ୍କୁଲ ପଛ ପାଖ ଅଞ୍ଚଳକୁ ୧୯୭୬ ମସିହାରେ ସାଧାରଣ ପ୍ରଶାସନ ବିଭାଗରୁ ଅନୁମତି ପାଇ ହାଉସିଂବୋର୍ଡ ପକ୍ଷରୁ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। ୧୯୭୮ ମସିହାରେ ଲୋକମାନଙ୍କୁ ଘର ହସ୍ତାନ୍ତର ଆରମ୍ଭ ହୋଇଥିଲା। ପ୍ରଥମେ ସେଠାରେ ୧୦୫୦ଟି ଘର ନିର୍ମାଣ କରି ଲୋକମାନଙ୍କୁ ପ୍ରଦାନ କରାଯାଇଥିଲା। ଏହା ଏକ ବଡ଼ ଆବାସିକ କଲୋନି ‘ଭିଏସ୍‌ଏସ୍‌ନଗର’ ଭାବେ ମୁଣ୍ଡ ଟେକିଥିଲା। 

ପରେ ପରେ ଏହି ନଗର ଭିତରେ ବହୁ ଛୋଟବଡ଼ କଲୋନି ପ୍ରତିଷ୍ଠା ହୋଇଥିଲା। ଏହି କ୍ରମରେ ନିର୍ମାଣ ହୋଇଥିଲା ‘ଡିଏଲ୍‌କଲୋନି’। ଏଠାରେ ସେତେବେଳେ କୌଣସି ମନ୍ଦିର ନଥିଲା। ପୂଜାପର୍ବ, ଯାନିଯାତ୍ରା ବା ବାହାପୁଆଣି ପାଇଁ ଏଠାର ବାସିନ୍ଦା  ସୈନିକ ସ୍କୁଲ ନିକଟସ୍ଥ ଦାସରଜା ମନ୍ଦିରକୁ ଯାଉଥିଲେ। ତେବେ ଏହା ଦୂର ହେଉଥିବାରୁ ବୟସ୍କମାନେ ଯିବା ସମ୍ଭବ ହେଉ ନଥିଲା। ଏପରିକି ସ୍ଥାନୀୟ ଲୋକେ ସଂଧ୍ୟାରେ ହେଲେ ବି ମନ୍ଦିର ଯାଇ ପାରୁନଥିଲେ। ଫଳରେ କଲୋନି ବାସିନ୍ଦାମାନେ ମିଶି ଏଠା୮ରେ ଏକ ମନ୍ଦିର ନିର୍ମାଣର ନିଷ୍ପତ୍ତି ନେଇଥିଲେ। 

ମନ୍ଦିର ପରିଚାଳନା ସମିତିର ସଭାପତି ପ୍ରଫେସର ଜୟନ୍ତ କୁମାର ପରିଡ଼ା ଓ ସାଧାରଣ ସମ୍ପାଦକ ପ୍ରତାପ କୁମାର ନନ୍ଦ କହିଛନ୍ତି, ସେତେବେଳେ ଭିଏସ୍‌ଏସ୍‌ନଗର ଡିଏଲ୍‌କଲୋନିର ପ୍ରବେଶପଥରେ କିଛି ଖାଲି ସ୍ଥାନ ଥିଲା। ସେଠାକୁ ଲୋକ ଯା’ଆସ କରିବାର ବି ସୁବିଧା ଥିଲା। ଏଣୁ ଏହି ସ୍ଥାନରେ ହିଁ ମନ୍ଦିର ପ୍ରତିଷ୍ଠା ପାଇଁ କଲୋନିବାସୀ ନିଷ୍ପତ୍ତି ନେଇଥିଲେ। ଫଳରେ ୧୯୯୨ ମସିହା ଅକ୍ଷୟ ତୃତୀୟା ଅବସରରେ ମନ୍ଦିରର ଶୁଭ ପଡ଼ିଥିଲା। ୧୯୯୩ ମସିହା ସରସ୍ବତୀ ପୂଜା ଦିନ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ସ୍ଥାନୀୟ କାରିଗରଙ୍କୁ ନେଇ ଏହି ମନ୍ଦିର ନିର୍ମାଣ ହୋଇଥିଲା। ପ୍ରଥମେ କଲୋନିର ବାସିନ୍ଦାମାନେ ମନ୍ଦିର ନିର୍ମାଣ ପାଇଁ ନିଜ ନିଜ ଭିତରେ ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ସଂଗ୍ରହ କରିଥିଲେ। ପ୍ରଥମେ ଏଠାରେ ମା’ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା। କଲୋନିର ବାସିନ୍ଦା ସୁରେନ୍ଦ୍ର ନାଥ ଦାସ, ସ୍ବର୍ଗତ ପ୍ରେମାନନ୍ଦ ମହାନ୍ତି, ରବି ନାରାୟଣ ରାୟ, ପ୍ରତାପ କୁମାର ନନ୍ଦ, ଶୋଭାକର ଦାସ ଫତେସିଂ, ପ୍ରଭାକର ନାୟକ, ସ୍ବର୍ଗତ ଅଭିମନ୍ୟୁ ପଲାଇ, ସ୍ବର୍ଗତ ଜୟରାମ ସାହୁ, ରାଖାଲଚନ୍ଦ୍ର ମହାନ୍ତି, ରାଜେନ୍ଦ୍ର କୁମାର ପାଢ଼ୀ, ସ୍ବର୍ଗତ ଚୈତନ୍ୟଚରଣ ମଣ୍ଡଳ, ସ୍ବର୍ଗତ ଦାସରଥୀ ବସନ୍ତିଆ, ପ୍ରକାଶ କୁମାର ଦାଶ ଓ ସ୍ବର୍ଗତ ସୁରେନ୍ଦ୍ର ନାଥ ପୃଷ୍ଟି ପ୍ରମୁଖଙ୍କ ଉଦ୍ୟମରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। 

ମନ୍ଦିର ପ୍ରତିଷ୍ଠା ପାଇଁ ଖୋର୍ଦ୍ଧା ଜିଲ୍ଲା ନାଚୁଣୀରୁ ଆସିଥିବା ପୂଜକ ବୃନ୍ଦାବନ ଦାଶ ଭୁବନେଶ୍ବରର ଠାକୁରାଣୀ ଭାବେ ମା’ଙ୍କ ନାଁ ଭୁବନେଶ୍ବରୀ ରଖିଥିଲେ ଓ ମନ୍ଦିରର ନାମ ‘ଭୁବନେଶ୍ବରୀ ମନ୍ଦିର’ ରହିଥିଲା। ପରେ ପରେ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମନ୍ଦିର ସମେତ ରାମେଶ୍ବର ମହାଦେବ, ହନୁମାନ ଓ ଗଣେଶଙ୍କୁ ସ୍ଥାପିତ କରାଯାଇଥିଲା। ମନ୍ଦିର ଏବେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ମନ୍ଦିରର ରଥଯାତ୍ରା ସବୁଠାରୁ ବଡ଼ ପର୍ବ ହୋଇଥିବା ବେଳେ ୧୯ ବର୍ଷ ପୂର୍ବରୁ ଏହା ଆରମ୍ଭ ହୋଇଥିଲା। ଏଥିସହ ମନ୍ଦିରରେ ବାସନ୍ତିକ ଓ ଶାରଦୀୟ ଦୁର୍ଗାପୂଜା, କାର୍ତ୍ତିକ ବ୍ରତ, ନନ୍ଦୋତ୍ସବ, ଜନ୍ମାଷ୍ଟମୀ, ଶିବରାତ୍ରି, ଦୋଳଯାତ୍ରା ଓ ଶିବବିବାହ ଆଦି ଜାକଜମକରେ ପାଳିତ ହୋଇଥାଏ। ଏଥିସହ ମନ୍ଦିରର ବାର୍ଷିକୋତ୍ସବରେ ଅଷ୍ଟପ୍ରହରୀ, ନାମଯଜ୍ଞ ଓ ସାମୂହିକ ପ୍ରସାଦସେବନ ମଧ୍ୟ ହୋଇଥାଏ।