ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାରର ଲୋକ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ରାକୃତିକ ବିପତ୍ତିଠାରୁ ରକ୍ଷା କରନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ। ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି। ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍, ମଲ୍ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛନ୍ତି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା
ପ୍ରିୟଙ୍କା ରାୟ
ଭୁବନେଶ୍ୱର: ଜାଗମରା ଗାଁର ଇଷ୍ଟଦେବୀ ମା’ ବୁଢ଼ୀ ମଙ୍ଗଳାଙ୍କର ମହିମା ଅନେକ। ସ୍ଥାନୀୟ ଲୋକଙ୍କର ଦୃଢ଼ ବିଶ୍ବାସ, ବିପଦରେ ଡାକିଲେ ମା’ ଓ କରନ୍ତି। ଏ ଆଧୁନିକ ବିଜ୍ଞାନର ଯୁଗରେ ବି ରୋଗ ବୈରାଗରେ ଗାଁର ଅନେକ ଲୋକ ମା’ଙ୍କ ପାଖରେ ପଣା ଯାଚନ୍ତି। ସେହିପରି ଗାଁରେ କୌଣସି ବଡ଼ ରୋଗ ବ୍ୟାପିଲେ ମା’ଙ୍କ ପଣା ପ୍ରସାଦ ଗାଁର ଚାରିମୁଣ୍ଡରେ ଢଳା ହୁଏ। ଲୋକ ବିଶ୍ବାସ ଅନୁସାରେ, ପ୍ରାୟ ୨୦୦ ବର୍ଷ ତଳେ ଏହି ଦେବୀ ଏକ ଜଙ୍ଗଲ ଭିତରେ ପୂଜା ପାଉଥିଲେ। ମା’ଙ୍କ ନିକଟରେ ଚାରିଟି ଘୋଡ଼ା ରହିଥିଲା। ଚାରିଆଡେ ଥିଲା ବର, ଚାକୁଣ୍ଡା, ଡିମିରି, ବଉଳ ଓ ଆମ୍ବ ଆଦି ଗଛ। ସେତେବେଳେ ଜଙ୍ଗଲ ଥିଲା, ବିଜୁଳି ଆଲୁଅ ନଥିଲା, ତେଣୁ ଲୋକେ ସନ୍ଧ୍ୟା ହେବା ପରେ ମନ୍ଦିରକୁ ଯାଇ ପାରୁ ନଥିଲେ। ତେବେ ଗ୍ରାମବାସୀଙ୍କ ଉଦ୍ୟମରେ ୧୦ ବର୍ଷ ତଳେ ମୁଖ୍ୟରାସ୍ତା ନିକଟରେ ମା’ଙ୍କର ମନ୍ଦିର ଗଢ଼ା ଯାଇଛି।
ପୂର୍ବରୁ ଗାଁରେ କୌଣସି ବ୍ରାହ୍ମଣ ପରିବାର ନଥିବାରୁ ପାଖ ବରମୁଣ୍ଡା, ପାତ୍ରପଡ଼ା ସମେତ ଖୋର୍ଦ୍ଧା, ନୟାଗଡ଼ ଆଦି ଅଞ୍ଚଳରୁ ବ୍ରାହ୍ମଣ ଆସି ପୂଜା କରୁଥିଲେ। ପ୍ରତିଦିନ ସକାଳ ୬ଟାରେ ମନ୍ଦିର ଖୋଲାହୁଏ। ବିଭିନ୍ନ ନୀତି, ସ୍ନାନ, ଆଳତି ପରେ ମାଆଙ୍କ ପାଖରେ ଫଳମୂଳ ସମେତ ଶୁଖିଲା ଭୋଗହୁଏ। ଏହା ସହିତ ମାନସିକ ପୂରଣ ହେଲେ ଭକ୍ତମାନେ ଖେଚୁଡ଼ି ଓ କ୍ଷୀରିଭୋଗ ଅର୍ପଣ କରନ୍ତି। ଗାଁରେ କୌଣସି ବିବାହ, ବ୍ରତ, ଘର ପ୍ରତିଷ୍ଠା ତଥା ଅନ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ ମାଆଙ୍କ ପାଖକୁ ପ୍ରଥମ ନିମନ୍ତ୍ରଣ ଯାଏ। ବାହାଘର ପୂର୍ବରୁ ଦିଅଁମଙ୍ଗୁଳା ପାଇଁ ଲୋକେ ମା’ ପାଖକୁ ଯାଆନ୍ତି। ଗାଁର କୌଣସି ପୁଅ ଅଥବା ଝିଅ ଚାକିରି କିମ୍ବା ପଢିବାକୁ ବାହାରକୁ ଗଲେ ମା‘ଙ୍କ ପାଖରେ ମୁଣ୍ଡିଆ ମାରି ବାହାରନ୍ତି। ଚୈତ୍ର ପୂର୍ଣ୍ଣିମା, ପଣା ସଂକ୍ରାନ୍ତି, ଦଶହରା ଆଦି ମାଆଙ୍କ ପ୍ରଧାନ ପର୍ବ। ବିଶେଷ କରି ଚୈତ୍ର ପୂର୍ଣ୍ଣିମା ପୂର୍ବରୁ ପ୍ରତ୍ୟେକ ମଙ୍ଗଳବାରରେ ସ୍ୱତନ୍ତ୍ର ପୂଜା ହୁଏ। ପ୍ରତ୍ୟେକ ଦିନ ଖିରି, ଖେଚୁଡ଼ି ଭୋଗ କରାଯାଏ। ସେହିପରି ଦଶହରାରେ ୪ ଦିନ ଦୁର୍ଗାଙ୍କ ଭଳି ମା’ଙ୍କର ସମସ୍ତ ରୀତିନୀତିରେ ପୂଜା କରାଯାଏ।
ଇଷ୍ଟଦେବ ସିଦ୍ଧେଶ୍ବର ମହାଦେବ
ଜାଗମରା ଗାଁର ଇଷ୍ଟଦେବ ହେଉଛନ୍ତି ପ୍ରଭୁ ସିଦ୍ଧେଶ୍ବର ମହାଦେବ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାଜା ଶାସନ ସମୟରୁ ମହାଦେବଙ୍କର ପୂଜା ଚାଲିଆସିଛି। ଏହାସହ ଖୁମେଇଶୁଣୀ, ଖଣ୍ଡୁଆଳ, ବାନ୍ଧବାୟାଣୀ ପ୍ରମୁଖ ଦେବଦେବୀ ମଧ୍ୟ ଏହି ଗାଁରେ ପୂଜା ପାଉଛନ୍ତି।