ଆସୁଛନ୍ତି ମା’: ଗୋଆ ପ୍ୟାଲେସ୍‌ରେ ଝଟକିବେ ମା’, ଭଡ଼ାକୁନାଥନ୍‌ ମନ୍ଦିରରେ ବିରାଜିବେ ମା’

ଚକେଇସିହାଣି ଦୁର୍ଗାପୂଜା ସମିତି, ପଳାସୁଣି ଦୁର୍ଗାପୂଜା ସମିତି

ଭୁବନେଶ୍ବର: ଦୁଇ ବର୍ଷର କରୋନା କଟକଣା ହଟିବା ପରେ ଚଳିତବର୍ଷ ମା’ ଦୁର୍ଗାଙ୍କ ପୂଜାକୁ ବେଶ୍ ଆଡ଼ମ୍ବର ସହକା‌ରେ ପାଳନ କରିବାକୁ ରାଜଧାନୀର ସବୁ ପୂଜା କମିଟି ସଜବାଜ ହୋଇଗଲେଣି। ଏମିତିକି ମୂର୍ତ୍ତି ତିଆରିଠାରୁ ଆରମ୍ଭ କରି ତୋରଣ ବନ୍ଧା କାମ ବି ଆରମ୍ଭ ହୋଇଗଲାଣି। ଏଣୁ ଚକେଇସିହାଣି ଦୁର୍ଗାପୂଜା ସମିତି ମଧ୍ୟ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚଳିତବର୍ଷ ଏଠାରେ ମା’ ଦୁର୍ଗା ଗୋଆ ପ୍ୟାଲେସ୍‌ରେ ଝଟକିବେ। ତେଣୁ ଦୁର୍ଗା ପୂଜା ସମିତି, ଗ୍ରାମ୍ୟ କମିଟି ଓ ଗାଁର ଅନ୍ୟାନ୍ୟ ସବୁ ସଂଗଠନ ଏକାଠି ହୋଇ ଲାଗିପଡ଼ିଛନ୍ତି। ଦୀର୍ଘ ୨୨ବର୍ଷ ହେଲା ହୋଇ ଆସୁଥିବା ଏହି ପୂଜାରେ ଏଥର ୬୦ଫୁଟ୍ ଉଚ୍ଚା ଓ ୪୫ ଫୁଟ୍ ଚଉଡ଼ାର ସୁଦୃଶ୍ୟ ଗୋଆ ପ୍ୟାଲେସ୍ ନିର୍ମାଣ କରାଯାଉଛି। ଏଥିପାଇଁ ବଙ୍ଗୀୟ କାରିଗରମାନଙ୍କୁ ନିୟୋଜିତ କରାଯାଇଛି। ୩୦ରୁ ଊର୍ଦ୍ଧ୍ବ କୁଶଳୀ କାରିଗର ଏହି ପ୍ୟାଲେସ୍‌ର ମଡେଲ ନିର୍ମାଣରେ ଲାଗିପଡ଼ିଛନ୍ତି। ସେହିପରି ଏଥର ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ମେଢ଼ ସହ ୧୦ଫୁଟ୍ ରଖାଯିବାକୁ ସ୍ଥିର କରାଯାଇଛି। ମୂର୍ତ୍ତି ତିଆରିରେ ବାରଙ୍ଗ ଅଞ୍ଚଳର ଦକ୍ଷ ଶିଳ୍ପୀମାନେ ଲାଗିଛନ୍ତି। ଏଥର ପୂଜା ବଜେଟ୍ ୧୫ଲକ୍ଷ ଟଙ୍କା ରହିଛି। ମା’ଙ୍କୁ ରୂପା ଗହଣାରେ ସୁନ୍ଦର ଭାବେ ସଜାଇ ଦିଆଯିବ। ଏହାସହ ଚକେଇସିହାଣି ରାସ୍ତାରେ ଲାଇଟ୍ ଗେଟ୍ ହେବା ସହ ସଂପୂର୍ଣ୍ଣ ରାସ୍ତାକୁ ରଙ୍ଗିନ୍‌ ଆଲୋକମାଳାରେ ସଜାଇ ଦିଆଯିବ। ସେହିଭଳି ତିନି ଦିନ ଭଜନ ସମାରୋହ, ମେଲୋଡି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ନବମୀ ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ଖେଚୁଡ଼ି ଭୋଗ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଛି।

ମଣ୍ଡପ ଜଗିବେ ୧୦୦ ସ୍ବେଚ୍ଛାସେବୀ
ଦୁଇ ବର୍ଷ ଅପେକ୍ଷା ପରେ ଶ୍ରଦ୍ଧାଳୁମାନେ ମା’ଙ୍କ ସାନ୍ନିଧ୍ୟ ଲାଭ କରିବେ। ତେଣୁ ଚଳିତବର୍ଷ ମାତ୍ରାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ୮୦ଜଣ ପୁରୁଷ ଓ ୨୦ମହିଳା ସ୍ବେଚ୍ଛାସେବୀଙ୍କୁ ସମିତି ପକ୍ଷରୁ ନିୟୋଜିତ କରାଯିବ। ସରକାରଙ୍କ ନିୟମକୁ ମଧ୍ୟ ସଠିକ ଭାବେ ପାଳନ କରାଯିବ।
-ଉଦୟନାଥ ରାଉତ, ସଭାପତି

ଶ୍ରଦ୍ଧାଳୁ ମନ ଖୁସିରେ ଫେରିବେ
ଆମ ପୂଜା ଚକେଇସିହାଣି ମୁଖ୍ୟ ବଜାର ଉପରେ ହେଉଥିବାରୁ ସବୁବେଳେ ଭକ୍ତଙ୍କ ଭିଡ଼ ହୁଏ। କିନ୍ତୁ କେବେ କୌଣସି ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ସମସ୍ୟାରେ ପଡ଼ନ୍ତି ନାହିଁ। ଏବର୍ଷ ବି ଅଧିକ ଭିଡ଼ ହେବ। କିନ୍ତୁ କୌଣସି ଶ୍ରଦ୍ଧାଳୁ ସମସ୍ୟାରେ ପଡ଼ିବେ ନାହିଁ। ଆମ ପୂଜା କେବଳ କମିଟିର ନୁହେଁ, ଏଥିରେ ଗ୍ରାମ୍ୟ କମିଟିରୁ ଆରମ୍ଭ କରି ବଜାର କମିଟି, ୟୁଥ୍ କ୍ଲବ୍ ଆଦି ଗ୍ରାମର ସମସ୍ତ ଅନୁଷ୍ଠାନ ମିଶି ରହିଛନ୍ତି। ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆମେ ପ୍ରସ୍ତୁତ ଅଛୁ।
-ମାନସ ସ୍ବାଇଁ, ସମ୍ପାଦକ

ପଳାସୁଣି ଦୁର୍ଗାପୂଜା ସମିତି: ଭଡ଼ାକୁନାଥନ୍‌ ମନ୍ଦିରରେ ବିରାଜିବେ ମା’

ଭୁବନେଶ୍ବର: ପ୍ରତିବର୍ଷ ପଳାସୁଣି ପୂଜା‌ କମିଟି ପକ୍ଷରୁ କିଛି ନା କିଛି ନୂଆ ଓ ନିଆରା ତୋରଣ କରାଯାଏ। ରାଜଧାନୀର ପ୍ରବେଶ ପଥରେ ଏହି ପୂଜାର ତୋରଣ କରାଯାଉଥିବାରୁ ସବୁବେଳେ ଆକର୍ଷଣୀୟ କରିବାକୁ ଚେଷ୍ଟା କରାଯାଏ। ୧୯୮୪ ମସିହାରୁ ଦୀର୍ଘ ୩୮ବର୍ଷ ଧରି ଏଠାରେ ଏମିତି ଢଙ୍ଗରେ ମା’ଙ୍କ ପୂଜା ହୋଇଆସୁଥିବା ବେଳେ ଏଥର ଏଠାରେ ଦେଖିବାକୁ ମିଳିବ କେରଳର ପ୍ରସିଦ୍ଧ ଭଡ଼ାକୁନାଥନ୍ ମନ୍ଦିରର ମଡେଲ। ପୂଜା ମଣ୍ଡପରେ ନିର୍ମାଣ କରାଯାଉଥିବା ଏହି ମନ୍ଦିରରେ ବିରାଜିବେ ମା’ ଦୁର୍ଗା। ଏହି ମନ୍ଦିର ମଡେଲଟି ୫୦ଫୁଟ୍ ଉଚ୍ଚତା ଓ ୫୦ଫୁଟ୍ ଓସାର ବିଶିଷ୍ଟ ହେବ। ଏଥିପାଇଁ ୩୦ରୁ ଊର୍ଦ୍ଧ୍ବ ବଙ୍ଗୀୟ କାରିଗର ଲାଗି ପଡ଼ିଛନ୍ତି। ସେହିପରି ୨୦ଫୁଟ୍ ଉଚ୍ଚତାର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଛି। ଏହି ସୁନ୍ଦର ତୋରଣ ସାଙ୍ଗକୁ ଏଥର ଝିଲ୍‌ମିଲ୍‌ ଲାଇଟ୍ ବିଶେଷ ଆକର୍ଷଣ ପାଲଟିବ। ଶ୍ରଦ୍ଧାଳୁମାନଙ୍କ ପାଇଁ ତିନି ଦିନ ବ୍ୟାପୀ ଭଜନ ସମାରୋହ ଓ ମେଲୋଡି ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ଅଷ୍ଟମୀ ଦିନ ୨ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି।

ବହୁ ଆଡ଼ମ୍ବରରେ ହେବ ଏଥର ପୂଜା
ଚଳିତବର୍ଷ ମା’ଙ୍କ କୃପାରୁ କରୋନା ଭୟ ଦୂରେଇ ଯାଇଛି ଓ କଟକଣା ହଟିଛି। ‌େତଣୁ ବେଶ୍ ଆଡ଼ମ୍ବରରେ ପୂଜା ହେବ। ୨୦ଜଣ ପୁରୁଷ ସ୍ବେଚ୍ଛାସେବୀ ଓ ୧୦ ମହିଳା ସ୍ବେଚ୍ଛାସେବୀ ମା’ଙ୍କୁ ଭଲରେ ଦର୍ଶନ କରାଇବା ପ୍ରତି ଗୁରୁତ୍ବ ଦେବେ।
-ରମେଶ ସାହୁ, ଉପ ସଭାପତି

ରାଜପଥ ଉପରେ ରହିବ ସ୍ବତନ୍ତ୍ର ନଜର
ଜାତୀୟ ରାଜପଥ କଡ଼ରେ ଆମ ପୂଜା ହେଉଥିବାରୁ ସବୁଥର ଆମକୁ ସ୍ବତନ୍ତ୍ର ଧ୍ୟାନ ରଖିବାକୁ ପଡ଼େ। ତେଣୁ ଏଥର ମଧ୍ୟ ଆମେ ଏହି ଦିଗକୁ ଗୁରୁତ୍ବ ଦେବୁ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜାକଜମକରେ ଭସାଣ ଉତ୍ସବ କରାଯିବ।
-ପ୍ରଭାତ ପରିଡ଼ା, ସଭାପତି

ସମ୍ବନ୍ଧିତ ଖବର