ବିଦାୟ ନେଲେ ମା’: ବିନା ଶୋଭାଯାତ୍ରାରେ ହେଲା ବିସର୍ଜନ

୪ ପୋଖରୀରେ ପଡ଼ିଲା ୧୩୦ ମୂର୍ତ୍ତି

ଭୁବନେଶ୍ବର: କରୋନା କଟକଣା ଯୋଗୁଁ ନିରାଡ଼ମ୍ବର ଭାବେ ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମା’ ଦୁର୍ଗା ଦୁର୍ଗତିନାଶିନୀ। ବିଭିନ୍ନ ମଣ୍ଡପରେ ପୂଜା ପାଉଥିବା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକୁ ଆଜି ବିନା ଭସାଣି ଶୋଭାଯାତ୍ରାରେ ଦୟା ଓ କୁଆଖାଇ ନଦୀରେ ବିଏମ୍‌ସି ପକ୍ଷରୁ ନିର୍ମିତ ୪ଟି ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି।

ପୂଜା‌ ହେଲା; ଭକ୍ତ ଦର୍ଶନ ପାଇନଥିଲେ। ଆଜି ବିସର୍ଜନ ହେଲା, ନା ବାଜା ବାଜିଲା ନା ବାଣ ଫୁଟିଲା। ଭସାଣି ଶୋଭାଯାତ୍ରା ଉପରେ କଟକଣା ଲାଗିଥିବାରୁ ‌କେଉଁଠି ମୂର୍ତ୍ତି ଆଗରେ ନାଚଗୀତର ଆସର ବି ଜମି ନ ଥିଲା। ଝାରପଡ଼ା, ସହିଦନଗର, ନୂଆପଲ୍ଲୀ, ପୁରୁଣା ଷ୍ଟେସନ ବଜାର, ବରମୁଣ୍ଡା, ରସୁଲଗଡ଼ ଭଳି ବଡ଼ବଡ଼ ପୂଜା କମିଟିଠୁ ନେଇ ଅନ୍ୟ ଛୋଟ ଛୋଟ କମିଟିମାନେ ବିନା ଜାକଜମକରେ ବିସର୍ଜନ କରିଥିବା ଦେଖାଯାଇଥିଲା। ବିସର୍ଜନ ସମୟ ସକାଳ ୯ଟାରୁ ରାତି ୮ଟା ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଆଜି ସକାଳେ ବର୍ଷା ହେଉଥିବାରୁ ଆୟୋଜକ ଅସୁବିଧାରେ ପଡ଼ିଥିଲେ। ପୋଖରୀ ପର୍ଯ୍ୟନ୍ତ ଅସ୍ଥାୟୀ ରାସ୍ତା ତିଆରି ହୋଇଥିଲେ ମଧ୍ୟ କେତେକ ଜାଗାରେ କାଦୁଅ ହୋଇ ଖସଡ଼ା ଥିବାରୁ ପୋଖରୀ ପର୍ଯ୍ୟନ୍ତ ଗାଡ଼ି ପହଞ୍ଚି ପାରି ନଥିଲା। ବର୍ଷାରେ ମୂର୍ତ୍ତିକୁ ଟେକିଟେକି ନେଇ ବିସର୍ଜନ କରିବାରେ ସମସ୍ୟା ହୋଇଥିଲା। ଏଣୁ ଅଧିକାଂଶ ପୂଜା କମିଟି ବିସର୍ଜନ ପାଇଁ ବର୍ଷା ଛାଡ଼ିବାକୁ ଅପେକ୍ଷା କରିଥିଲେ। ଅପରାହ୍‌ଣରୁ ବିସର୍ଜନ ପାଇଁ ଏହି ସବୁ ଅସ୍ଥାୟୀ ପୋଖରୀରେ ଭିଡ଼ ଲାଗିଥିଲା।

ଦୟାନଦୀ କୂଳରେ ନିର୍ମିତ ଅସ୍ଥାୟୀ ପୋଖରୀରେ ୩୮ଟି ମୂର୍ତ୍ତି ବିସର୍ଜନ ହୋଇଥିବା ବେଳେ ଟଙ୍କପାଣି ରୋଡ୍‌ ପୋଖରୀରେ ୧୨ଟି ମୂର୍ତ୍ତି ବିସର୍ଜିତ ହୋଇଥିଲା। ସେହିଭଳି କୁଆଖାଇ ଭୁବନେଶ୍ବର ପାର୍ଶ୍ବରେ ନିର୍ମିତ ପୋଖରୀରେ ୪୨ଟି ମୂର୍ତ୍ତି ବିସର୍ଜନ ହୋଇଥିବା ବେଳେ ହଂସପାଳ ପାର୍ଶ୍ବରେ ୩୮ଟି ମୂର୍ତ୍ତି ବିସର୍ଜିତ ହୋଇଥିଲା। ଏହିଭଳି ୪ଟି ଅସ୍ଥାୟୀ ପୋଖରୀରେ ପଡ଼ିଥିଲା ମୋଟ ୧୩୦ଟି ମୂର୍ତ୍ତି। ପୂର୍ବରୁ ବିଏମ୍‌ସି ପୋଖରୀ ଛଡ଼ା ଅନ୍ୟ ଜାଗାରେ ବିସର୍ଜନ ହେଉଥିବା ନଜିର ରହିଥିବା ବେଳେ ପ୍ରଥମଥର ପାଇଁ ସମସ୍ତ ମୂର୍ତ୍ତି ଅସ୍ଥାୟୀ ପୋଖରୀରେ ହିଁ ବିସର୍ଜନ ହେଉଥିବା ଦେଖାଯାଇଥିଲା।

ଉଲ୍ଲେଖଯୋଗ୍ୟ, ନଦୀଜଳ ପ୍ରଦୂଷଣ କମାଇବାକୁ ଭୁବନେଶ୍ୱର ମହାନଗର ନିଗମ ୪ଟି ଅସ୍ଥାୟୀ ପୋଖରୀ ତିଆରି କରିଥିଲା। ଏହି ‌ପୋଖରୀ ଛଡ଼ା ଅନ୍ୟ କେଉଁଠି ବିସର୍ଜନ କଲେ ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଘୋଷଣା କରିଥିଲା। ତେବେ ସନ୍ଧ୍ୟା ସୁଦ୍ଧା ଏଭଳି ଅଭିଯୋଗ ଆସି ନଥିବା ବିଏମ୍‌ସି କହିଛି। ବିସର୍ଜନ ସମୟରେ କୌଣସି ପ୍ରକାରର ଅଘଟଣ ଏଡ଼ାଇବାକୁ ସେଠାରେ ପୁଲିସ, ଦମକଳ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରଖାଯାଇଥିଲା। ଏହି ସବୁ ଅସ୍ଥାୟୀ ପୋଖରୀ ରାସ୍ତାକୁ ମଧ୍ୟ ଆଲୋକୀକରଣ କରାଯାଇଥିଲା। ବିଏମସି କମିସନର ସଞ୍ଜୟ ସିଂହ ନିର୍ଦ୍ଦେଶ ଆଧାରରେ ପରିମଳ କର୍ମଚାରୀମାନେ ଏହି ପୋଖରୀଗୁଡ଼ିକୁ ନିୟମିତ ସଫା ରଖୁଥିଲେ।

ସମ୍ବନ୍ଧିତ ଖବର