ଭୁବନେଶ୍ୱର : ପାର୍ବଣର ରଙ୍ଗ ଧୀରେଧୀରେ ଗାଢ଼ ହେଉଛି। ଅସହ୍ୟ ଗୁଳୁଗୁଳି ନାକେଦମ କରୁଥିଲେ ହେଁ ପୂଜା ମଣ୍ଡପର ଭିଡ଼ ଅସମ୍ଭାଳ ହୋଇଛି। ଚକ୍ଷୁଦାନ ପରେ ମଣ୍ଡପରେ ମା’ଙ୍କୁ ଦର୍ଶନ ପାଇଁ ଆଜି ସକାଳୁ ପୂଜା ମଣ୍ଡପ ସମ୍ମୁଖ ଲୋକାରଣ୍ୟ ହୋଇଯାଇଥିଲା। ମଧ୍ୟାହ୍ନରେ ବର୍ଷାର ଆଭାସ ମିଳିଥିଲେ ହେଁ ବର୍ଷି ନଥିଲା। ତେଣୁ ମଣ୍ଡପ ବୁଲା ଜମି ଯାଇଥିଲା। ବିଧି ମୁତାବକ କଳସ ଅଧିବାସ ପରେ ନବପତ୍ରିକା ପ୍ରବେଶ କରାଯାଇଥିଲା। ଚଳଲଗ୍ନ ଅନୁଯାୟୀ ମା’ଙ୍କୁ ଚକ୍ଷୁଦାନ ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପରେ ପୂଜା ମଣ୍ଡପରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଆଳତି, ପୁଷ୍ପାଞ୍ଜଳି ଏବଂ ହଜାର ଆଠ ଆହୁତି ଆଦି ରୀତିନୀତି ଅନୁଯାୟୀ କରାଯାଇଥିଲା।
ସନ୍ଧ୍ୟାରେ ଜମିଥିଲା ଅସଲ ଭିଡ଼। ଏକାବେଳେ ପ୍ରଭୁ ଦର୍ଶନ ଓ ମେଳା ବୁଲାକୁ ଉପଭୋଗ କରିବା ପାଇଁ ସପରିବାର ଭିଡ଼ ଜମେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ସହରର ରାସ୍ତାଘାଟ ଏକରକମ ଜାମ୍ ହୋଇଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଚାଖଚ ଭିଡ଼ ପରିଲକ୍ଷିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବଡ଼ବଡ଼ ପୂଜା ମଣ୍ଡପ ପଡ଼ିଆରେ ଅନୁଷ୍ଠିତ ମୀନାବଜାର ବୁଲିବାକୁ ଲୋକେ ଭିଡ଼ ଜମେଇଥିଲେ। ମୁଖ୍ୟତଃ ନୟାପଲ୍ଲୀ, ସହିଦନଗର, ବମିଖାଲ ଓ ବରମୁଣ୍ଡାର ସୁଦୃଶ୍ୟ ତୋରଣ ମନ କିଣି ନେଉଛି। ସେହିପରି ଝାରପଡ଼ାର ରେଳ ଜଙ୍କ୍ସନ୍ ଓ ରସୁଲଗଡ଼ର ପାହାଡ଼ ଥିମ୍ ବି ଲୋକଙ୍କ ମନ ମୋହିଛି। ରସୁଲଗଡ଼ ଓ ପୁରୁଣା ଷ୍ଟେସନ୍ ବଜାରର ପାହାଡ଼ ଖୋଲ ଭିତରେ ବହୁବିଧ ସୂକ୍ଷ୍ମ କାରୁକାର୍ଯ୍ୟ ଲୋକଙ୍କୁ ଢେର୍ ସମୟ ଯାଏଁ ବାନ୍ଧି ରଖୁଛି। ସହିଦନଗରରେ ଅଢ଼େଇ କୁଇଣ୍ଟାଲ୍ ଓଜନର ମେଢ଼ ଓ ୪୦କେଜି ଓଜନର ଗହଣାରେ ସଜେଇ ହୋଇଥିବା ମା’ଙ୍କୁ ମଧ୍ୟ ନଦେଖିବା ଲୋକ ଦେଖିବାକୁ ମନ ବଳଉଛନ୍ତି। ପୁରୁଣା ଷ୍ଟେସନ୍ ବଜାରରେ ୨ କୁଇଣ୍ଟାଲ୍ ୭କେଜି ଓଜନର ଚାନ୍ଦି ମେଢ଼ ସାଙ୍ଗକୁ ୧କେଜି ସୁନାରେ ସଜେଇ ହୋଇଥିବା ମା’ଙ୍କୁ ମଧ୍ୟ ପ୍ରତ୍ୟକ୍ଷ କରିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ପରିଲକ୍ଷିତ ହେଉଛି।
ଆସନ୍ତାକାଲି ଗୁରୁବାର ସକାଳ ୭ଟାରୁ ପୂଜା ପାଠ ଆରମ୍ଭ ହେବ। ଚଣ୍ଡୀପାଠ, ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ଚଣ୍ଡୀଚାମୁଣ୍ଡା ପୂଜା, ସନ୍ଧିପୂଜା, ବଳିଦାନ ଓ ପୁଷ୍ପାଞ୍ଜଳି ଆଦି ଅନୁଷ୍ଠିତ ହେବ। ଅଷ୍ଟମୀ ଭୋଗ ପ୍ରତି ଶ୍ରଦ୍ଧାଳୁମାନଙ୍କର ବିଶେଷ ଆଗ୍ରହ ରହୁଥିବାରୁ ଏଥିପାଇଁ ପୂଜା ମଣ୍ଡପରେ ଅଷ୍ଟମୀ ଭୋଗ ବିକ୍ରୟର ବ୍ୟବସ୍ଥା କରାଯିବ।
ଓଭରବ୍ରିଜ୍ରୁ ମେଳା ଦର୍ଶନ
ରସୁଲଗଡ଼ ଛକର ମୁଖ୍ୟ ରାସ୍ତାକଡ଼ରେ ଅନୁଷ୍ଠିତ ଦୁର୍ଗାପୂଜାର ଜାକଜମକ ପରିବେଶ ଓ ଭିଡ଼ ଓଭରବ୍ରିଜ୍ ଉପରୁ ରୋମାଞ୍ଚ ସୃଷ୍ଟି କରୁଛି। ସଂଜ ନଇଁଲେ ସୁଦୃଶ୍ୟ ତୋରଣ ସାଙ୍ଗକୁ ଆଲୋକମାଳା ମଧ୍ୟରେ ମୀନାବଜାରର ବିସ୍ତତ ପରିସର ବେଶ୍ ଆକର୍ଷଣ ସାଜୁଛି। ଯଦିଓ ମା’ଙ୍କୁ ଦର୍ଶନ କରିବା ସମ୍ଭବ ହେଉନି, ମାତ୍ର ଭିଡ଼ ପରିବେଶକୁ ଉପଭୋଗ କରିବା ପାଇଁ ଓଭରବ୍ରିଜ୍ ବାଟ ଦେଇ କଟକ ଅଭିମୁଖେ ଯାଉଥିବା ପ୍ରତିଟି ଗାଡ଼ି ଅଟକି ଯାଉଛି।
ମେଳା ସ୍ଥଳ ନିୟନ୍ତ୍ରିତ, ଆଉ ସବୁ ଜାମ୍
ଦୁର୍ଗାପୂଜା ସ୍ଥଳରେ ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କମିସନରେଟ୍ ପୁଲିସ୍ ପଦକ୍ଷେପ ନେଇଛି। ୩୦୦ରୁ ଊର୍ଧ୍ୱ ସ୍ୱେଚ୍ଛାସେବୀଙ୍କ ସମେତ ଟ୍ରାଫିକ୍ ପୁଲିସ୍ ଭିଡ଼ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଛନ୍ତି। ମାତ୍ର ମେଳା ସ୍ଥଳ ନିୟନ୍ତ୍ରିତ ହୋଇଥିଲେ ସୁଦ୍ଧା ସନ୍ଧ୍ୟାରେ ରସୁଲଗଡ଼ରୁ ବାଣୀବିହାର ଟ୍ରାଫିକ୍ ବ୍ୟବସ୍ଥା ଏବଂ ଏପଟେ ରସୁଲଗଡ଼ରୁ ପୁରୁଣା ଷ୍ଟେସନ୍ ବଜାର ଯାଏଁ ଟ୍ରାଫିକ୍ ବ୍ୟବସ୍ଥା ଅସମ୍ଭାଳ ହୋଇପଡ଼ୁଛି। ନୟାପଲ୍ଲୀ, ରସୁଲଗଡ଼, ସହିଦନଗର, ୟୁନିଟ୍ ୧, କଟକ ରୋଡ୍ ଓ ପୁରୁଣା ଷ୍ଟେସନ୍ ବଜାର ପୂଜା ମଣ୍ଡପ ମୁଖ୍ୟ ରାସ୍ତାକଡ଼ରେ ଥିବାରୁ ଏଠାରେ ଯାତାୟାତ ପାଇଁ ହଟହଟା ହେବାକୁ ପଡ଼ିଛି।
ଜମୁଛି ରାମଲୀଳା
ନୟାପଲ୍ଲୀ ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ରାମଲୀଳା କସ୍ତୁରବା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଆଦ୍ୟପର୍ବରେ ‘ଶ୍ରୀରାମ ବନବାସ’ ମଞ୍ଚସ୍ଥ କରାଯାଇଥିଲା। କଟକ ଜିଲ୍ଲା ମୁଣ୍ଡୁମାଣର ମା’ କନକ ଦୁର୍ଗା ଶ୍ରୀରାମ ପ୍ରଚାର ପ୍ରସାର ସମିତି ପକ୍ଷରୁ ମଞ୍ଚସ୍ଥ ରାମଲୀଳା ଦର୍ଶକଙ୍କ ମନ ଜିଣିଛି। ବ୍ରହ୍ମଚାରୀ ନରୋତ୍ତମ ଦାସ ଏହାକୁ ଉଦ୍ଘାଟନ କରିଥିବା ବେଳେ ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମିତିର ଉପଦେଷ୍ଟା ତଥା ରାମଲୀଳାର ମୁଖ୍ୟ ଆୟୋଜକ ନବକିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସଭାରେ ମନୋଜ ସାମନ୍ତରାୟ ଓ ସଚ୍ଚିଦାନନ୍ଦ ସ୍ୱାଇଁଙ୍କ ସମେତ ଅଶୋକ ଚୌଧୁରୀ ଓ ରାମଲୀଳା ନିର୍ଦେଶକ ରଂଜିତ ପ୍ରସାଦ ଜେନା ଉପସ୍ଥିତ ଥିଲେ। ପ୍ରଶାନ୍ତ ସାହୁ, ଅଜିତ ବେହେରା, କାହ୍ନ ମହାକୁଡ଼, ଚରଣ ବେହେରା, ଆନନ୍ଦ ମହାରଣା, ଗୌରା ବେହେରା, ଜଗନ୍ନାଥ ବେହେରା, ଭାଗ୍ୟଧର ବେହେରା, ସଚ୍ଚିଦାନନ୍ଦ ସ୍ୱାଇଁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।