ନଜର ଆଢ଼ୁଆଳରେ ମା’ ଗୌରୀ ମନ୍ଦିର

ଭୁବନେଶ୍ୱର: ରାଜ୍ୟ ସରକାର ଏବେ ରାଜ୍ୟର ବିଭିନ୍ନ ଶକ୍ତିପୀଠର ଉନ୍ନତି କରୁଛନ୍ତି। କିନ୍ତୁ ଏକାମ୍ର କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ଗ‌ୌରୀଙ୍କ ମନ୍ଦିର ଅବହେଳିତ ଅବସ୍ଥା‌ରେ ପଡ଼ିଛି। କିଂବଦନ୍ତିରେ ସ୍ଥାନିତ ମା’ଗୌରୀଙ୍କୁ ଏମିତି ନଜର ଆଢ଼ୁଆଳରେ ରଖିବା ପଛରେ ସରକାରଙ୍କ କି ଉଦ୍ଦେଶ୍ୟ ରହିଛି, ବୁଝାପଡ଼ୁନାହିଁ। ଏନେଇ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ସ୍ବର ଉଠିବା ଆରମ୍ଭ ହେଲାଣି।

ବିଜେପି ନେତା ଅମୀୟ ଦାଶ କହିଛନ୍ତି ଯେ ରାଜ୍ୟ ସରକାର ସମ୍ବଲପୁରର ମା’ ସମଲେଇ, ଯାଜପୁରର ମା’ ବିରଜା, ବରଗଡ଼ର ନୃସିଂହନାଥ, କଟକର ଚଣ୍ଡୀ ମନ୍ଦିର ଓ ଗଞ୍ଜାମର ତାରାତାରିଣୀ ମନ୍ଦିରର ପାରିପାର୍ଶ୍ବିକ ବିକାଶ କରାଉଛନ୍ତି। କିନ୍ତୁ ରାଜ୍ୟ ରାଜଧାନୀର ପ୍ରମୁଖ ଶକ୍ତିପୀଠ ମା’ ଗୌରୀ ମନ୍ଦିର ସେମିତି ଅବହେଳିତ ହୋଇପଡ଼ିଛି। କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡ ଦୀର୍ଘ ୮ବର୍ଷ ହେବ ଅବହେଳିତ ହୋଇ ପଡ଼ିଛି। ଏହି କୁଣ୍ଡର ପାଣିରୁ ଦୁର୍ଗନ୍ଧ ବାହାରୁଛି।

ମଝିରେ ମଝିରେ ଏହି କୁଣ୍ଡଗୁଡ଼ିକର ପୁନରୁଦ୍ଧାର କାମ ଚାଲିଥିଲେ ମଧ୍ୟ ଯଥା ପୂର୍ବଂ ତଥା ପରଂ ଅବସ୍ଥା ପରିଲକ୍ଷିତ ହେଉଛି। କେଦାରଗୌରୀ ଝରଣାର ପବିତ୍ର ଜଳରେ ଔଷଧୀୟ ଗୁଣ ଥିଲା। ଏକଦା କ୍ଷୀର କୁଣ୍ଡର ପାଣି ପିଇଲେ ବିଭିନ୍ନ ପେଟ ରୋଗ ଭଲ ହୋଇଯାଉଥିଲା। ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବି ଏହି କ୍ଷୀର କୁଣ୍ଡର ପାଣି ନେଉଥିଲେ। ସେହିଭଳି ଗୌରୀ କୁଣ୍ଡର ସୁଶୀତଳ ଜଳରେ ସ୍ନାନ କରିବା ଏକ ନିଆରା ମଜା ଦେଉଥିଲା। କିନ୍ତୁ ସେସବୁ ଏବେ ଇତିହାସ ପାଲଟିଯାଇଛି। ଡ୍ରେନ୍‌ ବ୍ୟବସ୍ଥା ଠିକ୍‌ ନଥିବାରୁ ସବୁ କୁଣ୍ଡର ଜଳରୁ ଦୁର୍ଗନ୍ଧ ବାହାରୁଛି। ସେହିଭଳି ଶୌଚାଳୟ ସୁବିଧା ନଥିବାରୁ ପର୍ଯ୍ୟଟକମାନେ ଏଠାକୁ ଆସୁନାହାନ୍ତି। ତେଣୁ ଐତିହ୍ୟସମ୍ପନ୍ନ ଏହି ମନ୍ଦିରର ହୃତଗୌରବ ଫେରାଇ ଆଣିବାକୁ ଶ୍ରୀ ଦାଶ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର