ଚନ୍ଦ୍ରଶେଖରପୁର: ରାଜଧାନୀ ଉପକଣ୍ଠ ଇନ୍‌ଫୋସିଟି ଥାନା ପାଖାପାଖି ଗ୍ରାମାଞ୍ଚଳବାସୀ ପ୍ରଥମ ଥର ପାଇଁ ଚଳିତ ବର୍ଷ ପାଖରୁ ଏକ ବିଶାଳ ଦୁର୍ଗାପୂଜା ଦେଖିବାର ସୁଯୋଗ ପାଇବେ। ଦାରୁଠେଙ୍ଗ, ପଥରଗାଡ଼ିଆ, ଚନ୍ଦକା, ଅଳଶୁଆ ଆଦି ଗ୍ରାମାଞ୍ଚଳ ସହିତ ଚନ୍ଦକା ଶିଳ୍ପାଞ୍ଚଳ, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର ଓ ନୀଳାଦ୍ରିବିହାର ଆଦି ଅଞ୍ଚଳର ସହରବାସୀ ମଧ୍ୟ ନୂଆ କରି ହେଉଥିବା ଏହି ଦୁର୍ଗାପୂଜାର ମଜା ନେବେ। କଳିଙ୍ଗ ଦୁର୍ଗାପୂଜା କମିଟି ପକ୍ଷରୁ ନୂଆ କରି ହେଉଥିବା ଏହି ପୂଜା ପାଇଁ ୫୦ ଲକ୍ଷ ଟଙ୍କାର ବଜେଟ୍‌ କରାଯାଇଛି। ତେଣୁ ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣପୋଡ଼ି ମଧ୍ୟ ଆୟୋଜନ କରାଯାଇଛି। କିସ୍ ରୋଡ୍‌ ଜଗନ୍ନାଥ ମନ୍ଦିର ନିକଟରେ ମଣ୍ଡପ ନିର୍ମାଣ କାମ ଚାଲିଛି। ପ୍ରଥମ ଥର କରୁଥିଲେ ହେଁ କମିଟି ପକ୍ଷରୁ ମହୀଶୂର ପ୍ରାସାଦ ଢାଞ୍ଚାରେ ପୂଜା ମଣ୍ଡପ କରାଯାଉଛି। କିସ୍ ରୋଡ୍‌ର ବିଭିନ୍ନ ସ୍ଥାନରେ ଝଲମଲ ଲାଇଟ୍ ଗେଟ୍ ନିର୍ମାଣ ଚାଲିଛି। ପ୍ରଥମ ବର୍ଷ କମିଟି ପୂଜା ଆୟୋଜନ କରୁଥିଲେ ବି ରାଜଧାନୀର ଅନ୍ୟ ପୁରୁଣା ମଣ୍ଡପମାନଙ୍କଠାରୁ କୌଣସି ଗୁଣରେ ପଛେଇବାକୁ ଆୟୋଜକମାନେ ପ୍ରସ୍ତୁତ ନାହାନ୍ତି। ପୂଜା ବିଧିବିଧାନରୁ ଆରମ୍ଭ କରି ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଥିରେ ସେମାନେ ରାଜଧାନୀର ଅନ୍ୟ କମିଟିମାନଙ୍କ ସହ ପ୍ରତିଯୋଗିତାରେ ରହିବାକୁ ବେଶ୍‌ ଉତ୍ସାହର ସହ ଲାଗିପଡ଼ିଛନ୍ତି। ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ବୁଡ଼ୁ ନଈ ପଠାରେ ମାଟି ଅନୁକୂଳ ପୂଜା କରାଯାଇଛି। କର୍ତ୍ତା ଭାବେ ସନ୍ତୋଷ ହରିଚନ୍ଦନ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇଥିଲେ। ବାଜା, ବାଣ, ରୋଶଣୀ କରି କମିଟିର ସଭ୍ୟମାନେ ମାଟି ପୂଜା ସମାପନ କରିଥିଲେ।

Advertisment

୨୧ ତାରିଖରୁ ମଣ୍ଡପ ନିକଟ ରଙ୍ଗମଞ୍ଚରେ ଅନୁ‌‌ଷ୍ଠିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ଶ୍ରୀରାମ ଶରଣମ୍ ଭଜନ ସଂଧ୍ୟାରୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ। ୨୨ ତାରିଖରେ କଣ୍ଠଶିଳ୍ପୀ ଅସିମା ପଣ୍ଡାଙ୍କ ମ୍ୟୁଜିକାଲ୍‌ ନାଇଟ୍ ଅନୁଷ୍ଠିତ ହେବ। ୨୩ ତାରିଖରେ ଓଲିଉଡ୍‌ର ବହୁ ନାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ‌ଅର୍କେଷ୍ଟ୍ରା ନାଇଟ୍ ଆୟୋଜିତ ହେଉଛି।

ଜଳିବ ୭୦ ଫୁଟ୍‌ର ରାବଣ

ରାବଣପୋଡ଼ି ବେଶ୍‌ ଜାକଜମକରେ ଅନୁଷ୍ଠିତ ହେବ। ଆତସବାଜୀ କାର୍ଯ୍ୟକ୍ରମ ଆଖି ଝଲସାଇବ। ୭୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବିରାଟକାୟ ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି। ନିମନ୍ତ୍ରିତ ଅତିଥି ରାବଣରେ ଅଗ୍ନି ସଂଯୋଗ କରିବେ।

ପ୍ଲାଷ୍ଟିକ୍ ବର୍ଜନ, ସ୍ବଚ୍ଛତା ଆମର ସଙ୍କଳ୍ପ ହେବ
ପୂଜା ମଣ୍ଡପରେ ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାରକୁ ପୂରା ବାରଣ କରାଯିବ। ଏଥିପାଇଁ ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରାଯିବ। ମଣ୍ଡପ ଓ ମେଳା ପଡ଼ିଆ ସହିତ କିସ୍ ରୋଡ୍‌କୁ ସବୁଦିନ ପାଇଁ ପରିଷ୍କାର ପରିଚ୍ଛନ୍ନ ରଖାଯିବ। ଆମ କମିଟିର ସମସ୍ତ ସଭ୍ୟ ଓ ଆମ ସହିତ ସାମିଲ ହୋଇଥିବା ସ୍ବେଚ୍ଛାସେବୀମାନେ ସମଗ୍ର ଅଞ୍ଚଳକୁ ସଫାସୁତୁରା ରଖିବୁ। ଏହି ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ସଫେଇ କର୍ମଚାରୀ ବ୍ୟବସ୍ଥା ନଥିବାରୁ କମିଟି ତରଫରୁ ଆମେ ନିଜେ ସ୍ବେଚ୍ଛାକୃତ ଭାବେ ସଫେଇ କାମ ତୁଲାଇବୁ।

-ତପନକୁମାର ଚକ୍ରବର୍ତ୍ତୀ (ସଭାପତି)

ସିସିଟିଭି ବ୍ୟବସ୍ଥା ଓ ଆଇନଶୃଙ୍ଖଳା ରକ୍ଷା ଆମ ଦାୟିତ୍ବ
ଆମ ଗ୍ରାମାଞ୍ଚଳ ପକ୍ଷରୁ ଏହି ପୂଜା ପ୍ରଥମ ଥର କରି ‌ଅନୁ‌ଷ୍ଠିତ ହେଉଛି। ହେଲେ ସହର ଉପକଣ୍ଠରେ ହେଉଥିବାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆମ ମଣ୍ଡପକୁ ଆସିବେ। ବଡ଼ କଥା ହେଉଛି ଏଠାରେ ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ମା’ଙ୍କ ଦର୍ଶନ ପାଇଁ ଆସିବେ। ତେଣୁ ସେମାନଙ୍କ ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳାନ ଆମେ ବେଶି ଧ୍ୟାନ ଦେଉଛୁ। ଇନ୍‌ଫୋସିଟି ଥାନା ପକ୍ଷରୁ ଯେତିକି ସୁରକ୍ଷା ଯୋଗାଇ ଦିଆଯିବ, ତା’ଠାରୁ ଆହୁରି ଅଧିକ ଆମ ସ୍ବେଚ୍ଛାସେବୀମାନେ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ।

-ସୂର୍ଯ୍ୟକାନ୍ତ ହରିଚନ୍ଦନ (ସମ୍ପାଦକ)