ନିରାଡ଼ମ୍ବରରେ ମନ୍ଦିରରେ ପୂଜା ପାଇବେ ମା’ କାଳୀ

୫ ଦିନ ବଦଳରେ ବରମୁଣ୍ଡା କାଳୀ ମନ୍ଦିରରେ ଦିନିକିଆ ପୂଜା, ଚାହିଦାରେ ନାଲି ମନ୍ଦାର

ଭୁବନେଶ୍ବର: ଆସିଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମା’ କାଳୀଙ୍କ ପୂଜା ବି ପାଳିତ ହୋଇଥାଏ। ହିନ୍ଦୁମାନଙ୍କ ବିଶ୍ବାସ ରହିଛି, ମା’ କାଳୀଙ୍କ ପୂଜା କଲେ ନିଜ ଭିତରୁ ଓ ଚାରିପାଖରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇ ସକାରାତ୍ମକ ଶକ୍ତିରେ ମନ ଓ ପରିବେଶ ଭରିଯାଏ। କରୋନା କଟକଣା ସତ୍ତ୍ବେ ରାଜଧାନୀରେ ଏହି ପୂଜା ପାଇଁ ବିଭିନ୍ନ କାଳୀ ମନ୍ଦିର ଓ ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଚଳିତ ବର୍ଷ ଅନ୍ୟ ପୂଜା ଭଳି କାଳୀ ପୂଜା ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ନିରାଡ଼ମ୍ବରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

ଚାହିଦାରେ ନାଲି ମନ୍ଦାର
ଦୀପାବଳୀରେ ଗାଡ଼ି ପୂଜା ହେଉ କି, ମା’ କାଳୀଙ୍କ ଆରାଧନା… ନାଲି ମନ୍ଦାର ବିନା ଏହା ସମ୍ପୂର୍ଣ୍ଣ ହୁଏ ନାହିଁ। ନାଲି ମନ୍ଦାର ମା’ଙ୍କର ପ୍ରିୟ ଫୁଲ ହୋଇଥିବା ବେଳେ ଦେବୀ ଆରାଧନା ସମୟରେ ଏହା ଭକ୍ତଙ୍କ ଚାହିଦାର ସର୍ବାଗ୍ରେ ଥାଏ। ଏଣୁ ଏବେ ଫୁଲ ବେପାରୀ ନାଲି ମନ୍ଦାର ଉପରେ ବିଶେ‌ଷ ଦୃଷ୍ଟି ଦେବା ସହ ଆଗୁଆ ବରାଦ କରି ନେଇଛନ୍ତି। ଏବେ ବଜାରରେ ନାଲି ମନ୍ଦାର ଗୋଟା ୧ରୁ ୨ ଟଙ୍କ‌ା ପର୍ଯ୍ୟନ୍ତ ବିକ୍ରି ହେଉଥିବ‌ା ବେଳେ ମନ୍ଦାର ମାଳ ୧୦୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି। କୋଲକାତାରୁ ଏହି ନାଲି ମନ୍ଦାର ବହୁଳ ମାତ୍ରାରେ ଆମଦାନି ହେଉଥିବା କହିଛନ୍ତି ଫୁଲବେପାରୀ କୃଷ୍ଣ ବେହେରା।

ସତ୍ୟନଗର କାଳୀ ମନ୍ଦିରରେ ୧୦ ଦିନ ଦୀପ ଜାଳିବେ ଶ୍ରଦ୍ଧାଳୁ

ସତ୍ୟନଗର କାଳୀ ମନ୍ଦିରରେ ମଧ୍ୟ ନିରାଡ଼ମ୍ବର ଭାବେ ଆୟୋଜିତ ହେବାକୁ ଯାଉଛି କାଳୀପୂଜା। ମନ୍ଦିରର ୪ ଜଣ ପୂଜକ ଓ ଜଣେ କର୍ତ୍ତାଙ୍କୁ ନେଇ ରୀତିନୀତି ଅନୁଯାୟୀ ପୂଜା କରାଯିବ। ଅମାବାସ୍ୟା ତିଥି ପୂର୍ବରୁ ସଂଧ୍ୟା ଆଳତୀ ସରିବା ପରେ ଜଳତୋଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯଦି ସରକାର ଅନୁମତି ଦେବେ ପୂର୍ବ ପରି ବିନ୍ଦୁସାଗରରୁ ଜଳ ଆସିବ; ନଚେତ୍ କୁଆଖାଇ ନଦୀରୁ ଜଳ ଆସି ପୂଜା ହେବ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି। ସେହିପରି ୧୦ ଦିନ ଧରି ମା’ଙ୍କ ପାଖରେ ଦୀପ ଜାଳି ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବେ। ବିଧି ଅନୁଯାୟୀ ପ୍ରଥମ ଦିନ କଳସ ଅଧିବାସ ସରିବା ପରେ ମା’ଙ୍କର ଉପଚାର ପୂଜା ଓ ଚଣ୍ଡୀପାଠ ହେବ। ପରେ ପରେ ମହାକାଳୀ ବେଶ ଅନୁଷ୍ଠିତ ହୋଇ ନିଶାର୍ଦ୍ଧେ କୁସ୍ମାଣ୍ଡ ବଳିଦାନ, ଭୋଗ, ଆଳତି, ପୁଷ୍ପାଞ୍ଜଳି ଓ ଘଟ ବିସର୍ଜନ ହେବ। ଦ୍ବିତୀୟ ଦିନ ଚଣ୍ଡୀହୋମ ଓ ତାରା ବେଶରେ ମା’ ଦର୍ଶନ ଦେବେ। ଷୋଡ଼ଶୀ, ଭୁବନେଶ୍ବରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଲା ଓ ମାତଙ୍ଗୀ ବେଶରେ ୭ଦିନ ଧରି ଦର୍ଶନ ଦେବେ ମା’। ସେହିପରି ନଭେମ୍ବର ୧୩ତାରିଖ ତଥା ଶେଷ ଦିନ ମା’ କମଳା ବେଶରେ ଦର୍ଶନ ଦେବା ସହ ପୂର୍ଣ୍ଣାହୁତି ହେବ ବୋଲି ସତ୍ୟନଗର କାଳୀ ମନ୍ଦିର ମୁଖ୍ୟ ପୂଜାରୀ ପ୍ରସନ୍ନ କୁମାର ପତି କହିଛନ୍ତି। ସେହିପରି ମା’ଙ୍କର ମୁଖ୍ୟ ପ୍ରସାଦ ଭାବେ ନଡ଼ିଆ ଓ କଦଳୀ ଭୋଗ ହେବ। ଏହାସହ ପୁରୀ, ଖିରି ପରି ଅନ୍ୟ ଭୋଗ ମଧ୍ୟ ଲାଗି ହେବ ବୋଲି ସେ ସୂଚନା ଦେଇଛନ୍ତି।

୫ ଦିନ ବଦଳରେ ବରମୁଣ୍ଡା କାଳୀ ମନ୍ଦିରରେ ଦିନିକିଆ ପୂଜା
ମହାମାରୀ କରୋନା ଯୋଗୁଁ ଚଳିତ ବର୍ଷ ବରମୁଣ୍ଡା କାଳୀ ମନ୍ଦିରର କାଳୀ ପୂଜା ନିରାଡ଼ମ୍ବରରେ ହେବାକୁ ଯାଉଛି। ବିଗତ ବର୍ଷମାନଙ୍କରେ କାଳୀ ପୂଜା ୨ ଦିନ ଆଗରୁ ହୋମ ଯଜ୍ଞ ଆରମ୍ଭ ହୋଇ ଦୀର୍ଘ ୫ ଦିନ ଧରି ଚାଲୁଥିବା ବେଳେ ଚଳିତ ବର୍ଷ କେବଳ ବିଧି ରକ୍ଷା ପାଇଁ ଗୋଟିଏ ଦିନ ଯଜ୍ଞ ପାଇଁ ଅନୁମତି ମିଳିଛି। ଏଥିସହ ପ୍ରସାଦ ସେବନ ଓ ଭକ୍ତଙ୍କ ଆଗମନ ଉପରେ କଟକଣା ଲାଗିଛି। ଗୁରୁବାର ପ୍ରାତଃ ସମୟରେ ପାଣିତୋଳା ହୋଇ ପୂଜା ବିଧି ଆରମ୍ଭ ହୋଇ ଯଜ୍ଞ କୁଣ୍ଡରେ ଅଗ୍ନି ସଂଯୋଗ କରାଯିବ। ପରେ ପୁର୍ଣ୍ଣାହୁତି ହେବ। ତେବେ ରାତିସାରା ଚଣ୍ଡୀପାଠ ପରେ ଶୁକ୍ରବାର ଭୋର ୪ ଘଟିକା ସମୟରେ ବଳି ପଡ଼ିବାର ଯୋଜନା ରହିଛି ବୋଲି ପୂଜା କମିଟି ସଭାପତି ଭଜମନ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର