ଭୁବନେଶ୍ୱର: ଧରାବତରଣ କରିବେ ମହାକାଳୀ। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ସହରର ବିଭିନ୍ନ କାଳୀ ମନ୍ଦିରରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାଜଧାନୀର ପୁରୁଣା କାଳୀପୂଜା ମଧ୍ୟରୁ ସତ୍ୟନଗର ସତ୍ୟକାଳୀ ମନ୍ଦିରର ପୂଜା ବହୁ ପୁରୁଣା। ଏଠାରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଠାରେ ଆସନ୍ତା ୩୧ ତାରିଖରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ। ଦୁର୍ଲଭ ଦଶମହାବିଦ୍ୟା ବେଶରେ ଦର୍ଶନ ଦେବେ ମା’। ଏଥର ଏକ ପ୍ରାସାଦ ପ୍ରତିକୃତିର ତୋରଣ କରାଯାଉଛି। ପୂଜାବିଧି ଅନୁଯାୟୀ ପ୍ରଥମ ଦିନ ରାତିରେ କଳସ ଅଧିବାସ, ମା’ଙ୍କର ଉପଚାର ପୂଜା ଓ ଚଣ୍ଡୀପାଠ ହେବ। ଦ୍ୱିତୀୟ ଦିନ ତାରାବେଶ ପରେ ଦୁଇ ତାରିଖରୁ ୯ ତାରିଖ ମଧ୍ୟରେ ଯଥାକ୍ରମେ ଷୋଡ଼ଶୀ ବେଶ, ଭୈରବୀ ବେଶ, ଚ୍ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ବେଶ ଓ ଶେଷରେ ପୂର୍ଣ୍ଣାହୁତି ଓ କମଳା ବେଶ ଅନୁଷ୍ଠିତ ହେବ। ମା’ଙ୍କ ପ୍ରତି ବେଶରେ ବିଭିନ୍ନ ରାଶିମାନଙ୍କ ପାଇଁ ସ୍ବତନ୍ତ୍ର ଦୀପଦାନର ବ୍ୟବସ୍ଥା ରହିଛି। ସେହିପରି ଗାଡ଼ିପୂଜା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ପୂଜା ଅବସରରେ ସତ୍ୟକାଳୀ ମେଳା ଅନୁଷ୍ଠିତ ହେବ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର ଓ ଦୋଳି ଆଦି ପଡ଼ିବ। ପୂଜାର ଶେଷ ଦୁଇ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଥିରେ ଓଲିଉଡର ନାମୀଦାମୀ କଳାକାର ଆସିବାର ଯୋଜନା ହୋଇଛି। ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ଲାଗି ପୁଲିସକୁ ମନ୍ଦିରର ସ୍ୱେଚ୍ଛାସେବୀ ଓ କମିଟି ସଦସ୍ୟମାନେ ସହଯୋଗ କରିବେ ବୋଲି ପୂଜା କମିଟି କୋଷାଧ୍ୟକ୍ଷ ଶ୍ୟାମାପଦ ଚାଟାର୍ଜୀ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ୪୫ ବର୍ଷରେ ପଦାର୍ପଣ କରୁଥିବା ବରମୁଣ୍ଡା ମହାକାଳୀ ପୂଜା ଏଥର ମହାସମାରୋହରେ ଆୟୋଜିତ ହେଉଛି। ବରମୁଣ୍ଡା ଦକ୍ଷିଣକାଳୀ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଏହି ପୂଜା ଅବସରରେ ୫ଦିନ ବ୍ୟାପୀ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ବରମୁଣ୍ଡା ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ହେଉଥିବା ଏହି ପୂଜାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଆଧ୍ୟାତ୍ମିକ ଭାବ ଓ ହରିନାମ ସଂକୀର୍ତ୍ତନରେ ମନ୍ଦିର ପରିସର ଉଛୁଳି ଉଠିବ। କମିଟି ପକ୍ଷରୁ ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ପାଞ୍ଚ ଦିନ ଧରି ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ। ଆସନ୍ତାକାଲି ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରରୁ ଜଳଯାତ୍ରା କାଳୀ ମନ୍ଦିର ପର୍ଯ୍ୟନ୍ତ ଆସିବ। ଆସନ୍ତା ୩୦ ତାରିଖରେ ସୂର୍ଯ୍ୟଙ୍କୁ ପୂଜା କରି ହୋମକୁଣ୍ଡରେ ଅଗ୍ନି ସଂଯୋଗ କରାଯିବ। ୩୧ ତାରିଖରେ ସୂର୍ଯ୍ୟପୂଜା, ଗୋ ପୂଜା, ପାର୍ଶ୍ୱ ଦେବଦେବୀ ପୂଜା, ଅର୍ଦ୍ଧରାତ୍ର ଶ୍ୟମାକାଳୀ ପୂଜା ପରେ ୨ ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ପୂଜାରେ ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିବେ। ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସମ୍ପାଦକ ଧୋବେଇ ପାଟ୍ଟଶାଣୀ ସୂଚନା ଦେଇଛନ୍ତି।