ତ୍ୟାଗ, ସେବା ଓ ସଂଗ୍ରାମର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ମା’ ରମାଦେବୀ

‘ରମାଦେବୀ ଚତୁର୍ଥ ସ୍ମାରକୀ ବକ୍ତୃତାମାଳା’

ଭୁବନେଶ୍ବର: ତ୍ୟାଗ, ସେବା ଓ ସଂଗ୍ରାମର ମୂର୍ତ୍ତିମନ୍ତ ପ୍ରତୀକ ମା’ ରମାଦେବୀ ଖାଲି ଓଡ଼ିଶା ନୁହେଁ, ପୂରା ଦେଶର ଗର୍ବ ଓ ଗୌରବ। ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଯେତିକି ଗୁରୁତ୍ବପୂର୍ଣ୍ଣ ଥିଲା, ସ୍ବାଧୀନୋତ୍ତର ଭାରତରେ ସନ୍ଥ ବିନୋବା ଭାବେଙ୍କ ଭୂ-ଦାନ ଆନ୍ଦୋଳନ ଓ ଗ୍ରାମଦାନ ଆନ୍ଦୋଳନରେ ମଧ୍ୟ ତାଙ୍କ ଭୂମିକା ସେତିକି ଅବିସ୍ମରଣୀୟ। ତାଙ୍କରି ନାମରେ ନାମିତ ଏହି ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ପ୍ରତ୍ୟେକଟି ଛାତ୍ରୀ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜୀବନୀ ଓ ଅନୁବାଦ ଉତ୍କର୍ଷ କେନ୍ଦ୍ର ଓ ଆଲୁମିନି ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ରମାଦେବୀ ଚତୁର୍ଥ ସ୍ମାରକୀ ବକ୍ତୃତାମାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଜଷ୍ଟିସ୍ ଉମାଚରଣ ମିଶ୍ର ଏହା କହିଛନ୍ତି।
ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଗାନ୍ଧୀବାଦୀ ପ୍ରଦଲ୍ଲାଦ ସିଂହ କହିଲେ, ମହାତ୍ମା ଗାନ୍ଧୀଙ୍କ ସହ ରମାଦେବୀଙ୍କ ସଂପର୍କ ନିବିଡ଼ ଥିଲା।

ଗାନ୍ଧୀଜୀଙ୍କ ଓଡ଼ିଶା ପଦଯାତ୍ରାରେ ରମାଦେବୀ ସାମିଲ ହୋଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଖାଲି ସେତିକି ନୁହେଁ, ରମାଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦସ୍ୟୁମାନେ ଆତ୍ମସମର୍ପଣ କରିଥିଲେ। ସମ୍ମାନିତ ଅତିଥି ଐତିହାସିକ କୈଳାଶ ଚନ୍ଦ୍ର ଦାଶ କହିଲେ, ଜାତୀୟ ଚେତନାରେ ଉଦ୍‌ବୁଦ୍ଧ ମା’ ରମାଦେବୀ ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଆଦି ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ବହୁବାର କାରାବରଣ କରିଥିଲେ। କାର୍ଯ୍ୟକ୍ରମରେ ଜୀବନୀ ଓ ଅନୁବାଦ ଉତ୍କର୍ଷ କେନ୍ଦ୍ର ସଂଯୋଜିକା ମଧୁସ୍ମିତା ପତି ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ନେହଲତା ଦାସ ଧନ୍ୟବାଦ ଦେଇଥିଲେ। କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଗାନ୍ଧୀ ଭଜନ ଓ ରାମଧୁନ୍‌ ପରିବେଷଣ କରିଥିଲେ। ଓଡ଼ିଆ ସ୍ନାତକୋତ୍ତର ବିଭାଗ ମୁଖ୍ୟ ସଂଘମିତ୍ରା ଭଞ୍ଜ ଓ ମନୀଷା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର