ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ଗୁଆଝରରେ ମା’ ଦକ୍ଷିଣଚଣ୍ଡୀ ଅଷ୍ଟମୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହତାବ ଜୟନ୍ତୀ କମିଟିର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ୧୨୬ତମ ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବ ଜୟନ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଥିଲେ। ନଭେମ୍ବର ୨୧ତାରିଖରେ ପିଏମ୍ଜି ଛକରେ ୫୦ରୁ ଊର୍ଦ୍ଧ୍ବ ପାଇକ ଦଳ ଯୋଗଦେଇ ତାଙ୍କର ପ୍ରତିଭା ଓ ବୀରତ୍ୱ ପ୍ରଦର୍ଶନ କରିବେ। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ଉଦ୍ଘାଟକ ଭାବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଏମ୍ସି ମେୟର ଓ ପିସିସି ସଭାପତି ଯୋଗଦେଇ ସ୍ମୃତିଚାରଣ କରିବେ । ଏହି ଉପଲକ୍ଷେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ମହତାବ ସମ୍ମାନ ପ୍ରଦାନ କରାଯିବ । ସେଠାରୁ ବିଶାଳ ପାଇକ ଶୋଭାଯାତ୍ରା ଆସି ରାମେଶ୍ୱର ମନ୍ଦିର ପରିସରରେ ପହଞ୍ଚିବ। ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ପାଇକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ବଢ଼େଇବାଙ୍କ ଛକଠାରେ ମେଲୋଡି ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ।
ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ମହତାବଙ୍କ ଜଣେ ଭଲ ଶିଷ୍ୟ ହେଉଛନ୍ତି ଜୟନ୍ତୀ କମିଟିର ସମ୍ପାଦକ ସୁରେଶ କୁମାର ରାଉତରାୟ। ଗୁରୁ ଶିଷ୍ୟ ପରମ୍ପରା ତାଙ୍କଠୁ ଶିଖିବାର ଅଛି। ସୁରବାବୁ ୨୦ଜଣ ବନ୍ଧୁଙ୍କୁ ଧରି ମହତାବ ଜୟନ୍ତୀ ଆରମ୍ଭ କରିଥିଲେ। ୬୨ବର୍ଷ ହେଲା ଏହି ଜୟନ୍ତୀ ପାଳନ କରୁଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ଯେଉଁଠି ସ୍ବେଚ୍ଛାରେ ଲୋକେ ଆସି ଏକାଠି ହୁଅନ୍ତି ତାହା ଅସଲ ଗଣତାନ୍ତ୍ରିକ ସମାବେଶ। ମା' ଦକ୍ଷିଣଚଣ୍ଡୀ ଅଷ୍ଟମୀ ମହୋତ୍ସବରେ ପ୍ରତିବର୍ଷ ଲୋକେ ଏକାଠି ହୁଅନ୍ତୁ, ନିଜ କଥା ଛାଡ଼ି ଅନ୍ୟ କଥା ଟିକେ ଚିନ୍ତା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ ରାଉତ, ମନ୍ମଥ ରାଉତରାୟ, ପ୍ରଦୀପ ମହାନ୍ତି, ନାରାୟଣ ମହାପାତ୍ର, ଭାଗୀରଥି ମହାସୁଆର, ଓକିଲ ସଂଘ ସମ୍ପାଦକ ସତ୍ୟରଞ୍ଜନ ସେନାପତି, କୈଳାସ ମହାପାତ୍ର, ତ୍ରିଲୋଚନ ପ୍ରଧାନ, ସୁଧାଂଶୁ ମୋହନ ପଟ୍ଟନାୟକ, ଅଶୋକ ମଙ୍ଗରାଜ, ଜୟକୃଷ୍ଣ ମଲିଆ, ବିଷ୍ଣୁ ପ୍ରସାଦ ମୁଦୁଲି, ଯୋଗେନ୍ଦ୍ର ପ୍ରଧାନ, ବିଜୟ ଦ୍ବିବେଦୀ, ସୂର୍ଯ୍ୟକାନ୍ତ ପାତ୍ର, ନୀଳମଣି ମିଶ୍ର, ଗଦାଧର ଦାସ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/30/untitled-25-2025-09-30-07-06-37.jpg)