ଶୁଭ୍ର ପ୍ରାସାଦରେ ମନ ମୋହିବେ ମା’

ଭୌମନଗର ପୂଜା କମିଟି

ଭୁବନେଶ୍ବର: ୧୯୮୮ ମସିହାରୁ ଆରମ୍ଭ ହୋଇଥିବା ୟୁନିଟ୍‌-୪ ଭୌମନଗର ଦୁର୍ଗାପୂଜା ଚଳିତ ବର୍ଷ ୩୪ବର୍ଷରେ ପଦାର୍ପଣ କରୁଛି। ମା’ଙ୍କ ସୁନ୍ଦର ତଥା ଆକର୍ଷଣୀୟ ରୁପା ମୁକୁଟ ପାଇଁ ପ୍ରସିଦ୍ଧ ଏହି ପୂଜାରେ ଚଳିତ ବର୍ଷ ରାଜପ୍ରାସାଦ ତୋରଣ କରାଯାଉଛି। ଶୁଭ୍ର ପ୍ରାସାଦ ଭିତରେ ରୁପା ମୁକୁଟ ପିନ୍ଧି ମା’ ଦୁର୍ଗା ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ତୋରଣର ଉଚ୍ଚତା ୪୦ଫୁଟ୍‌ ଓ ଲମ୍ବ ୧୨୦ଫୁଟ୍‌ ରହିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୫ଦିନ କାଳ ମା’ଙ୍କର ପୂଜାର୍ଚ୍ଚନା କରାଯିବ। ପ୍ରସାଦ ଭୋଗ ଲାଗି ଚର୍ଚ୍ଚାରେ ରହୁଥିବା ଏହି ମଣ୍ଡପରେ ଏଥର ସପ୍ତମୀ ପୂଜାଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ଚଳିତବର୍ଷ ୨୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏଥିରେ ମଧ୍ୟାହ୍ନ ଧୂପରେ ପ୍ରସାଦ ଲାଗି ହେବାକୁ ଥିବା ବେଳେ ସଂଧ୍ୟାରେ ଖେଚୁଡ଼ି ଭୋଗ ଲାଗି କରାଯିବ। ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ହାଉସିଂବୋର୍ଡ ଟ୍ରାଫିକ୍‌ ପୋଷ୍ଟ ଆଗରେ ଏହି ମଣ୍ଡପ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରସାଦ ସେବନକୁ ବ୍ୟବସ୍ଥିତ କରିବାକୁ ଅଧିକ ଗୁରୁତ୍ବ ଦିଆଯାଇଛି ବୋଲି କର୍ତ୍ତା ଦେବାଶିଷ ମହାନ୍ତି କହିଛନ୍ତି।

ସ୍ବତନ୍ତ୍ର ଦର୍ଶନର ବ୍ୟବସ୍ଥାକୁ ଗୁରୁତ୍ବ

ସଚିବାଳୟ ମାର୍ଗରେ ଏହି ମଣ୍ଡପ ରହିଥିବାରୁ ସବୁ ବର୍ଷ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥାଏ। ଫଳରେ ରାସ୍ତା ଜାମ୍‌ ସମସ୍ୟା ରହିଥାଏ। ତେଣୁ ଗହଳିକୁ ନିୟନ୍ତ୍ରଣ କରିବା ନେଇ କମିଟି ପକ୍ଷରୁ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।
-ପ୍ରମୋଦ କୁମାର ରାଜ, ସଭାପତି

ପ୍ରସାଦ ସେବନକୁ ଦିଆଯିବ ଗୁରୁତ୍ବ

ପ୍ରସାଦ ସେବନକୁ ଆମେ ସବୁବେଳେ ଗୁରୁତ୍ବ ଦେଇ ଆସୁଛୁ। ଏବର୍ଷ ଦୈନିକ ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ସଂଧ୍ୟାରେ ପ୍ରତିବର୍ଷ ପରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ।
-ଶିବ ସୁଆର, ସଂପାଦକ

ସମ୍ବନ୍ଧିତ ଖବର