ଭୁବନେଶ୍ବର: ସାଇବର ଠକ ମଚୁମାରୀ ଗ୍ୟାଙ୍ଗ୍ ବିରୋଧରେ ମାମଲା ସଂଖ୍ୟା ବଢ଼ିବଢ଼ି ୧୭୮ରେ ପହଞ୍ଚିଲାଣି। ଦେଶର ୨୫ ରାଜ୍ୟରେ ଏହି ଗ୍ୟାଙ୍ଗ୍ ବିରୋଧରେ ୪୬୦୦ ଅଭିଯୋଗ ହୋଇଛି ଏବଂ ୧୭୮ ମାମଲା ରୁଜୁ ହୋଇଛି। ସେହିଭଳି ଏହି ଗ୍ୟାଙ୍ଗ୍ ୨୫ ରାଜ୍ୟରୁ ମୋଟ୍ ୩୬ କୋଟି ଟଙ୍କା ଲୁଟିଥିବା ଜଣାପଡ଼ିଛି। ବଡ଼ କଥା ହେଉଛି, ଏହି ଗ୍ୟାଙ୍ଗ୍ ସଂଗଠିତ ଉପାୟରେ ଠକାମି କରିଥିଲେ ହେଁ ଏମାନଙ୍କ ବିରୋଧରେ ପୁରୁଣା ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି। ନୂଆ ଭାରତୀୟ ନ୍ୟାୟ ସଂହିତା(ବିଏନ୍ଏସ୍) ଦଫା ୧୧୧ରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରୁନାହିଁ।
ଭାରତରେ ସାଇବର ଠକେଇ ବଢ଼ିଚାଲିଛି। ୬ ମାସ ଭିତରେ ସାଇବର ଠକମାନେ କେବଳ ଓଡ଼ିଶାରୁ ୧୦୦ କୋଟିରୁ ଅଧିକ ଟଙ୍କା ଠକି ନେଲେଣି। ପୁଲିସ ସୂଚନାନୁସାରେ ଅର୍ଗାନାଇଜଡ୍ ବା ସଂଗଠିତ ସାଇବର ଠକେଇରେ ବଡ଼ଧରଣର ଲୁଟ୍ ହେଉଛି। ଏଭଳି ଠକେଇରେ ଏକ ରୢାକେଟ୍ କାମ କରୁଥାଏ। ଠକମାନେ ଇଡି, ସିବିଆଇ ଓ ନାର୍କୋଟିକ୍ ଅଧିକାରୀ ପରିଚୟରେ ଲୋକଙ୍କୁ ଭୟଭୀତ କରାଇବା ସହ ଡିଜିଟାଲ୍ ଆରେଷ୍ଟ କରାଇ ଲକ୍ଷାଧିକ ଟଙ୍କା ଲୁଟି ନିଅନ୍ତି। ଲୁଟ୍ ଟଙ୍କାକୁ ମ୍ୟୁଲ୍ ଆକାଉଣ୍ଟ ଜରିଆରେ ଟ୍ରାଞ୍ଜାକ୍ସନ୍ କରି ଫ୍ରିଜ୍ ହେବା ପୂର୍ବରୁ ହଡ଼ପ କରିନିଅନ୍ତି। ସାଇବର ଠକ ଗିରଫ ହେଲେ ବି ଠକେଇ ଟଙ୍କା ମିଳିବା ଏକପ୍ରକାର ଅସମ୍ଭବ ହୋଇପଡ଼େ।
ସିପି ସଞ୍ଜୀବ ପଣ୍ଡାଙ୍କ କହିବା କଥା ଏଭଳି ଠକେଇକୁ ଅର୍ଗାନାଇଜଡ୍ କ୍ରାଇମ୍ ବା ସଂଗଠିତ ଅପରାଧ ଶ୍ରେଣୀଭୁକ୍ତ କରାଯାଉଛି। ଏଣିକି ବିଏନ୍ଏସ୍ ଅନୁସାରେ ଏଥିପାଇଁ ଦଫା ୧୧୧ରେ ମାମଲା ରୁଜୁ ହେବ। ଫଳରେ ଅପରାଧୀଙ୍କୁ ୫ବର୍ଷରୁ ଆଜୀବନ କାରାବାସ ପର୍ଯ୍ୟନ୍ତ ଦଣ୍ଡାଦେଶ ହୋଇପାରେ। ପୁଣି ଏହି ଧାରା ଅନୁସାରେ ପୁଲିସ ଅଭିଯୁକ୍ତର ଅର୍ଥନୈତିକ ଦିଗ ବା ସମ୍ପତ୍ତି ଉପରେ ତଦନ୍ତ କରିପାରିବ। ତଦନ୍ତରୁ ଅନୈତିକ ଉପାୟରେ ଅର୍ଥ ଜମା ବାବଦରେ ସୂଚନା ମିଳିଲେ, ଦଫା ୧୧୧/୭ରେ ମାମଲା ରୁଜୁ ହେବ ଏବଂ ଏଥିରେ ଅପରାଧୀକୁ ଅଧିକ ୧୦ ବର୍ଷ ସଜା ହେବାର ବିଧି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/cyber-fraud.jpg)