ପଟିଆରେ ମାତିଛି ପାଗଳ ଷଣ୍ଢ, ବୃଦ୍ଧଙ୍କୁ କଚାଡ଼ି ମାରିଦେଲା

ଭୁବନେଶ୍ବର : ଦୁଇ ଦିନ ହେଲା ପଟିଆ ପଦ୍ମକେଶରପୁରରେ ମାତିଥିବା ଏକ ପାଗଳ ନାଲି ଷଣ୍ଢର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପଦ୍ମକେଶରପୁରର ସଦାଶିବ ଶବର। ଷଣ୍ଢଟି ସଦାଶିବଙ୍କୁ ପ୍ରଥମେ ଉପରକୁ ଟେକି ଫୋପାଡ଼ି ଦେଇଥିଲା। ସଦାଶିବ ଉପରେ କେଇ ଘେରା ବୁଲି ତଳେ କଚାଡ଼ି ହୋଇ ପଡ଼ିଥିଲେ। ଆଉ ଉଠି ପାରିନଥିଲେ। ତଥାପି ପାଗଳ ଷଣ୍ଢ ତାଙ୍କୁ ଛାଡ଼ି ନଥିଲା, ତାଙ୍କୁ ଗୋଡ଼ରେ କୁଦି ପକାଇଥିଲା। ଉପସ୍ଥିତ ଲୋକେ ପାଟି କରି ଷଣ୍ଢକୁ ଘଉଡ଼ାଇବା ବେଳକୁ ସଦାଶିବ ସଂଜ୍ଞାହୀନ ହୋଇସାରିଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ହେଁ ବାଟରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଆହତ ମହିଳା

ସେହିଭଳି ଶନିବାର ବି ସେହି ନାଲି ଷଣ୍ଢଟି ପଟିଆ ରେଳ ଷ୍ଟେସନ ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଛି। ଜଣେ ମହିଳାଙ୍କ ପେଟକୁ ଶିଙ୍ଗରେ ଭୁସି ଦେବାରୁ ସେ ଗୁରୁତର ହୋଇଛନ୍ତି। ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସେ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରୁଥିବା କୁହାଯାଉଛି। ସେହିଭଳି ଜଣେ ଯୁବତୀ ମଧ୍ୟ ଷଣ୍ଢ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଷଣ୍ଢଟି ତାଙ୍କୁ କଚାଡ଼ି ଦେବାରୁ ତାଙ୍କର ଗୋଟିଏ କାନ ଛିଡ଼ି ଯାଇଛି। ପ୍ରାୟ ୭ ଜଣ ଆଜି ଷଣ୍ଢ ଆକ୍ରମଣରେ ଆହତ ହୋଇଥିବା ବେଳେ ଆହୁରି କିଛି ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଶୁକ୍ରବାର ସକାଳେ ଏହି ନାଲି ଷଣ୍ଢ ସହ ଅନ୍ୟ ଏକ କଳା ଷଣ୍ଢର ଲଢ଼େଇ ହୋଇଥିଲା। ପ୍ରାୟ ଘଣ୍ଟାଏ କାଳ ଲଢ଼ିବା ପରେ କଳା ଷଣ୍ଢଟି ହାରି ପଳାଇଥିଲା। କିନ୍ତୁ ଏହା ପରଠୁ ନାଲି ଷଣ୍ଢଟି ପାଗଳପ୍ରାୟ ହୋଇପଡ଼ିଛି। ଯାହାକୁ ଦେଖୁଛି, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି। ଜଣେ ପ୍ରତ୍ୟକ୍ଷଦର୍ଶୀ ମଧୁ ଷେଣ୍ଢଙ୍କ କହିବା କଥା ପାଗଳ ଷଣ୍ଢଟି ଜଣଙ୍କୁ ମାରିବା ପର୍ଯ୍ୟନ୍ତ ଶିଙ୍ଗରେ ଭୁସି ଚାଲୁଛି କିମ୍ବା କୁଦି ପକାଉଛି। ତୁରନ୍ତ ତାକୁ କାବୁ କରି ଜନବସତିଠାରୁ ଦୂରରେ କିମ୍ବା କାଞ୍ଜିଆହୁଦାରେ ଛାଡ଼ିବା ଜରୁରି।

ସମ୍ବନ୍ଧିତ ଖବର