‘ମନନ’ର ୪୧ତମ ପ୍ରତିଷ୍ଠା ଉତ୍ସବ: ଗାନ୍ଧୀବାଦ, ସତ୍ୟ ଓ ଅହିଂସା କେଉଁଠି?

ଭୁବନେଶ୍ୱର: ସାରା ଦେଶ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ କରୁଛି। ହେଲେ ଆଜି ଗାନ୍ଧୀଜୀ, ତାଙ୍କ ଆଦର୍ଶ ଓ ଗାନ୍ଧୀବାଦର ସ୍ଥାନ କେଉଁଠି? ଅହିଂସା, ସତ୍ୟ ଓ ଧର୍ମକୁ ନେଇ ବଞ୍ଚିବା କ’ଣ ସତରେ ଏତେ ସହଜ? ବଳଭଦ୍ରଙ୍କ ଜୀବନରେ ଏମିତି ଅନେକ ଘଟଣା ଘଟୁଥାଏ, ଅନ୍ୟାୟ ସହିତ ସାଲିସ ନ କରିବା ଯୋଗୁଁ, ସେ ହାରୁଥାନ୍ତି ଓ ଜିତିବାର ଅଭିନୟ କରୁଥାନ୍ତି। ବର୍ତ୍ତମାନ ସମୟର ଲୋକମାନଙ୍କ ମାନସିକତା ସହ ପାଦ ମିଳାଇ ଚାଲିବା କଷ୍ଟକର ହେଲେ ବି ସେ ନିଜର ନୈତିକତା ଛାଡ଼ିପାରୁନଥାନ୍ତି। ଏଭଳି ଏକ ସମୟ ଆସେ, ଯେଉଁଠି ଜଣାପଡ଼େ ସତରେ ସେ ହାରିଯିବେ, ତା’ହେଲେ ସତରେ କ’ଣ ଗାନ୍ଧୀବାଦ, ସତ୍ୟ ଓ ଅହିଂସା ଲୋପ ପାଇଯିବ ଆମ ଦେଶରୁ? ଏମିତି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରବୀନ୍ଦ୍ର ମଣ୍ଡପଠାରେ ଆଜି ମଞ୍ଚସ୍ଥ ହୋଇଥିଲା ନାଟକ ‘ଘଡ଼ି ଘଡ଼ିକେ ଘୋଡ଼ା ଛୁଟୁଛି’।

ନାଟ୍ୟସଂସ୍ଥା ‘ମନନ’ର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ ‘ନାଟକ ମହୋତ୍ସବ-୨୦୨୦’ର ଆଜି ପ୍ରଥମ ସନ୍ଧ୍ୟାରେ ‘ମନନ’ ନାଟ୍ୟସଂସ୍ଥା ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। ନାଟକର ପରିକଳ୍ପନା ଓ ନିର୍ଦ୍ଦେଶନା ମନୋଜ ପଟ୍ଟନାୟକ ଦେଇଥିବା ବେଳେ ନାଟ୍ୟ ରଚନା କରିଥିଲେ ଶଙ୍କର ତ୍ରିପାଠୀ। ନାଟକରେ ବିଭିନ୍ନ ଚରିତ୍ରରେ ମନୋଜ ପଟ୍ଟନାୟକ, ନିରଞ୍ଜନ ସାହୁ, ଅନୁଜ ପଟ୍ଟନାୟକ, ସରୋଜ ପଟ୍ଟନାୟକ, ରାମଚନ୍ଦ୍ର ଭୋଳ, ଅୟସକାନ୍ତ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରଦୀପ୍ତ ସ୍ୱାଇଁ, ସିନ୍ଧୁ ସାଗର ମହାନ୍ତି, ସାଇ ସ୍ୱରୂପ, ବିଶ୍ୱଜିତ, ଅବନ୍ତି, ବନ୍ଦନା ଓ କଳ୍ପନା ଅଭିନୟ କରିଥିଲେ। ଏହି ଅବସରରେ ପ୍ରଫେସର ସତ୍ୟବ୍ରତ ରାଉତଙ୍କୁ ‘ରତିରଞ୍ଜନ ସମ୍ମାନ’, ସୁବୋଧ ପଟ୍ଟନାୟକଙ୍କୁ ‘ବନବିହାରୀ ପଟ୍ଟନାୟକ ସମ୍ମାନ’, ନିବେଦିତା ଜେନାଙ୍କୁ ‘ଗୋପାଳଚନ୍ଦ୍ର ପଟ୍ଟନାୟକ ସମ୍ମାନ’, ସୁଷମା ପତିଙ୍କୁ ‘ଚନ୍ଦ୍ରଶେଖର ନନ୍ଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଆ ଭା‌ଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ବିଶିଷ୍ଟ କଥାକାର ଗୌରହରି ଦାସ ଓ ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର