ଭୁବନେଶ୍ବର: ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁବାବୁ ଜଣେ ନିଃସ୍ୱାର୍ଥପର ସମାଜସେବୀ ଏବଂ ଓଡ଼ିଶା ଶିଳ୍ପ ଜାଗରଣର ପୁରୋଧା ଥିଲେ। ଜଣେ ସ୍ୱାଭିମାନୀ ଓଡ଼ିଆ ଭାବରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ତାଙ୍କର ଭୂମିକା ଥିଲା ସ୍ବତନ୍ତ୍ର। ତାଙ୍କର ତ୍ୟାଗ ପାଇଁ ସେ ସର୍ବଦା ପ୍ରତିଟି ଓଡ଼ିଆଙ୍କ ନମସ୍ୟ ହୋଇ ରହିବେ। ତେଣୁ ମଧୁବାବୁ କେବଳ ଉତ୍କଳର ଗୌରବ ନୁହନ୍ତି, ସେ ସାରା ଭାରତର ଗୌରବ। ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଏଚ୍ଡିଆଇ, ଫିନିକ୍ସ ସେବା, ମାଟି ଭାଷା ଓ ହେଲପ୍ମେଟ୍ର ମିଳିତ ଆନୁକୂଲ୍ୟରେ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉତ୍ସବରେ ଅତିଥିମାନେ ଏଭଳି କହିଛନ୍ତି।
କବି କେଦାର ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଲେଖିକା ଶକୁନ୍ତଳା ବଳିୟାରସିଂହ, କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଓ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଉତ୍କଳ ଗୌରବଙ୍କ ଉଦ୍ଦେଶ୍ୟରେ ଓଡ଼ିଆ କବିମାନଙ୍କ ଦ୍ୱାରା ରଚିତ ପଦ୍ୟ ସମୂହ ଯଥା ‘ଉଠରେ ଉଠରେ ଉତ୍କଳ ସନ୍ତାନ’, ‘ଏହି ସମ୍ମିଳନୀ କୋଟି ପ୍ରାଣ ସିନ୍ଧୁ,’ ‘ଧନ୍ୟ ଧନ୍ୟ ମଧୁସୂଦନ’, ‘ତୁମ ପରି ଛୋଟ ପିଲାଟିଏ’, ‘ସୁମେରୁର ଶୃଙ୍ଗ ପଡ଼ିଲା କି ଟଳି’ ଆଦିକୁ ପରିବେଷଣ କରିଥିଲେ।
ଜଟଣୀ: ଜଟଣୀ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିକାଶନଗରସ୍ଥିତ ବରିଷ୍ଠ ନାଗରିକ ସଭାଗୃହରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ମଞ୍ଚ ସଭାପତି ପ୍ରହ୍ଲାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ସଚ୍ଚିଦାନନ୍ଦ ପଟ୍ଟନାୟକ, ପ୍ରଫୁଲ୍ଲ ବିଶ୍ବାଳ, ଜଗଦୀଶ ମହାପାତ୍ର, ସୀତାକାନ୍ତ ଶତପଥୀ, ପଦ୍ମନାଭ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଉତ୍କଳ ଗୌରବଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଡମ୍ବରୁଧର ସାହୁ ଧନ୍ୟବାଦ ଦେଇଥିଲେ।
ବାଲିପାଟଣା: ବାଲିପାଟଣା ବାଗ୍ଦେବୀ ବିଦ୍ୟାମନ୍ଦିର ପରିସରରେ ମଧୁ ବାବୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ ଓଝା, ସାମ୍ବାଦିକ ଅଭିମନ୍ୟୁ ନାୟକ, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରଶ୍ମି ରଞ୍ଜନ ପଣ୍ଡା ଅତିଥି ଭାବେ ଯୋଗ ଦେଇ ମଧୁ ବାବୁଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ଜେନା, ସାମ୍ବାଦିକ ଗଙ୍ଗାଧର ଓଝା, ପୂର୍ଣଚନ୍ଦ୍ର ଜେନା, ଅରୁଣ ଶତପଥୀ, ସୁମିତ ବେହେରା, ବାଗ୍ଦେବୀ ବିଦ୍ୟାମନ୍ଦିର ଅଧ୍ୟକ୍ଷା ପବିତ୍ରା ଦାସ, ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ବେହେରା, ସୁକାନ୍ତୀ ଷଡ଼ଙ୍ଗୀ, ଓକିଲୁନ୍ ନିଶା, ମିତାଲି ସ୍ୱାଇଁ, ଆଇନଜୀବୀ ବିଶ୍ୱଜିତ ଖଟେଇ, ସୁକାନ୍ତ ଦାଶ, ଦେବାଶିଷ ମହାନ୍ତି, ଧର୍ମେନ୍ଦ୍ର ଜେନା, ଜନ୍ମେଞ୍ଜୟ ବେହେରା, ଦେବେନ୍ଦ୍ର ବେହେରା, ଚିରଞ୍ଜୀବି ଜେନା, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବସନ୍ତ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବାଲିଅନ୍ତା ବଜାର: ବାଲିଅନ୍ତାସ୍ଥିତ ନିକୁଞ୍ଜ ବିହାରୀ ଦେବଙ୍କ ପୀଠରେ ଜୟଦେବ ଲୟର୍ସ ଆସୋସିଏସନ୍ ପକ୍ଷରୁ ଗାନ୍ଧୀ ସ୍ମୃତି ପୀଠରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଓକିଲ ବିନୋଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ କୃଷ୍ଣକେଶବ ଆପଟ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାହୁ, ଉପେନ୍ଦ୍ର ସାମନ୍ତରାୟ, ଅଶୋକ ରାଉତରାୟ, ଶକ୍ତିପ୍ରସାଦ ଛୋଟରାୟ, ହେମନ୍ତ ବିଶୋଇ, ସନାତନ ଦାସ ପ୍ରମୁଖ ଯୋଗ ଦେଇଥିଲେ।