ଭୁବନେଶ୍ବର: ‘ମଧୁ ବାବୁ ପେନ୍ସନ୍ ଯୋଜନା’ରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ବିଧବା ଏବଂ ବିଭିନ୍ନ ଦୂରାରୋଗରେ ପୀଡ଼ିତ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ମାସିକ ଭତ୍ତା ପ୍ରଦାନ କରାଯାଉଛି। ଏହି ଯୋଜନାରେ ହିତାଧିକାରୀମାନେ ଦୀର୍ଘ ୧୪ ବର୍ଷ ଧରି ଲାଭ ପାଇପାରୁଥିଲେ। ହେଲେ ଗତ ୬ମାସ ଧରି ବିଏମ୍ସିର ବିଭିନ୍ନ ୱାର୍ଡରେ ସେମାନଙ୍କୁ ଟଙ୍କା ମିଳୁନି। ଫଳରେ ଏଭଳି ଗରିବ ଲୋକମାନେ ଦୁଃଖରେ କାଳ କାଟୁଛନ୍ତି। ଏନେଇ ବିଏମ୍ସିର ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ବିଏମ୍ସିର ୧୭ନମ୍ବର ୱାର୍ଡର ରହୁଥିବା ୬୯ ବର୍ଷୀୟା ତମାଳ ବେହେରା ଦୀର୍ଘ ୬ମାସ ଧରି ବାର୍ଦ୍ଧକ୍ୟଜନିତ ଭତ୍ତା ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ପଥରବନ୍ଧ ବସ୍ତିରେ ସେ ପୁଅ ସହ ରୁହନ୍ତି। ପୁଅ ଦିନ ମଜୁରିଆ। ସେ ଯେତିକି ଟଙ୍କା ରୋଜଗାର କରେ ସେଥିରେ ଦୁଇ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟ ହୁଏ। ଅନ୍ୟପଟେ ତମାଳ ବାର୍ଦ୍ଧକ୍ୟଜନିତ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡ଼ିତ ଥିବାରୁ ମାସକୁ ମାସ ଔଷଧ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ ହୁଏ। ଭତ୍ତା ଟଙ୍କାରେ ଓୗଷଧ ଖର୍ଚ୍ଚ ଉଠିଯାଉଥିଲା। ହେଲେ ଗତ ୬ମାସ ଧରି ଭତ୍ତା ନମିଳିବାରୁ ସେ କଷ୍ଟରେ ଥିବା କହିଛନ୍ତି। ସେହିଭଳି ୭୮ବର୍ଷୀୟ ଟି. ଭୋଜ୍ରାଜ୍ ରେଡ୍ଡୀ ମଧ୍ୟ ଭତ୍ତା ଟଙ୍କା ନପାଇ ବହୁତ ଅସୁବିଧାରେ ଥିବା କହିଛନ୍ତି। ସେ ପୂର୍ବରୁ ଦିନ ମଜୁରିଆ ଭାବେ କାମ କରୁଥିଲେ। ବୟସ ବଢ଼ିବାରୁ ଆଉ କାମକୁ ପାରୁନାହାନ୍ତି। ଫଳରେ ଭତ୍ତା ଟଙ୍କା ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ପାଇ କଷ୍ଟେମଷ୍ଟେ ଚଳି ଯାଉଥିଲେ। ହେଲେ ଗତ ୬ମାସ ହେଲା ଭତ୍ତା ପାଉନାହାନ୍ତି। କେବଳ ଭୋଜ୍ରାଜ୍ କି ତମାଳ ନୁହନ୍ତି, ଏହି ଜୋନ୍ର ଶତାଧିକ ହିତାଧିକାରୀ ଗତ ୬ମାସ ହେଲା ଟଙ୍କା ପାଉନଥିବା ଅଭିଯୋଗ କରିଛନ୍ତି।
୨୦୧୩ ମସିହା ପରଠାରୁ ବିଏମ୍ସି ପକ୍ଷରୁ ଆକ୍ସିସ୍ ବ୍ୟାଙ୍କର ଏକ କାର୍ଡ ସମସ୍ତ ହିତାଧିକାରୀଙ୍କୁ ଦିଆଯାଇଥିଲା। ସେଥିରେ ସେମାନେ ନିଜର ଭତ୍ତା ଟଙ୍କା ନିଜ ୱାର୍ଡରେ ପାଇ ପାରୁଥିଲେ। ହେଲେ ଗତ ଡିସେମ୍ବର ମାସରୁ ଆଉ ସେଥିରେ ଟଙ୍କା ଦିଆଯାଉ ନାହିଁ। ବରଂ ବ୍ୟାଙ୍କ ଖାତା ଦେଲେ ସେଥିରେ ଟଙ୍କା ଦିଆଯିବ ବୋଲି କୁହାଗଲା। ଏହି ୱାର୍ଡର ଶୁକ ବେୱା, ଜଗବନ୍ଧୁ ବେହେରା, ମୋନିକା ରେଡ୍ଡୀ, ମୋହିନୀ ରେଡ୍ଡୀ, ସଞ୍ଜୟ ସାହୁ, ଧୀରସେନ ସାହୁ, ସହଦେବ ସାହୁ, ବିମଳ ଦାସ, ରାଜେନ୍ଦ୍ର ନାୟକ ପ୍ରମୁଖ ଅନେକ ହିତାଧିକାରୀ ଭତ୍ତା ଟଙ୍କାରୁ ବଞ୍ଚିତ ଥିବା କହିଛନ୍ତି। ଏମାନଙ୍କ ଅଭିଯୋଗ ଅନୁସାରେ, ବିଏମ୍ସି କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ସେମାନେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ତଥାପି ଟଙ୍କା ପାଇପାରୁ ନାହାନ୍ତି। ଏନେଇ ୧୭ନମ୍ବର ୱାର୍ଡର ସିଇଓ ସିପ୍ରାରାଣୀ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଡିବିଟି ସିଷ୍ଟମ୍ରେ ହିତାଧିକାରୀମାନଙ୍କୁ ସଂଯୋଗ କରୁଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଚଳିତ ମାସ ଶେଷ ସୁଦ୍ଧା ଏହାର ସମାଧାନ କରିବା ପାଇଁ ଚେଷ୍ଟା କରାଯାଉଛି।