ମଧୁସ୍ମିତା କଂଗ୍ରେସର ମେୟର୍‌ ପ୍ରାର୍ଥୀ

୩୦ କର୍ପୋରେଟର ପ୍ରାର୍ଥୀଙ୍କ ନାମ ଘୋଷଣା କଲା କ‌ଂଗ୍ରେସ

ଭୁବନେଶ୍ବର: ବିଏମ୍‌ସିର ମେୟର ପ୍ରାର୍ଥୀଙ୍କୁ ନେଇ ୩ ରାଜନୈତିକ ଦଳ ଭିତରେ ଛକାପଞ୍ଝା ଚାଲିଥିବା ବେଳେ କଂଗ୍ରେସ ଆଜି ମେୟର ପ୍ରାର୍ଥୀ ନାମ ଘୋଷଣା କରିଛି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ ‌ଭୁବନେଶ୍ବର ମେୟର ପ୍ରାର୍ଥୀ କରିଛି କଂଗ୍ରେସ। ବିଧାୟକ ସୁରେଶ ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାଁ ଘୋଷଣା କରିଛନ୍ତି। ଏଆଇସିସିର ଅନୁମୋଦନ କ୍ରମେ ମଧୁସ୍ମିତାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଛି। ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ଓଡ଼ିଶା ନୃତ୍ୟଶିଳ୍ପୀ ବୋଲି ଶ୍ରୀ ରାଉତରାୟ କହିଛନ୍ତି।

କଲେଜ ଜୀବନରେ ମଧୁସ୍ମିତା ରାଜନୀତି ସହିତ ଜଡ଼ିତ ଥିଲେ। କମଳା ନେହରୁ କଲେଜ ଛାତ୍ର ସଂସଦର ସଭାପତି ଓ ସଂପାଦକ ହୋଇଥିଲେ। ଏହାସହ ଏନ୍‌ଏୱାଇଏର ଜଣେ ସଦସ୍ୟ। ତାଙ୍କର ଅନ୍ୟତମ ପରିଚୟ ହେଉଛି ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବୋହୂ। ଶ୍ରୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରି ମେୟର ପ୍ରାର୍ଥୀ କରିଥିବା କୁହାଯାଉଛି। ଆସନ୍ତା ରବିବାର ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ଏହାସହ ବିଏମ୍‌ସିର ସବୁ ୱାର୍ଡରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା କଂଗ୍ରେସ ଆଜି ପ୍ରଥମ ଦଫାରେ ୩୦ଜଣ କର୍ପୋରେଟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୨୮ଜଣ ନୂଆ ମୁହଁ ରହିଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ୱାର୍ଡର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର