ନା ହେଉଛି ବିକାଶ ନା ରକ୍ଷଣାବେକ୍ଷଣ, ସମସ୍ୟାରେ ଛନ୍ଦି ହୋଇପଡ଼ିଛି ମଧୁସୂଦନ ପାର୍କ

ସନ୍ଧ୍ୟାରେ ଜମୁଛି ଅସମାାଜିକଙ୍କ ଆଡ଼ା, ପାଟ୍ରୋଲିଂ ଯଥେଷ୍ଟ ହେଉନି, ଅଧା ଲାଇଟ୍‌ ଅଚଳ, ପିଲାଙ୍କ ଖେଳ ଉପକରଣ ନଷ୍ଟ ହେଲାଣି

ଭୁବନେଶ୍ୱର: ରାଜଧାନୀର ଏକ ପ୍ରମୁଖ ଆବାସିକ ଅଞ୍ଚଳ ଭାବେ ଏବେ ମୁଣ୍ଡ ଟେକିଛି ପୋଖରୀପୁଟ। ସହରର ସଂପ୍ରସାରଣ ହେବା ପରେ ଏହି ଅଞ୍ଚଳ ବହୁ ଲୋକଙ୍କ ପସନ୍ଦର ସ୍ଥାନ ପାଲଟିଛି। ସହରୀ ଜୀବନରେ ଅବସର ବିନୋଦନର ମୁଖ୍ୟ ମାଧ୍ୟମ ପାର୍କ ହୋଇଥିବାରୁ ଏଠାରେ ଏକ ବିସ୍ତୀର୍ଣ୍ଣ ଜାଗାରେ ମଧୁସୂଦନ ପାର୍କ ନିର୍ମାଣ କରାଯାଇଛି। ପୋଖରୀପୁଟ ସମେତ ଆଖପାଖ ଅଞ୍ଚଳର ଲୋକମାନଙ୍କ ଅବସର ସମୟ କାଟିବା ପାଇଁ ଏହି ପାର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। କିନ୍ତୁ ପାର୍କର କେତୋଟି ମୌଳିକ ସମସ୍ୟା ପ୍ରତି ବିଡିଏ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନ ଥିବାରୁ ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପାର୍କ ପାଇଁ ଉଦ୍ଦିଷ୍ଟ ସବୁ ଜାଗାକୁ ଏ ପର୍ଯ୍ୟନ୍ତ ବିକଶିତ କରାଯାଇ ନାହିଁ। ଅଧିକାଂଶ ଜାଗା ଏବେ ବି ଜଙ୍ଗଲରେ ପରିପୂର୍ଣ୍ଣ। କିଛି ବଡ଼ ବଡ଼ ଗଛ ଲଗାଯାଇ ତାହାକୁ ଛାଡ଼ି ଦିଆଯାଇଛି। ପୋଖରୀପୁଟ ଅଞ୍ଚଳରେ ଏହା ଏକମାତ୍ର ପାର୍କ ହୋଇଥିବାରୁ ଏଠାକୁ ଆସୁଥିବା ଲୋକସଂଖ୍ୟା ଦିନକୁ ଦିନ ବଢ଼ୁଛି। କିନ୍ତୁ ପୂରା ପାର୍କଟିକୁ ବିକଶିତ କରିବାକୁ ବିଡିଏ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ପାର୍କର ଯେତିକି ଅଂଶ ବିକଶିତ ହୋଇଛି, ତାହାର ସୌନ୍ଦର୍ଯ୍ୟ ନିଶ୍ଚିତ ଭାବେ ଲୋକଙ୍କୁ ଆକୃଷ୍ଟ କରୁଛି। କିନ୍ତୁ କର୍ମଚାରୀ ଅଭାବରୁ ଉପଯୁକ୍ତ ଯତ୍ନ ନିଆଯାଇପାରୁନାହିଁ। କେଉଁଠି ପାର୍କର ଘାସ ବଢ଼ି ଜଙ୍ଗଲ ହୋଇଯାଇଛି ତ ଆଉ କେଉଁ ଦିନ ପାର୍କ ସଫା ହେଉ ନାହିଁ । ପାର୍କରେ ଥିବା ପରିସ୍ରାଗାରରେ ଠିକ୍‌ ସମୟରେ ପାଣି ଆସୁନି କି ଲାଇଟ ଲାଗୁ ନାହିଁ। ପାର୍କରେ କାମ କରୁଥିବା କର୍ମଚାରୀଙ୍କ ଅଭିଯୋଗ ହେଲା ପରିସ୍ରାଗାରରେ ଯେତେ ଲାଇଟ୍‌ ଲଗାଇଲେ ବି ସେସବୁକୁ ଆଖପାଖ ଅଞ୍ଚଳର ଲୋକମାନେ ଚୋରି କରି ନେଇଯାଉଛନ୍ତି। ଚୋରି ରୋକିବାକୁ ବ୍ୟବସ୍ଥା ନ କରି ଲାଇଟ୍‌ ସମ୍ପୂର୍ଣ୍ଣ ନ ଲଗାଇବା, କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଛନ୍ତି। ଏଠାରେ ଥିବା ଟ୍ୟାପ୍‌ଗୁଡ଼ିକ ଭାଙ୍ଗି ବେସିନ୍‌ ଗଳି ପଡ଼ିଥିଲେ ମଧ୍ୟ ସଜଡ଼ା ଯାଉ ନାହିଁ। ଏଠାରେ ଛୋଟ ପିଲାଙ୍କ ପାଇଁ ରହିଥିବା ଖେଳ ଉପକରଣ ମଧ୍ୟ ନଷ୍ଟ ହୋଇଗଲାଣି। କେଉଁଠି ଦୋଳି ଛିଡ଼ିଗଲାଣି ତ କେଉଁଠି ପିଲାଙ୍କ ପାଇଁ ତିଆରି ହୋଇଥିବା ରୁଫ େଓ୍ଵ ଖରାପ ହୋଇଗଲାଣି। ପାର୍କରେ ପିଲାଙ୍କ ପାଇଁ କିଛି ନୂଆ ଉପକରଣ ଲାଗାଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ।

ପାର୍କକୁ ଆସୁଥିବା ଲୋକମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସୁରୁଖୁରୁରେ ପାର୍କରେ ବୁଲାବୁଲି କରୁଥିଲେ ମଧ୍ୟ ସନ୍ଧ୍ୟା ହେବା ମାତ୍ରେ ଆଉ ରହିବାକୁ ପସନ୍ଦ କରୁ ନାହାନ୍ତି। କାରଣ ପାର୍କରେ ଆଜି ପର୍ଯ୍ୟନ୍ତ ସବୁ ସ୍ଥାନରେ ଲାଇଟ୍‌ ସଂଯୋଗ କରାଯାଇ ନାହିଁ। ଗୋଟିଏ ଦୁଇଟିି ଲାଇଟକୁ ବାଦ୍‌ ଦେଲେ ପ୍ରାୟ ସବୁ ଲାଇଟ୍‌କୁ ଅସାମାଜିକ ଲୋକମାନେ ଭାଙ୍ଗି ଦେଉଛନ୍ତି କିମ୍ବା ଚୋରି ହୋଇଯାଉଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏହି ପାର୍କ ଉପରେ ଅନେକ ଲୋକ ନିର୍ଭର କରୁଥିଲେ ମଧ୍ୟ ଏଠାରେ ପଡ଼ିଥିବା ଚେୟାର ସଂଖ୍ୟା ବହୁତ କମ୍‌। ପାର୍କର ପରିସୀମାକୁ ଆଖିଆଗରେ ରଖି ଯଥେଷ୍ଟ ପରିମାଣରେ ଡଷ୍ଟବିନ୍‌ ବି ନାହିଁ। ମଧୁସୂଦନ ପାର୍କରେ ଆଉ ଏକ ଗୁରୁତର ସମସ୍ୟା ହୋଇଛି ମଦୁଆଙ୍କ ପ୍ରାଦୁର୍ଭାବ। ଅନେକ ସମୟରେ ମଦ ପିଇ କିଛି ଅସାମାଜିକ ଲୋକ ଆଡ୍ଡା ଜମାଉଛନ୍ତି। କେତବେଳେ ଲାଇଟ୍‌ ଭାଙ୍ଗି ଦେଉଛନ୍ତି ତ କେତେବେଳେ ପାର୍କର ମୂଲ୍ୟବାନ ସାମଗ୍ରୀ ଚୋରି କରିନେଉଛନ୍ତି। ଖାଲି ସେତିକି ନୁହେଁ, ବହୁ ସମୟରେ ସେମାନେ ଗଣ୍ଡଗୋଳ କରୁଥିବାର ଦେଖାଯାଉଛି। ବିଡିଏ କର୍ତ୍ତୃପକ୍ଷ ଓ ପୁଲିସ୍‌ ଏ ଦିଗରେ ଗୁରୁତର ସହ ଚିନ୍ତା କରି ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର