ଉଜୁଡ଼ା ପରିବାର ସଜାଡ଼ୁଛି ‘ମାଧ୍ୟମ’

୫ମାସରେ ୫୦%ରୁ ଅଧିକ ମାମଲା ସମାଧାନ

ଭୁବନେଶ୍ବର: ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ ଖୋଲିଥିବା ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’ ପାରିବାରିକ ବିବାଦ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଗତ ମେ ମାସରେ ମାଧ୍ୟମକୁ ୧୯ଟି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଘରୋଇ ଝଗଡ଼ାର ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୨ଟି ମାମଲାର ଆପୋସ ବୁଝାମଣା କରି ପୁଣି ଉଜୁଡ଼ା ପରିବାରକୁ ଯୋଡ଼ିବାରେ ସକ୍ଷମ ହୋଇଛି। ଏହି କ୍ରମରେ ଚଳିତବର୍ଷ ୫ମାସ ମଧ୍ୟରେ ‘ମାଧ୍ୟମ’କୁ ପ୍ରାୟ ୮୦ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୪୨ଟି ଅଭିଯୋଗର ଆପୋସ ସମାଧାନ କରାଯାଇଛି।

ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖୋଲିଥିବା ‘ମାଧ୍ୟମ’ ବିନା ପୁଲିସ ଓ କୋର୍ଟ କଚେରି ସହାୟତାରେ ସ୍ବାମୀ-ସ୍ତ୍ରୀ ବିବାଦ ସମାଧାନ କରୁଛି। ୨୦୧୪ ସେପ୍ଟେମ୍ବର ୩ ତାରିଖରୁ ଭୁବନେଶ୍ବର ଆରମ୍ଭ ହୋଇଥିବା ‘ମାଧ୍ୟମ’ ମହିଳାମାନଙ୍କ ପାଇଁ କାର୍ଯ୍ୟ କରୁଛି। ନିଜ ପରିବାର, ସମାଜ ତଥା କାର୍ଯ୍ୟସ୍ଥଳୀରେ ସମ୍ମୁଖୀନ ହେଉଥିବା ଶାରୀରିକ, ମାନସିକ ଓ ସାମାଜିକ ନିର୍ଯାତନା, ଘରୋଇ ହିଂସା, ଯୌନ ନିର୍ଯାତନା, ମହିଳା ଚାଲାଣ, ବାଲ୍ୟବିବାହ, ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କୁ ସୁରକ୍ଷା ଦେବା ସହ ଉଚିତ ପରାମର୍ଶ ଦେଇ ସେମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ଦିଗରେ ପ୍ରୟାସ ଜାରି ରଖିଛି। ଏହିକ୍ରମରେ ଗତବର୍ଷ ପ୍ରାୟ ୧୭୯ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୧୦୭ଟି ମାମଲାର ଆପୋସ ବୁଝାମଣା ‘ମାଧ୍ୟମ’ ଦ୍ବାରା କରାଯାଇଛି।

ଏନେଇ ଆଇଏସ୍‌ଡିର ନିର୍ଦ୍ଦେଶିକା ଶୁଭଶ୍ରୀ ଦାଶ କହିଛନ୍ତି, ମାଧ୍ୟମକୁ ସର୍ବାଧିକ ଘରୋଇ ହିଂସାଜନିତ ମାମଲା ଆସୁଛି। ଚଳିତ ମାସ ମଧ୍ୟ ୫ଟି ଅଭିଯୋଗ ଆସିଥିଲା। ସ୍ବାମୀ-ସ୍ତ୍ରୀ ଭିତରେ ଚାଲିଥିବା କଳହକୁ ଦୂରେଇବା ପାଇଁ ଆମେ ୭ରୁ ୮ଥର ମନସ୍ତାତ୍ତ୍ବିକ କାଉନସେଲିଂ ମଧ୍ୟ କରୁଛୁ। ଏହା ବ୍ୟତୀତ ମହିଳାଙ୍କୁ ନେଇ ହେଉଥିବା ସାଇବର ଅପରାଧ, ଶିଶୁ ଯୌନ ନିର୍ଯାତନା ଭଳି ମାମଲାର ସମାଧାନ ପାଇଁ ମଧ୍ୟ ଉଦ୍ୟମ କରୁଛୁ। ଅନେକ କ୍ଷେତ୍ରରେ ଆର୍ଥିକ ସମସ୍ୟା ପାଇଁ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ହେଉଛି। ତେଣୁ ଯେକୌଣସି କାର୍ଯ୍ୟରେ ନିଯୁକ୍ତ କରାଯାଇ ଆର୍ଥିକ ସୁଦୃଢ଼ କରିବାକୁ ମଧ୍ୟ ମାଧ୍ୟମ ପ୍ରୟାସ କରୁଛି ବୋଲି ଶ୍ରୀମତୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର