ଜଟଣୀ: ଜଟଣୀ ତହସିଲ ଅଞ୍ଚଳରେ ବେଧଡ଼କ ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ। ସରକାରୀ ଜମିରୁ ମାଫିଆମାନେ ମାଙ୍କଡ଼ା ପଥର ଓ ମୋରମ୍ ତାଡ଼ି ଚାଲାଣ କରୁଛନ୍ତି। ଏହି ଚୋରା କାରବାର ଯୋଗୁ ମାଫିଆମାନେ ମାଲାମାଲ୍ ହେଉଥିବା ବେଳେ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ହେଉଛି। କେବଳ ସେତିକି ନୁହେଁ, ଖଣି ଖନନ ଫଳରେ ଅଞ୍ଚଳବାସୀ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧୂଳିଧୂଆଁରେ ଜୀବନ ଅସ୍ତବ୍ୟସ୍ତ ହେଉଛି। ଏଥିସହ ଜୀବଜନ୍ତୁ ଖଣିରେ ପଡ଼ି ମରୁଛନ୍ତି। ଖଣି ମାଫିଆଙ୍କ ଭୟରେ ଅଞ୍ଚଳବାସୀ ମୁହଁ ଖୋଲି ପାରୁନଥିବା ବେଳେ ପୁଲିସ ଓ ପ୍ରଶାସନର ଜାଣତରେ ଖଣି ଲୁଟ୍ ହେଉଥିବା ମଧ୍ୟ କେତେକ କହିଛନ୍ତି। ଅନ୍ୟପଟେ ପ୍ରଶାସନ ଲୋକଦେଖାଣିଆ ଚଢ଼ଉ କରି ଚୁପ୍ ବସୁଥିବା ଅଭିଯୋଗ ହେଉଛି। ତହସିଲ ଅଞ୍ଚଳର କନ୍ତିଆ, କୁସୁମାଟି, ପାଣିଓରା, ଅରୁଗୁଳ, ଗୋପୀନାଥପୁର, ପିତାପଲ୍ଲୀ, ରଥିପୁର, ତିରିମଲ, ପଦନପୁର, ଷଣ୍ଢପୁର ଆଦି ଅଞ୍ଚଳରେ ୧୦୦ରୁ ଅଧିକ ସ୍ଥାନରେ ବେଧଡ଼କ ଭାବେ ଖଣି ଖନନ ଚାଲିଛି।
ମଝିରେ ମଝିରେ ତହସିଲ କର୍ତ୍ତୃପକ୍ଷ ଅତର୍କିତ ଚଢ଼ଉ କରି ହାଇୱା, ଜେସିବି ଓ ପାୱାର ଟିଲର୍ ଜବତ କରୁଛନ୍ତି। ହେଲେ ମାଫିଆମାନେ ଖସିଯାଉଛନ୍ତି। ପରେ ଗାଡ଼ିମାଲିକମାନେ ଜରିମାନା ଦେଇ ଗାଡ଼ି ସବୁକୁ ମୁକୁଳାଇ ନେଉଛନ୍ତି। ଗତ ୫ ମାସ ଭିତରେ ପୁଲିସ ଓ ତହସିଲ ପ୍ରଶାସନ ଯେଉଁ ସବୁ ସ୍ଥାନରେ ଚଢ଼ଉ କରି ଖଣି ଖନନ ବନ୍ଦ କରିଥିଲା, ସେଠାରେ ଆଜି ପୁଣି ପୂର୍ବଭଳି ବେଧଡ଼କ ମାଙ୍କଡ଼ାପଥର ଓ ମୋରମ ଖୋଳା ଚାଲିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟାରୁ ଆରମ୍ଭ ହୋଇ ଭୋର୍ ପର୍ଯ୍ୟନ୍ତ ମାଫିଆମାନଙ୍କ ଏହି କାର୍ଯ୍ୟ ଚାଲୁଛି। ମୋରମ୍ ବା ପଥର ବୋହୁଥିବା ହାଇୱା ଗୁଡ଼ିକ ଏତେ ଦ୍ରୁତବେଗରେ ଯାଉଛନ୍ତି ଯେ ସେମାନଙ୍କୁ ଅଟକାଇବା ଅର୍ଥ ମରଣକୁ ବରଣ କରିବା। ସେହିଭଳି ମାଫିଆମାନେ ବେଶ୍ ପ୍ରଭାବଶାଳୀ ହୋଇଥିବାରୁ ସ୍ଥାନୀୟ ଲୋକେ ସେମାନଙ୍କ ସମ୍ମୁଖରେ ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। କେବଳ ପୁଲିସ ପ୍ରଶାସନ ଚାହିଁଲେ ଖଣି ଖୋଳା ବନ୍ଦ ସମ୍ଭବ ହୋଇପାରିବ। ତେଣୁ ଜିଲ୍ଲା ପ୍ରଶାସନ ଏଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/13/sfssfxxccx-2025-09-13-03-22-04.jpg)