ଭୁବନେଶ୍ୱର: ନକଲି କାଗଜପତ୍ର କରି ମାଲିକଙ୍କ ଅଗୋଚରରେ ତାଙ୍କ ଜମିକୁ ବିକ୍ରି କରିବାରେ ମାଫିଆମାନେ ସଫଳ ହେଉଛନ୍ତି। ଏହିଭଳି ଏକ ଘଟଣା ଭରତପୁର ଥାନା ଖଣ୍ଡଗିରି ନିବନ୍ଧକ ଅଧୀନ ଶ୍ୟାମପୁର ମୌଜାରେ ଦେଖିବାକୁ ମିଳିଛି। ଜଣେ ଯବାନଙ୍କ ଜମିକୁ ନକଲି କାଗଜପତ୍ର ବଳରେ ବିକ୍ରି କରିଦେଇଛନ୍ତି ମାଫିଆ। ଉକ୍ତ ଜମିକୁ ଫେରିପାଇବା ଲାଗି ଯବାନଙ୍କ ପରିବାର ଲୋକ ଥାନା ଓ ଅଦାଲତ ଦୌଡ଼ି ହାଲିଆ ହେଲେଣି, ତଥାପି ଜମି ଫେରି ପାଇପାରିନାହାନ୍ତି। ମାଫିଆଙ୍କ କବଳରୁ ଉକ୍ତ ଜମିକୁ ମୁକ୍ତ କରିବା ଲାଗି ମଙ୍ଗଳବାର ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୃତ ଯବାନଙ୍କ ପୁଅ ସୟଦ ଆବିଦ ଅଲ୍ଲୀ ସରକାରଙ୍କୁ ନିବେଦନ କରିଛନ୍ତି।

Advertisment

ଶ୍ରୀ ଅଲ୍ଲୀଙ୍କ ଅଭିଯୋଗ ଅନୁସାରେ, ବାଲିପାଟଣା ଥାନା ଅଠାନ୍ତରସ୍ଥିତ ବେଙ୍ଗବତୀ ବସ୍ତିର ସୟଦ ବାସର ଅଲ୍ଲୀଙ୍କୁ ଶ୍ୟାମପୁର ମୌଜାରେ ସରକାର ୧୯୭୩ ମସିହା ନଭେମ୍ବର ୨୬ରେ ଯବାନ ନଥି ପଡ଼ିଆ ନମ୍ବର-୯୦୧/୬୭୬୮ରେ ୫୦୦୦ ଡିସିମିଲି ଜମିର ପଟ୍ଟା ପ୍ରଦାନ କରିଥିଲେ। ୧୯୮୦ରେ ଉକ୍ତ ଜମିରୁ ୨୦୦୦ ଡିସିମିଲି ଜମିକୁ ତହସିଲଦାରଙ୍କ ଅନୁମତିକ୍ରମେ ଶ୍ରୀ ଅଲ୍ଲୀ ବିକ୍ରି କରିଥିଲେ। ଅବଶିଷ୍ଟ ଜମିକୁ ୨୦୦୯ ସେପ୍ଟେମ୍ବର‌‌ର କିଛି ମାଫିଆ ମିଶି ଅଲ୍ଲୀଙ୍କ ନକଲି ଦସ୍ତଖତ ବ୍ୟବହାରକରି ବିକ୍ରି କରିଥିଲେ। ଶ୍ରୀ ଅଲ୍ଲୀ ଏସଂକ୍ରାନ୍ତରେ ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ତଦନ୍ତ କରିବା ପରେ କିଣିଥିବା ବ୍ୟକ୍ତିମାନେ ଥାନାରେ ପହଞ୍ଚି ଉକ୍ତ କିଣାବିକାରୁ ଓହରି ଯିବା ଲାଗି ରାଜି ହୋଇଥିଲେ।

ତେବେ ପରେ ସେମାନେ ଆଉ ଧରାଛୁଆଁ ଦେଇନଥିଲେ। ଘଟଣାର ସମାଧାନ କରିବା ବଦଳରେ ସେମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଥିଲେ। ଫଳରେ ସେମାନଙ୍କ ଦଲିଲ ଖାରଜ କରିବା ଲାଗି ଶ୍ରୀ ଅଲ୍ଲୀ ଅଦାଲତରେ ମାମଲା କରିଥିଲେ। ଅଦାଲତରେ ମାମଲା ବିଚାରାଧୀନ ଥିବାବେଳେ ଆଉ କିଛି ମାଫିଆ ପହଞ୍ଚି ଶ୍ରୀ ଅଲ୍ଲୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଜମି ଲେଖାଇ ନେଇଥିଲେ। ଏହି ଘଟଣା ଜାଣିବା ପରେ ଅଲ୍ଲୀ ଅଦାଲତଙ୍କୁ ଅବଗତ କରାଇଥିଲେ। ଏସବୁ ନକଲି ଦଲିଲକୁ ଖାରଜ କରିବା ଲାଗି ଅଦାଲତଙ୍କ ନିର୍ଦେଶ ରହିଛି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିବନ୍ଧକ ଦିନ ଗଡ଼ାଉଥିବା ଶ୍ରୀ ଅଲ୍ଲୀ ଅଭିଯୋଗ କରିଛନ୍ତି। ଯବାନଙ୍କୁ ମିଳିଥିବା ଜମିକୁ ମାଫିଆଙ୍କ କବଳରୁ ମୁକ୍ତ କରିବା ଲାଗି ସେ ଦାବି କରିଛନ୍ତି।