ଭୁବନେଶ୍ବର: ପୂଜାରେ ବର୍ଷିବା ଆଶଙ୍କା କରାଯାଉଛି। ଏହାକୁ ନେଇ ମୁହଁ ଆମ୍ବିଳ‌ା କଲେଣି ଭ୍ରମଣପ୍ରେମୀ। ହେଲେ ପଢ଼ାକୀଟମାନେ ମୁରୁକି ହସୁଛନ୍ତି। ବର୍ଷା ଯୋଗୁ ପୂଜାରେ ବାହାରକୁ ବୁଲିଯିବାକୁ ପରିବାର ଲୋକ ବାଧ୍ୟ କରିବେନି। ଫଳରେ ବର୍ଷା ସହ ପତ୍ରିକାର ଯୋଡ଼ି ବେଶ୍‌ ଜମିବ। ଏଣୁ ପୂଜା ପତ୍ରିକାକୁ ଚାତକ ଭଳି ଚାହିଁ ରହିଛନ୍ତି ଏହି ବର୍ଗ। ସେପଟେ ପତ୍ରିକା ପ୍ରକାଶକ ଓ ବିକ୍ରେତାମାନେ ବି ବର୍ଷା ପାଗର ସୁଯୋଗ ମିଳିବ ବୋଲି ଆଶା ରଖିଛନ୍ତି। ତେବେ ଏ ଲଘୁଚାପକୁ ଦେଖି ପୂଜା ପତ୍ରିକା ଦେଖିବା ଓ କିଣିବା ପାଇଁ ପାଠକଙ୍କର କିଛି କିଛି ଭିଡ଼ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ‘ରାଜଧାନୀର ପତ୍ରିକା ହାଟ’ରେ ଦେଖିବାକୁ ମିଳିଲାଣି।  ପତ୍ରିକାଗୁଡ଼ିକର ମାନ ଓ ସେଥିରେ ପ୍ରକାଶିତ ଲେଖାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସମୟ ଥିଲା, ଓଡ଼ିଆରେ ଅତିକମ୍‌ରେ ୨୦-୨୫ଟି ନିୟମିତ ସାହିତ୍ୟ ପତ୍ରିକା ପ୍ରକାଶ ପାଉଥିଲା। ସେମାନେ ପୂଜା ସମୟରେ ନିଜର ସବୁଠାରୁ ଆକଷର୍ଣୀୟ ରୂପରେ ବଜାରକୁ ଆସୁଥିଲେ। ସେମାନଙ୍କ ସହିତ ଅନେକ ଅନିୟମିତ ପତ୍ରିକା ମଧ୍ୟ ଅତିକମ୍‌ରେ ପୂଜାରେ ପ୍ରକାଶିତ ହେଉଥିଲେ। ଏହା ସହ କେବଳ ପୂଜା ସମୟରେ ପ୍ରକାଶ ପାଉଥିବା ପତ୍ରିକା ମଧ୍ୟ ପୂଜା ବଜାରକୁ ଆସେ। ଏମାନଙ୍କ ସଂଖ୍ୟା ସବୁଠୁ ଅଧିକ ଥିଲା। ପୂଜାରେ ପ୍ରକାଶିତ ପତ୍ରିକାଙ୍କ ସଂଖ୍ୟା ୧୨୫ରୁ ୧୫୦ ପାଖାପାଖି ପହଞ୍ଚି ଯାଉଥିଲା। ସେତିକି ପତ୍ରିକା ଆଉ ପ୍ରକାଶିତ ହେଉନି ଅବଶ୍ୟ, କିନ୍ତୁ ପରଂପରା ଓ ଉତ୍ସାହ ରହିଛି। ଏବେ ବଜାରକୁ ୨୪ଟି ପୂଜା ପତ୍ରିକା ଆସିସାରିଥିବା ବେଳେ  ଆହୁରି ୭୦ରୁ ଅଧିକ ପତ୍ରିକାର ବଜାର ପ୍ରବେଶ ବାକି ରହିଛି।

Advertisment

ବଙ୍ଗାଳୀଙ୍କ ଭଳି ବର୍ଷସାରା ବହିପତ୍ର ବା ପତ୍ରିକା କିଣିବା ଭଳି ଓଡ଼ିଆ ପାଠକ ଅଭ୍ୟସ୍ତ ନଥିଲେ ହେଁ ପୂଜାରେ ଅନେକ ପାଠକ ପତ୍ରିକା କିଣନ୍ତି। ତେଣୁ ପୂଜା ପତ୍ରିକାରୁ ବ୍ୟବସାୟୀଙ୍କର ଭଲ ବ୍ୟବସାୟ ହୁଏ। ତେବେ କିଛି ବର୍ଷ ହେଲା ପୂଜା ପତ୍ରିକାକୁ ନେଇ ଥିବା ଉତ୍ସାହ ଟିକିଏ ମଉଳି ଯାଇଛି। ଫଳରେ ଓଡ଼ିଆ ପୂଜା ପତ୍ରିକାର ସଂଖ୍ୟା ୪-୫ ବର୍ଷ ତଳୁ ‌ବେଶ୍‌ କମି ଯାଇଛି। ପୁଣି କରୋନା କାଳରେ ଯ‌ଥେଷ୍ଟ ବିଜ୍ଞାପନ ନମିଳିବାରୁ ଏହା ଆହୁରି ପ୍ରଭାବିତ ହୋଇଥିଲା। ତେବେ ସ୍ଥିତି ସୁଧୁରିବା ପରେ ୨୦୨୩ ବର୍ଷଠାରୁ ଆରମ୍ଭ ହୋଇ ଆଗକୁ ପତ୍ରିକା ସଂଖ୍ୟା ବଢ଼ିବାର ଆଶା ରହିଛି। ପୂଜା ପତ୍ରିକାର ବଜାର ପ୍ରବେଶ ଏଥର ସେପ୍ଟେମ୍ବର ୨୦ ତାରିଖ ପାଖାପାଖି ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ବଜାରରେ ଉପଲବ୍ଧ ପତ୍ରିକାଗୁଡ଼ିକର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ବର୍ଷା ଯୋଗୁ  ବେପାର ମାନ୍ଦା ପଡ଼ିଛି


୨୪ଟି ପତ୍ରିକା ଏବେ ପୂଜା ବଜାରକୁ ଆସିସାରିଛି। ଆହୁରି ୭୦ ଦୀପାବଳି ଭିତରେ ଆସିଯିବ। କିନ୍ତୁ କିଛି ଲୋକପ୍ରିୟ ପତ୍ରିକା ଏଯାଏ ବଜାରକୁ ଆସିନାହିଁ। ପାଠକମାନେ ଆସି ଫେରି ଯାଉଛନ୍ତି। ଚଳିତ ବର୍ଷ ପୂଜାବଜାର ସରଗରମ ରହିଥିବା ବେଳେ ପତ୍ରିକାକୁ ନେଇ ପାଠକମାନଙ୍କ ପ୍ରତିକ୍ରିୟା ଭଲ ରହିଛି। ବେପାର ମଧ୍ୟ ଜମିଲାଣି। ଏବେ ବଜାରକୁ ପଶ୍ଚିମା, ମହୁରୀ, ସୌରଭ, ଘାସଫୁଲ, ଆଇନା, ଅର୍ପିତା, ଅମୃତାୟନ, କଥା କଳିକା, ଶ୍ରୀ ସାହିତ୍ୟ ଆଦି ପତ୍ରିକା ଆସିସାରିଲାଣି। ପକ୍ଷୀଘର, କାଦମ୍ବିନୀ, ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ, କଥା ଭଳି ବହୁ ଲୋକପ୍ରିୟ ପତ୍ରିକା ଆସିବା ବାକି ଅଛି। ତେବେ ବର୍ଷା ପାଗ ଯୋଗୁଁ ଏବେ ପତ୍ରିକା ବେପାର ମାନ୍ଦା ପଡ଼ିଥିବା ବେଳେ ୩୦ ତାରିଖ ଆଡ଼କୁ ଭଲ ଜମିବ ବୋଲି ଆଶା କରାଯାଉଛି। 
ବାବୁଲା ବେହେରା, ମା’ ନାରାୟଣୀ ବୁକ୍‌ଷ୍ଟଲ୍‌, ପୁରୁଣା ବସ୍‌ଷ୍ଟାଣ୍ଡ

ଓଡ଼ିଆମାନେ ପଠନ ବିମୁଖ, ଏ କଥା ମିଛ

ଓଡ଼ିଆମାନେ ପଠନ ବିମୁଖ ବୋଲି ଢେର୍‌ ବଦନାମ। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ। ଭଲ ଲେଖାଭର୍ତ୍ତି ପତ୍ରିକାଟିଏ ପାଇଁ ବି ପାଠକ ବ୍ୟଗ୍ର। ଆମ ପବ୍ଲିକେସନ୍‌ର ପତ୍ରିକା ‘ପଶ୍ଚିମା’ ସେପ୍ଟେମ୍ବର ୧୫ ତାରିଖରେ ମୁକ୍ତିଲାଭ କରିଥିଲା। ଆଜିକୁ ୯ ଦିନ ଭିତରେ ମୋର ୬୦୦ରୁ ଅଧିକ ପତ୍ରିକା ବିକ୍ରି ହୋଇସାରିଲାଣି। ପୂଜା ବଜାରରେ ପତ୍ରିକାକୁ ନେଇ ଏହି ଅଦ୍ଭୁତ ଉତ୍ସାହ ଓଡ଼ିଆମାନେ ଯେ ପଠନପ୍ରେମୀ ତାହାକୁ ପ୍ରମାଣିତ କରୁଛି। ଏଥର ପୂଜା ବଜାରକୁ ‘ପଶ୍ଚିମା’ ପତ୍ରିକା ୬୧୪ ପୃଷ୍ଠା ସମ୍ବଳିତ ସୃଜନ ଦସ୍ତାବିଜ ନେଇ ଆସିସୁଛି। ସାରା ଓଡ଼ିଶାର ୩୩ଟି ପଏଣ୍ଟ୍‌ରେ ଏହା ୩୨୦ ଟଙ୍କାରେ ବିକ୍ରି ହେଉଛି। ୩୫ ବର୍ଷ ଧରି ଆମେ ପତ୍ରିକା ପ୍ରକାଶିତ କରି ଆସୁଥିବା ବେଳେ ପାଠକମାନଙ୍କ ମଧ୍ୟରେ ପୂଜା ପତ୍ରିକାର ଉତ୍ସାହ ଆମେ ଦେଖିବାକୁ ପାଉଛୁ। କିନ୍ତୁ ଆମକୁ ଭିନ୍ନ ଦୃଷ୍ଟିକୋଣର ଉନ୍ନତମାନର ଲେଖା ପାଠକକୁ ପରିବେଷଣ କରିବାକୁ ପଡ଼ିବ। ଯାହାକି ପାଠକଙ୍କୁ ପତ୍ରିକାରୁ ବିମୁଖ ହେବାକୁ ଦେବନାହିଁ

ଅଶୋକ ମହାନ୍ତି, ସମ୍ପାଦକ, ପଶ୍ଚିମା ପବ୍ଲିକେସନ୍‌