ଆଜି ମାଘମେଳା: ଲାଗି ହେବ ଖଣ୍ଡଖିରି

ଶହେରୁ ଅଧିକ ବାବାଙ୍କ ସମାଗମ, ବିଏମ୍‌ସି ବିରୋଧରେ ବଢ଼ୁଛି ଅସନ୍ତୋଷ

ଖଣ୍ଡଗିରି : ଆଜିଠାରୁ ଆରମ୍ଭ ହେବ ମାଘମେଳା। ଏଥିପାଇଁ ଦୁଇ ଦିନ ହେବ ରାଜ୍ୟ ତଥା ରାଜ୍ୟ ବାହାରର ବାବାଙ୍କ ଆଗମନ ଜାରି ରହିଛି। ଚଳିତ ବର୍ଷ ୧୦୦ରୁ ଅଧିକ ବାବାଙ୍କ ସମାଗମ ହେବ ବୋଲି କହିଛି ବାରଭୁଜା କମିଟି। ତେବେ ଗତବର୍ଷ ଅପେକ୍ଷା ଏବର୍ଷ କମ୍‌ ଲୋକ ଆସିବେ ବୋଲି ଅନୁମାନ କରାଯାଉଛି।

ପ୍ରତିବର୍ଷ ଭଳି ଚଳିତ ବର୍ଷ ଖଣ୍ଡଗିରିରେ ପହଞ୍ଚିଛନ୍ତି ନାଗା ବାବା, ଷ୍ଟାଣ୍ଡିଂ ବାବା ଓ ଯୋଗେଶ୍ବର ବାବାଙ୍କ ସମେତ ଆହୁରି କେତେ। ଦିନ ତମାମ୍‌ ସେମାନେ ଧୋନି କୁଣ୍ଡ, କଳସ ବସାଇବା ପାଇଁ ସଫେଇ କାର୍ଯ୍ୟ ଜାରି ରଖିଥିଲେ। ଆସନ୍ତାକାଲି ସୂର୍ଯ୍ୟ ଦର୍ଶନ ସହିତ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ଅନେକ ବାବା କାଲି ତ ଆଉ କିଛି ରାତିରୁ କୋଣାର୍କ ଯାଇଛନ୍ତି। ସୋମବାର ଭୋର୍‌ ୪ଟାରୁ ଖଣ୍ଡଗିରିସ୍ଥିତ ଆକାଶ ଗଙ୍ଗା, ଗୁପ୍ତଗଙ୍ଗା, ଲଳିତା କୁଣ୍ଡ, ଶ୍ୟାମାକୁଣ୍ଡ ଓ ରାଧାକୁଣ୍ଡରେ ବହୁ ବାବା ସ୍ନାନ କରିବେ। ମା’ ବାରଭୁଜାଙ୍କୁ ଅର୍ପଣ ପାଇଁ ସକାଳ ୫ଟାରୁ ଖଣ୍ଡ ଖିରି ତିଆରି ହେବ ଓ ମେଳା ଆରମ୍ଭ ହେବ। ୭ଟା ସୁଦ୍ଧା ଖଣ୍ଡଖିରି ଦେବୀଙ୍କୁ ଲାଗି ଦିଆଯିବା ପରେ ଭକ୍ତଙ୍କୁ ବଣ୍ଟନ କରାଯିବ। ପ୍ରାୟ ଦୁଇ ହଣ୍ଡା ଖଣ୍ଡ ଖିରି ପ୍ରତି ବର୍ଷ ପ୍ରସ୍ତୁତ ହୁଏ। ଖଣ୍ଡଗିରି ମେଳାରେ ଖଣ୍ଡ ଖିରିର ସର୍ବାଧିକ ଗୁରୁତ୍ବ ରହିଥିବା କହିଛନ୍ତି କମିଟି ଉପଦେଷ୍ଟା ଦୀନବନ୍ଧୁ ଜେନା।

ଆଜି ସକାଳ ୯ଟାରୁ ୧୦ଟା ସୁଦ୍ଧା ଯଜ୍ଞର ଅଙ୍କୁରୋପଣ ହେବ। ତା’ପରେ ବାବାମାନେ ଯଜ୍ଞ ପାଇଁ କୁଣ୍ଡ ବସାଇବା ସହିତ ପୂଜା କାର୍ଯ୍ୟ କରିବେ। ବାରଭୁଜା ମନ୍ଦିର ସମ୍ମୁଖରେ ମାନସ ପାରାୟଣ ହେବ। ପରଦିନ ଜାଗମରା ପୋଖରୀରେ କଳସ ଯାତ୍ରା ହେବା ସହିତ ଯଜ୍ଞ ଆରମ୍ଭ ହେବ। କୋଭିଡ୍‌ କଟକଣା ଯୋଗୁଁ ଯାତ୍ରା ହୋଇ ପାରିବ ନାହିଁ। ସେହିଭଳି ଚଳିତ ବର୍ଷ ରାମଚରିତ ମାନସ ଆୟୋଜନ ନେଇ ଅନିଶ୍ଚିତତା ରହିଛି। ମେଳାକୁ ନେଇ ବିଏମ୍‌ସିର ଆଭିମୁଖ୍ୟ ଓ ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ କର୍ପୋରେଟର ରଘୁ ମହାନ୍ତି। ସେ କହିଛନ୍ତି, ଖଣ୍ଡଗିରି ମେଳା କୌଣସି ଗାଁ ମେଳା ନୁହେଁ। ଏହା କିଭଳି ଶୃଙ୍ଖଳାର ସହ ଆୟୋଜନ ହୋଇପାରିବ, ଏହାର ଦାୟିତ୍ବ ସ୍ଥାନୀୟ ଜନପ୍ରତିନିଧିଙ୍କର ରହିଛି। ମାତ୍ର ଏଥିପ୍ରତି ଆଖି ବୁଜି ଦିଆଯାଇଛି। ରାଜ୍ୟ ବାହାରୁ ବାବାମାନେ ଆସୁଛନ୍ତି। ମାତ୍ର ସେମାନଙ୍କ ପାଇଁ ପାଣି ଓ ବିଜୁଳିର ନ୍ୟୁନତମ ସୁବିଧା ନକରିବା ଦୁର୍ଭାଗ୍ୟଜନକ। ଏଣେ ଅନନ୍ତ କେଶରୀ ଏବଂ ରାଣୀହଂସପୁରରେ ମଧ୍ୟ ଯାତ୍ରା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଚଳିତ ବର୍ଷ ଏହି ଯାତ୍ରା ପାଇଁ ୫ ଲକ୍ଷ ବଜେଟ ଅଟକଳ ରହିଛି। ଅନନ୍ତକେଶରୀ ଏହା ଦେଇ ଥାଆନ୍ତି ଓ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ ମିଳିନଥାଏ।

ସମ୍ବନ୍ଧିତ ଖବର