ମ୍ୟାଜିକ୍‌ ଅଫ୍‌ ମଙ୍ଗଳାଯୋଡ଼ି ଉଦ୍‌ଯାପିତ

ଭୁବନେଶ୍ୱର: ମଙ୍ଗଳାଯୋଡ଼ିର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଖାରବେଳନଗରସ୍ଥିତ ଲଳିତ କଳା ଏକା‌ଡେମି ପରିସରରେ ଆୟୋଜିତ ‘ମ୍ୟାଜିକ୍‌ ଅଫ୍ ମଙ୍ଗଳାଯୋଡ଼ି’ ଶୀର୍ଷକ ଫଟୋ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଛି। ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ସପ୍ତାହେ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରଦର୍ଶନୀରେ ପ୍ରତ୍ୟହ ହଜାର ହଜାର ପ୍ରକୃତିପ୍ରେମୀ ଯୋଗ ଦେଇଥିଲେ। ସଙ୍ଗ୍‌ ଅଫ୍‌ ଦି ୱାଇଲ୍ଡର ମୁଖ୍ୟ ତଥା ବିଶିଷ୍ଟ ବନ୍ୟପ୍ରାଣୀ ଫଟୋଗ୍ରାଫର୍‌ ଅବିନାଶ ଖେମକାଙ୍କ ୮୭ ଫଟୋକୁ ନେଇ ଆୟୋଜିତ ଏହି ପ୍ରଦର୍ଶନୀକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଛି। ଉଦ୍‌ଯାପନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମହାଡାକପାଳ ସନ୍ତୋଷ କାମିଲା, ପର୍ଯ୍ୟଟନ ସଚିବ ବିଶାଳ ଦେବ, ବିଶିଷ୍ଟ ପକ୍ଷୀତତ୍ତ୍ୱ ବିଶେଷଜ୍ଞ ବିକ୍ରମ ଗ୍ରେୱାଲ ପ୍ରମୁଖ ଯୋଗଦେଇ ଏଭଳି ଏକ ଆୟୋଜନକୁ ପ୍ରଶଂସା କରିଛନ୍ତି। ଭାରତବର୍ଷରେ ପ୍ରଥମଥର ପାଇଁ ଏହି ଫଟୋଗୁଡ଼ିକ ଧାତବ ପରଦା ଉପରେ ଛପା ଯାଇଥିଲା। କେବଳ ରାଜ୍ୟ କିମ୍ବା ଦେଶ ନୁହେଁ, ବରଂ ଦେଶ ବାହାରୁ ମଧ୍ୟ ପରିବେଶପ୍ରେମୀ ଏହାକୁ ଉପଭୋଗ କରିଛନ୍ତି। ବିଶ୍ବକପ୍‌ ହକି ସମୟରେ ସମାନ୍ତରାଳ ଭାବେ ଏହି କାର୍ଯ୍ୟକ୍ରମ ଚାଲିଥିବାରୁ ଏଠାରେ ହକି ଦର୍ଶକଙ୍କର ମଧ୍ୟ ଭିଡ଼ ବେଶ୍‌ ଜମିଥିଲା। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ତିନୋଟି ଶିଶୁଯତ୍ନ ଅନୁଷ୍ଠାନରୁ ମଧ୍ୟ ଅନ୍ତେବାସୀ ଆସିଥିଲେ। ‌କୌଟିଲ୍ୟ ରେସିଡେନ୍‌ସିଆଲ ଇଣ୍ଟିଗ୍ରେଟେଡ୍‌ ଷ୍ଟଡି ସେଣ୍ଟରରୁ ୨୫ଜଣ ଛାତ୍ରଛାତ୍ରୀ ଏଠାକୁ ପରିଦର୍ଶନ କରିଥିଲେ। ସେମାନଙ୍କୁ ଅବିନାଶଙ୍କ ସମେତ ଅନୁଷ୍ଠାନର ପ୍ରତିଷ୍ଠାତା ଟ୍ରଷ୍ଟି ପଞ୍ଚମୀ ମାନୁ ଉକିଲ ପରିବେଶ ସମ୍ବନ୍ଧରେ ବୁଝାଇଥି‌ଲେ। ଗତ ୨୦୧୧ ମସିହାରୁ ୭ବର୍ଷ ଧରି ଅବିନାଶ ଏଠାରେ ଫଟୋ ଉଠାଇବା ପରେ ଏହି ପ୍ରଦର୍ଶନୀ ପାଇଁ ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର