ମ୍ୟାଜିକ ଅଫ୍‌ ମଙ୍ଗଳା‌ଯୋଡ଼ି ଫଟୋ ପ୍ରଦର୍ଶନୀ, ଫଟୋରେ ପରିବେଶ ସଂରକ୍ଷଣର କଥା

ଭୁବନେଶ୍ବର: ଡେଣା ଝାଡ଼ି ଉଡ଼ି ଯାଉଥିବା ଲକ୍ଷ ଲକ୍ଷ ପକ୍ଷୀ, ଆଖି ଲାଖିଗଲା ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ ପାଇଥିବା ସମସ୍ତ ୮୭ ଫଟୋ ଦର୍ଶକଙ୍କୁ କିଛି କ୍ଷଣ ଅଟକାଇ ଦେଉଥିଲା। କ୍ୟାମେରାର ଲେନ୍‌ସ୍‌ରେ ଉତ୍ତୋଳନ ମଙ୍ଗଳାଯୋଡ଼ିର ଏହି ସବୁ ଫଟୋକୁ ନେଇ ରାଷ୍ଟ୍ରୀୟ ଲଳିତ କଳା ଏକାଡେମିର ଆଞ୍ଚଳିକ କେନ୍ଦ୍ରରେ ଆଜି ଉଦ୍‌ଘାଟିତ ହୋଇଥିଲା ଫଟୋ ପ୍ରଦର୍ଶନୀ ‘ଦି ମ୍ୟାଜିକ୍‌ ଅଫ୍ ମଙ୍ଗଳାଯୋଡ଼ି’। ସହରିଆଙ୍କୁ ପ୍ରକୃତି ସହ ଯୋଡ଼ିବା ଏବଂ ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ ପାଲଟିଥିବା ଏହି ସ୍ଥାନକୁ ସଂରକ୍ଷିତ କରିବାର ପ୍ରୟାସ କରିଛି ‘ସଙ୍ଗ୍‌ ଅଫ୍‌ ଦ ୱାଇଲ୍ଡ’।  ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଭିନାଶ ଖେମ୍‌କାଙ୍କ ୮୭ଟି ଫଟୋ ସ୍ଥାନ ପାଇଛି। ଦୀର୍ଘ ୬ ବର୍ଷ ଧରି ମଙ୍ଗଳାଯୋଡ଼ିକୁ ବାରମ୍ବାର ପରିଭ୍ରମଣ କରି ଭିନ୍ନ ଭିନ୍ନ ଦିଗରୁ ଅନୁଧ୍ୟାନ କରି ସେ ଉଠାଇଥିବା ୧୦ ହଜାର ଫଟୋଗ୍ରାଫ୍‌ର ବଛା ବଛା ୮୭ଟି ଫଟୋକୁ ପ୍ରଦର୍ଶନୀରେ ସ୍ଥାନ ଦିଆଯାଇଛି। ଫଟୋଗୁଡ଼ିକ ଏତେ ଜୀବନ୍ତ ହୋଇଛି ଯେ ପ୍ରଦର୍ଶନୀକୁ ବୁଲିବା ପରେ ଜଣେ ଦର୍ଶକ ମଙ୍ଗଳାଯୋଡ଼ିର ସୌନ୍ଦର୍ଯ୍ୟକୁ ନିକଟରୁ ଉପଭୋଗ କରିବାକୁ ନିଶ୍ଚିତ ଚାହିଁବ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଏହି ଫଟୋ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ତେବେ ଚିଲିକା ଭଳି ମଙ୍ଗଳା‌ଯୋଡ଼ିକୁ ଶୀତ ଦିନେ ଲକ୍ଷ ଲକ୍ଷ ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ତାହା ଏବେ ବି କଟକ ଓ ଭୁବନେଶ୍ବର ଲୋକଙ୍କୁ ଅଜଣା। ତେବେ ଏହାର ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରିବା ତଥା ଅଧିକ ପର୍ଯ୍ୟଟକଙ୍କୁ ମଙ୍ଗଳାଯୋଡ଼ିକୁ ଟାଣିବା ନେଇ ‘ସଙ୍ଗ୍‌ ଅଫ୍‌ ଦ ୱାଇଲ୍ଡ’ ଅନୁଷ୍ଠାନର ଏହି ପ୍ରୟାସକୁ ଦେଖି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏଭଳି ନିଆରା ପ୍ରୟାସ ଜାରି ରଖିବାକୁ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଛନ୍ତି। ଏହି ସ୍ଥାନକୁ ସଂରକ୍ଷିତ କରିବା ତଥା ପର୍ଯ୍ୟଟକଙ୍କ ଆଗମନକୁ ବଢ଼ାଇ‌ବାରେ ଏଭଳି ପ୍ରଦର୍ଶନୀ ବହୁ ଉପାଦେୟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ, ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା ଓ ଲେଖକ ବିକ୍ରମ ଗ୍ରେୱାଲ ପ୍ରମୁଖ ଯୋଗ ‌ଦେଇଥିଲେ। ‘ସଙ୍ଗ୍‌ ଅଫ୍‌ ଦ ୱାଇଲ୍ଡ’ର ଅନ୍ୟତମ ପ୍ରତିଷ୍ଠାତା ପଞ୍ଚମୀ ମନୁଉକିଲ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଦର୍ଶନୀ ଆସନ୍ତା ୧୩ ତାରିଖ ଯାଏଁ ଚାଲିବ।

ସମ୍ବନ୍ଧିତ ଖବର