ମ୍ୟାଜିକ ପେନ୍‌ରେ ଠକେଇ, ପୁଲିସର ତଦନ୍ତ ଆରମ୍ଭ

ଭୁବନେଶ୍ବର: ମ୍ୟାଜିକ ପେନ୍‌ ମାଧ୍ୟମରେ ଜଗନ୍ନାଥ ଗ୍ରାଫିକ୍ସ ମାଲିକ ରଂଜନ କୁମାର ମଲ୍ଲଙ୍କ ୧.୫ ଲକ୍ଷ ଟଙ୍କା ଠକେଇ ଘଟଣାର ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ଏହା ନୂଆ ପ୍ରକାର ଠକେଇ ହୋଇଥିବାରୁ ନିଜେ ଇନ୍ସପେକ୍ଟର ଦୟାନିଧି ନାୟକ ଘଟଣାର ତଦନ୍ତଭାର ନେଇଛନ୍ତି। ଆଜି ଇନ୍ସପେକ୍ଟର ଶ୍ରୀ ନାୟକ ଓ ତାଙ୍କ ଟିମ୍ ବମିଖାଲ ଛକରେ ଥିବା ଆଇଡିବିଆଇ ବ୍ୟାଙ୍କ ଓ ବାଣୀବିହାର ସତସଙ୍ଗ ମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆୟକର କାର୍ଯ୍ୟାଳୟକୁ ଯାଇ ଛାନଭିନ ଆରମ୍ଭ କରିଛନ୍ତି। ପୁଲିସ ଆଇଡିବିଆଇ ବ୍ୟାଙ୍କରେ ଲାଗିଥିବା ସିସିଟିଭି ମଗାଇବା ସହିତ ଠକର ପ୍ୟାନକାର୍ଡ ଯାଞ୍ଚ କରିଛି। ସେ ଜଣେ ପେସାଦାର ଠକ ବୋଲି ପୁଲିସ ଜାଣିବାକୁ ପାଇଛି। ସେମାନଙ୍କର ଏକ ଗ୍ୟାଙ୍ଗ ଏବେ ଭୁବନେଶ୍ବରରେ ଡେରା ପକାଇଛି। ସେମାନେ ଋଣ ଦେବା ନାଁରେ କାଗଜପତ୍ର ସଂଗ୍ରହ କରିବା ସହିତ କ୍ୟାନସେଲ ଚେକ୍ ନେଉଛନ୍ତି। ଯେଉଁ ଚେକ୍‌ରେ ସେମାନେ ମ୍ୟାଜିକ ପେନ୍‌ରେ ଲେଖି ପରବର୍ତୀ ସମୟରେ ତାକୁ ଲିଭାଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଛନ୍ତି। ଏଭଳି ଅଭିଯୋଗ ଏବେ ରାଜଧାନୀରେ ବଢ଼ିବଢ଼ି ଚାଲିଛି। ଏଠାରେ ପ୍ରକାଶଥାଉକି ବମିଖାଲ ଛକରେ ଥିବା ଜଗନ୍ନାଥ ଗ୍ରାଫିକ୍ସ ମାଲିକ ରଂଜନ ମଲ୍ଲ ଏହି ଠକଙ୍କ ହାବୁଡରେ ପଡ଼ି ୧.୫ ଲକ୍ଷ ଟଙ୍କା ଠକେଇ ଶିକାର ହୋଇଛନ୍ତି।

ଆସାମରୁ ଅପରେସନ୍‌ ଆରମ୍ଭ
ଲକ୍ଷ୍ମୀସାଗର ଥାନା ପୁଲିସ ଏହି ମ୍ୟାଜିକ୍‌ ପେନ୍‌ ଠକେଇ ଘଟଣାର ତଦନ୍ତ ଆରମ୍ଭ କରିବା ପରେ ନୂଆ ନୂଆ ଦିଗ ପଦାକୁ ଆସିଛି। ଠକ ଜଣକ ତିନି ମାସ ତଳୁ ଏଭଳି ଠକେଇ କରିଆସୁଛି। ପ୍ରଥମେ ଆସାମ ଓ ତା’ପରେ କୋଲ୍‌କତା ଏବଂ ଏବେ ଭୁବନେଶ୍ବରରେ ଠକେଇ ଆରମ୍ଭ କରିଛି। ପୁଲିିସ ଜବତ କରିଥିବା ପ୍ୟାନ୍‌କାର୍ଡ ଜେରକ୍ସ କପିରୁ ତା’ର ଠିକଣା ପଶ୍ଚିମବଙ୍ଗର ୨୪ପ୍ରଗଣା କାଚେରା ବଜାରରେ ବୋଲି ଜାଣିପାରିଛି। ଖୁବଶୀଘ୍ର କମିସନରେଟ୍‌ ପୁଲିସର ଏକ ଟିମ୍‌ ତଦନ୍ତ ପାଇଁ ପଶ୍ଚିମବଙ୍ଗ, ଆସାମ ଯିବାର ଯୋଜନା ରହିଛି।

ଆଉ ଜଣେ ମହିଳା ହେଲେ ଠକେଇର ଶିକାର ଆଜି ଖଣ୍ଡଗିରି ଥାନା ଅଧୀନ ଆଇଗିଣିଆରେ ଏଭଳି ସମାନ ଢଙ୍ଗରେ ୨୨ ହଜାର ଟଙ୍କା ଠକେଇ ହୋ‌ଇଛି। ରଶ୍ମିତା ରାଜୁ ନାମକ ଜଣେ ମହିଳାଙ୍କୁ ଜଣେ ଠକ ୨ ଲକ୍ଷ ଟଙ୍କା ଋଣ କରାଇ ଦେବାକୁ କହିଥିଲା। କଥାବାର୍ତା ମୁତାବକ ଗୁରୁବାର ଠକ ଜଣ ରଶ୍ମିତାଙ୍କ ପାଖରେ ପହହଞ୍ଚି ସମାନ ଢଙ୍ଗରେ ଆଧାର କାର୍ଡ, ପାନ‌୍କାର୍ଡ ଆଦି ନେବା ସହିତ ଏକ କ୍ୟାନ୍‌ସେଲ ଚେକ ଦେବାକୁ କହିଥିଲା। ରଶ୍ମିତା ମଧ୍ୟ ୪ଟି କ୍ୟାନ୍‌ସେଲ୍‌ ଚେକ ଧରାଇଥିଲେ। ଋଣ ପାଇଁ କୋର୍ଟ ଆଫିଡେଭିଟ୍‌ ଦରକାର ବୋଲି ଠକ ଜଣକ କହି ସେଠାରୁ ଚାଲିଯାଇଥିଲା। ଏହାର କିଛି ସମୟ ପରେ ରଶ୍ମିତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୨ ହଜାର ଟଙ୍କା ଉଠି ଯାଇଥିବା ନେଇ ଏକ ଏସ୍‌ଏମ୍ଏସ୍ ଆସିଥିଲା। ଏ ନେଇ ରଶ୍ମିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସତର୍କ ରହିବାକୁ ପରାମର୍ଶ ଦେଲେ ପୁଲିସ କମିସନର୍‌
ମ୍ୟାଜିକ ପେନ୍ ମାଧ୍ୟମରେ ରାଜଧାନୀ‌ରେ ଠକେଇ ଘଟଣା ସାମନାକୁ ଆସିବା ପରେ ପୁଲିସ କମିସନର୍ ସତ୍ୟଜିତ ମହାନ୍ତି ଜନସାଧାରଣଙ୍କୁ କେତେକ ପରାମର୍ଶ ଦେଇଛନ୍ତି। କହିଛନ୍ତି କୌଣସି ଅଜଣା ବ୍ୟକ୍ତି ଋଣ କରାଇ ଦେବାକୁ କହିଥିଲେ ପ୍ରଥମେ ତାଙ୍କୁ ଆଦୌ ବିଶ୍ବାସ କରନ୍ତୁ ନାହିଁ। ସେମାନଙ୍କ ସହିତ ଆପଣଙ୍କର କୌଣସି ଅଧାରକାର୍ଡ, ପ୍ୟାନ୍‌କାର୍ଡ, ଏଟିଏମ ନମ୍ବର ସେୟାର କରନ୍ତୁ ନାହିଁ। ଏପରିକି କୌଣସି ଅଜଣା ବ୍ୟକ୍ତିଙ୍କୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ କିଛି ବି ସୂଚନା ଦିଅନ୍ତୁ ନାହିଁ। ଚେକ୍ ଦେବାବେଳେ ନିଜ ପେନ୍‌ରେ ଚେକ୍‌ ପୂରଣ କରନ୍ତୁ। କେହି ଅଜଣା ବ୍ୟକ୍ତି ଋଣ କରାଇ ଦେବାକୁ କହି ଆପଣଙ୍କ ପାଖକୁ ଆସିଲେ ତାର ଫୋ‌ଟା ଉଠାଇବା ସହିତ, ସନ୍ଦେହ ହେଲେ ପୁଲିସକୁ ଖବର ଦିଅନ୍ତୁ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର