ଏକ ଚମତ୍କାର ଜ୍ଞାନ ଜଣକୁ ସଫଳ ଉଦ୍ୟୋଗୀ କରିପାରିବ

କୃଷି ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଦ୍ୱିବାର୍ଷିକ ଉତ୍ସବ

ଭୁବନେଶ୍ୱର: ଓୟୁଏଟି ଅଧୀନସ୍ଥ କୃଷି ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଦ୍ୱିବାର୍ଷିକ ସାଧାରଣ ସଭା ଓୟୁଏଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଖ୍ୟ ଅଧିବେଶନରେ ନାଲ୍‌କୋର ମୁଖ୍ୟ ପରିଚାଳନା ନିର୍ଦେଶକ ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଶ୍ରୀ ଚାନ୍ଦ କହିଲେ, ସମାଜକୁ ସଂପ୍ରତି ନବପ୍ରବର୍ତକଙ୍କ ଆବଶ୍ୟକତା ରହିଛି। ସେ ନୂଆ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିି କହିଥିଲେ, ଯେ କେବଳ ଚାକିରି ପଛରେ ନ ଧାଇଁ କୃଷି ଉଦ୍ୟୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ। ସବୁ ଉଦ୍ୟୋଗ ପାଇଁ ପୁଞ୍ଜିର ଆବଶ୍ୟକତା ନଥାଏ। ବରଂ ଗୋଟିଏ ଚମତ୍କାର ଜ୍ଞାନ (ସୁପର ଆଇଡିଆ) ଜଣଙ୍କୁ ସଫଳ ଉଦ୍ୟୋଗୀ ଭାବେ ପ୍ରତିଷ୍ଠା ଦେଇପାରିବ। ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏକଦା ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ପରିଗଣିତ ହେଉଥିଲେ। ତେଣୁ ଛାତ୍ରଛାତ୍ରୀ ସଫଳ ହେଲେ ଅନୁଷ୍ଠାନର ସମ୍ମାନ ବଢ଼ିବ ଏବଂ ବିଶ୍ୱବିଦ୍ୟାଳୟର ଗାରିମା ବଢ଼ିବ। ମାତ୍ର ଏବେ ଛାତ୍ରଛାତ୍ରୀମାନେ ଯେନତେନ ସରକାରୀ ଚାକିରିଟିଏ କରିବା ବଡ଼ କଥା ବୋଲି ଭାବୁଛନ୍ତି। ଉଦ୍ୟୋଗକୁ ଯେତିକି ସମ୍ମାନ ଦେବା କଥା ସେତିକି ଦିଆ ଯାଇନାହିଁ। ତେଣୁ ବିଶ୍ୱବିଦ୍ୟାଳୟ ଏହିଭଳି ସଫଳ ଉଦ୍ୟୋଗପତି ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁ ବୋଲି ସେ କହିଥିଲେ। ପ୍ରଫେସର ପଶୁପାଳକ ମଧ୍ୟ ଗବେଷଣା ସମ୍ବନ୍ଧୀୟ ବକ୍ତବ୍ୟ ରଖି ଉତ୍ସାହିତ କରିଥିଲେ। ଏହି ଅବସରରେ ଓୟୁଏଟି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଶୁପାଳକ, ଇଡିର ଯୁଗ୍ମ ନିର୍ଦେଶକ ମାଧବ ମିଶ୍ର, ଓୟୁଏଟିର ପୂର୍ବତନ ଡିନ୍‌ ବ୍ରଜସୁନ୍ଦର ପଣ୍ଡା, ହର୍ଟିକଲ୍‌ଚରର ପୂର୍ବତନ ନିର୍ଦେଶକ ଦେବେଶ ପ୍ରସାଦ ପାଢ଼ୀ, ଲେଖକ ଓ ସ୍ତମ୍ଭକାର ନଟବର ଖୁଣ୍ଟିଆ, ସିମ୍ବୋସିସ୍‌ (ବାଙ୍ଗାଲୋର)ର ନିର୍ଦେଶକ ରାଜେଶ ପଣ୍ଡା, ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ରମେଶ ଚନ୍ଦ୍ର ପଣ୍ଡା, ମୁଖ୍ୟ ଭିଜିଲାନ୍‌ସ ଅଧିକାରୀ ସୁରେଶ କୁମାର ପରିଡ଼ା, କୃଷି ମହାବିଦ୍ୟାଳୟର ପୂର୍ବତନ ଡିନ୍‌ ନିରୋଦ କୁମାର ଧଳ, ଅର୍ବାନ୍‌ ପ୍ଲାନିଂର ସ୍ୱତନ୍ତ୍ର ସଚିବ ପ୍ରେମ ଝା’ଙ୍କୁ ସମ୍ମାନିତ କରାଯାଇଥିଲା। ପରେ ମହାବିଦ୍ୟାଳୟର ସ୍ମରଣିକା ଉନ୍ମୋଚିତ କରାଯାଇଥିଲା। ପ୍ରାରମ୍ଭରେ ସଂଘର ସଭାପତି ଡ.ଲଳିତ ମୋହନ ଗଡ଼ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଡ.ସରୋଜ କୁମାର ମହାନ୍ତି ଅତିଥି ପରିଚୟ ଦେଇଥିଲେ। ସାଧାରଣ ସମ୍ପାଦକ ଡ.ଶାରଦା ପ୍ରସନ୍ନ ମହାନ୍ତି ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଡ.ବସନ୍ତ କୁମାର ବଡ଼ୁ ଧନ୍ୟବାଦ ଅର୍ପଣ କରିଥିଲେ ପୂର୍ବାହ୍‌ଣରେ ସ୍ୱାସ୍ଥ୍ୟ ଶିବିର ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର