ପୁରୁଣା ଭୁବନେଶ୍ୱର : ଦିନତମାମ ଲାଗିଥିଲା ଛାଇ ଆଲୁଅର ଖେଳ। ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କୁ ଛାଇ କ୍ଷଣେ ଆଶ୍ବସ୍ତି ଦେଉଥିଲା ବେଳେ ପ୍ରଖର ତାତି ଅସ୍ତବ୍ୟସ୍ତ କରିଦେଉଥିଲା। ତେବେ ସୋମବାର ଶିବଙ୍କ ବାର ସାଙ୍ଗକୁ ଜାଗରର ଏହି ମହାର୍ଘ୍ୟ ଅବସରରେ ସମଗ୍ର ଏକାମ୍ର କ୍ଷେତ୍ର ଶିବମଗ୍ନ ହୋଇଥିଲା। ନାଗେଶ୍ୱର, ଯମେଶ୍ୱର, କୁକଟେଶ୍ୱର, ଖରାଖିଆ ବୈଦ୍ୟନାଥ, ଡାକରା ବିଭିଷଣେଶ୍ୱର, ତାଳେଶ୍ୱର, ମୈତ୍ରେଶ୍ୱର, ସିଦ୍ଧେଶ୍ୱର, ତୀର୍ଥେଶ୍ୱର, ଭାସ୍କରେଶ୍ୱର, ଚିନ୍ତାମଣିଶ୍ୱର, କେଦାରେଶ୍ୱର, ଉତ୍ତରେଶ୍ୱର ଓ ବେଲେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚନା କରିଥିଲେ।
ଭଜନରେ ଭିଜିଲା ବ୍ରହ୍ମେଶ୍ବର ପୀଠ
ବ୍ରହ୍ମେଶ୍ୱର ଦେବଙ୍କ ପୀଠରେ ରାତି ୧୦ଟା ପରେ ମହାଦୀପ ଉଠିଥିଲା। ‘ଲର୍ଡ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଟ ବୋର୍ଡ’ ଆୟୋଜିତ ଭଜନ ସମାରୋହରେ ମୁମ୍ୱାଇର କଣ୍ଠଶିଳ୍ପୀ ପାମେଲା ଜୈନ୍, ପ୍ରିୟଙ୍କା ମିତ୍ର ଓ ସାରିକା ସିଂହ, ଇରା ମହାନ୍ତି, କୁମାର ବାପି, ଶୈଳଭାମା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ଭୋର ସାଢ଼େ ୪ଟା ଓ ସନ୍ଧ୍ୟା ସାଢ଼େ ୬ଟାରୁ ସାହାଣମେଲା ଦର୍ଶନ ହୋଇଥିଲା। ପୂର୍ବତନ କର୍ପୋରେଟର ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ସଭ୍ୟ ମଳୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ଭଜନ କାର୍ଯ୍ୟକ୍ରମ ହୋଇଥିଲା। ମନ୍ଦିର ଟ୍ରଷ୍ଟି ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ବିଜେପି ନେତା ଅମିୟ ଦାଶ ଓ ବହୁ ମୁରବି ସାମିଲ୍ ହୋଇଥିଲେ। ମନ୍ଦିରର ସୁରକ୍ଷା ପାଇଁ ଟ୍ରଷ୍ଟ ପକ୍ଷରୁ ୧୧ଟି ସିସିଟିଭି କ୍ୟାମେରା ଲଗାଯାଇଥିଲା।
ମେଘେଶ୍ୱର ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ଟଙ୍କପାଣି ରୋଡ୍ ନିକଟ ଶ୍ରୀମେଘେଶ୍ବର ମନ୍ଦିରରେ ଜାଗର ଯାତ୍ରା ସହ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ଦିରର ପୂଜକ ଗଙ୍ଗାଧର ରଥଙ୍କ ସୂଚନା ମୁତାବକ ଭୋର ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ପରେ ସାହାଣମେଲା ଦର୍ଶନ ହୋଇଥିଲା। ରାତିରେ ମାଘସ୍ନାନ ପରେ ମହାଦୀପ ଉଠିଥିଲା।
ଭୀମେଶ୍ବର ମନ୍ଦିର
ଭୀମଟାଙ୍ଗିସ୍ଥିତ ଶ୍ରୀ ଭୀମେଶ୍ବର ମନ୍ଦିର ପରିସରରେ ରାତି ସାଢ଼େ ୧୦ଟା ପରେ ମହାଦୀପ ଉଠିଥିଲା। ମନ୍ଦିର ପରିଚାଳନା ସମିତିର ସଭାପତି ପୁରୁଷୋତ୍ତମ ସାହୁ, ଉପସଭାପତି ମାନସ ରଂଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ଲୋକନାଥ ମହାପାତ୍ର, ଶିବନାରାୟଣ ରାୟ ଓ ଅନ୍ୟ ସଭ୍ୟଙ୍କ ଉପସ୍ଥିତିରେ ଭକ୍ତଙ୍କୁ ପ୍ରସାଦ ପରସାଯାଇଥିଲା। ଭଜନ ସମାରୋହ ସହ କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା।
୧୦୮ କଳସ ପାଣି ଲାଗି ପରେ ଉଠିଲା ମହାଦୀପ
କପିଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଜାଗର ଅବସରରେ ମଣିକର୍ଣ୍ଣିକା ପୁଷ୍କରିଣୀରୁ ୧୦୮ କଳସ ପାଣି ଲାଗି ହେବା ପରେ ମହାଦୀପ ଉଠିଥିଲା। ଭଜନ ପରିବେଷଣ ସହ ଭକ୍ତଙ୍କ ପାଇଁ ଅବଢ଼ାର ବନ୍ଦୋବସ୍ତ କରାଯାଇଥିଲା।
ନୂଆପଲ୍ଲୀ ହରିଶଙ୍କର
ନୂଆପଲ୍ଲୀସ୍ଥିତ ହରିଶଙ୍କରଙ୍କ ଜାଗର ଯାତ୍ରା ଅବସରରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ ହୋଇଥିଲା। ରାତି ୧୧ଟା ପରେ ମହାଦୀପ ଉଠିଥିଲା। ସଭାପତି ନବକିଶୋର ବେହେରାଙ୍କ ତତ୍ତ୍ବାବଧାନରେ ବାସୁ ବେହେରା, ଜଗବନ୍ଧୁ ବେହେରା, ପ୍ରକାଶ ବେହେରା, ବିଷ୍ଣୁ ବେହେରାଙ୍କ ସମେତ ଗ୍ରାମବାସୀ ବୃନ୍ଦ ଏବଂ ଶ୍ରୀକୃଷ୍ଣ କ୍ଲବ୍ ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ।