ମହାଶିବରାତ୍ରି ପାଇଁ ସମନ୍ବୟ ବୈଠକ: ମନ୍ଦିର ସମ୍ମୁଖରେ ପଡ଼ିବ ଚେୟାର୍‌, ଜିଗ୍‌ଜାଗ ବାରିକେଡ୍‌ରେ ଯିବେ ଭକ୍ତ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ପାଇଁ ଆଜି ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଶୁଂ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରାଫିକ୍‍ ନିୟନ୍ତ୍ରଣ, ବିଏମ୍‌ସି, ଆର୍‌ ଆଣ୍ଡ ବି, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନଶୃଙ୍ଖଳା ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଏମ୍‌ସି ରାସ୍ତା ମରାମତି ଓ ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ବ୍ୟବସ୍ଥା କରିବା, ଯାତ୍ରାର ପୂର୍ବଦିନ ଓ ପରଦିନ ଯଥେଷ୍ଟ ଅଧିକ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବା ପାଇଁ କୁହାଯାଇଛି। ଜାଗର ପୂର୍ବ ଦିନ ଅଟୋମେଟିକ୍‌ ସଫେଇ ମେସିନ୍‌ ସାହାଯ୍ୟରେ ସଫେଇ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବିଏମ୍‍ସି ହସ୍ପିଟାଲରେ ବ୍ୟବସ୍ଥା କରିବାକୁ ବିଏମ୍‍ସି କତୃପକ୍ଷଙ୍କୁ କୁହାଯାଇଛି। ଅପରପକ୍ଷେ ଜାଗରଯାତ୍ରାରେ ଏକାମ୍ରକ୍ଷେତ୍ରକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହେବାକୁ ଥିବାରୁ ଉକ୍ତ ଦିନ ଓ ପରଦିନ ମୋ’ ବସ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଛି।

ପିଡବ୍ଲ୍ୟୁଡି ପକ୍ଷରୁ ମନ୍ଦିର ସମ୍ମୁଖରେ ଚେୟାର ପକାଇ ଜିଗ୍‌ଜାଗ୍‌ ବ୍ୟାରିକେଡ୍‌ କରାଯିବ। ମନ୍ଦିର ପାଚେରି କଡ଼ରେ ଅସ୍ଥାୟୀ ବ୍ୟାରିକେଡ୍‌ ମଧ୍ୟ କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ଡାକରା ବିଭୀଷଣେଶ୍ବର ମନ୍ଦିର ନିକଟ ଓ ବଢ଼େଇବାଙ୍କ ଛକ ନିକଟରେ ଡ୍ରେନ୍‌ ମରାମତି ଓ ଅସ୍ଥାୟୀ ଜୋତାଷ୍ଟାଣ୍ଡ୍‌ କରିବା ପାଇଁ କୁହାଯାଇଛି। ମହାଶିବରାତ୍ରି ଦୁଇ ଦିନ ପୂର୍ବରୁ କାମ ଶେଷ କରିବାକୁ କୁହାଯାଇଛି। ସେହିପରି ୧୮ ତାରିଖ ସୁଦ୍ଧା ମନ୍ଦିର ସିଂହଦ୍ବାର ପିତଳ କବାଟ ସଫେଇ ସାରିବାକୁ ଏଏସ୍ଆଇକୁ ଦାୟିତ୍ବ ଦିଆଯାଇଛି। ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ପୁଲିସ ଉପସ୍ଥିତ ରହିବ। ମନ୍ଦିର ଭିତରେ ମହାଶିବରାତ୍ରି ଦିନ ୩୦ଜଣ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀ ଉପସ୍ଥିତ ରହି ସଫେଇ କରି‌ବେ ବୋଲି କୁହାଯାଇଛି। ମନ୍ଦିର ପରିସରରେ ଓ ବାହାରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ବିଭିନ୍ନ ସୂଚନା ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ପ୍ରଦାନ କରାଯିବ। ସେହିପରି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଛକରେ ପାଣିଟାଙ୍କି ରଖାଯିବ। ବିଏମ୍‌ସି ପକ୍ଷରୁ ମଧ୍ୟ ସ୍ଥାନେ ସ୍ଥାନେ ଶୁଦ୍ଧ ପିଇବା ପାଣି ରଖିବ। ଗାଡ଼ି ପାର୍କିଂ ପାଇଁ ଗଙ୍ଗା ଯମୁନା ନିକଟ, ବିଏମ୍‍ ହାଇସ୍କୁଲ ଓ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ପରିସରକୁ ସ୍ଥିର କରାଯାଇଛି। ସେହିପରି ଭଲ୍‌ବୋ ଲାଇଟ୍ ଲାଗିବା ପାଇଁ ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଏମ୍‌ସି ଅତିରିକ୍ତ କମିସନର୍‌, ଏଏସ୍‍ଆଇ ଭୁବନେଶ୍ୱର ସଂଗ୍ରହାଧିକ୍ଷକ, ଜିଲ୍ଲା ସୂଚନା ଅଧିକାରୀ, ଟ୍ରଷ୍ଟବୋର୍ଡର ସଭ୍ୟ ଓ ବହୁ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସେଲ୍‍ଫି ନେବାକୁ ମନା –ପୂର୍ବରୁ ମହାଶିବରାତ୍ରୀରେ ମହାଦୀପ ଉଠିବା ସମୟରେ ଜଣେ ସେବାୟତ ମହାଦୀପ ସହ ଉଠାଇଥିବା ସେଲ୍‍ଫିକୁ ନେଇ ଆଲୋଚନା କରାଯାଇଥିଲା। ତେବେ ଚଳିତ ବର୍ଷ ଯେପରି ଏହି ପରିସ୍ଥିତି ନଉପୁଜେ ସେଥିପାଇଁ ସମସ୍ତେ ଧ୍ୟାନ ଦିଆଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି ମହାଦୀପ ପ୍ରସ୍ତୁତି ହୋଇ ସାରିଲା ପରେ ଅମୁଣିଆ ଘିଅ ନଢ଼ାଲିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧିତ ଖବର