ଭକ୍ତିରେ ତଲ୍ଲୀନ ଏକାମ୍ର କ୍ଷେତ୍ର

ପୁରୁଣା ଭୁବନେଶ୍ୱର: ମହାଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ରର ବିଭିନ୍ନ ଶିବ ମନ୍ଦିରରୁ ଭାସି ଆସୁଥିଲା ପଞ୍ଚାକ୍ଷରୀ ମନ୍ତ୍ର। ମହାଦେବଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁମାନେ ହାତରେ ବିଭିନ୍ନ ଫୁଲ ସହ କେତକୀ, ବେଲ ପତ୍ର, କ୍ଷୀର, ଗଙ୍ଗାଜଳ ଆଦି ବିଭିନ୍ନ ନୈବେଦ୍ୟ ଧରି ମନ୍ଦିରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ସାଙ୍ଗକୁ ଏକାମ୍ର କ୍ଷେତ୍ରରେ ଥିବା ନାଗେଶ୍ୱର, ଯମେଶ୍ୱର, କୁକଟେଶ୍ୱର, ଖରାଖିଆ ବୈଦନାଥ, ବ୍ରହ୍ମେଶ୍ୱର, ଡାକରା ବିଭୀଷଣେଶ୍ୱର, ତାଳେଶ୍ୱର, ମୈତ୍ରେଶ୍ୱର, ସିଦ୍ଧେଶ୍ୱର, ମେଘେଶ୍ୱର, ତୀର୍ଥେଶ୍ୱର, ଭାସ୍କରେଶ୍ୱର, ଚିନ୍ତାମଣିଶ୍ୱର, କେଦାରେଶ୍ୱର, ଉତ୍ତରେଶ୍ୱର ଓ ବେଲେଶ୍ୱର ଆଦି ମନ୍ଦିରକୁ ଯାଇ ଶ୍ରଦ୍ଧାଳୁ ପୂଜାର୍ଚନା କରିଥିଲେ।

ବ୍ରହ୍ମେଶ୍ୱର ମନ୍ଦିର
ବ୍ରହ୍ମେଶ୍ୱରପାଟଣାରେ ମହାପ୍ରଭୁ ଶ୍ରୀବ୍ରହ୍ମେଶ୍ୱର ଦେବଙ୍କ ପୀଠରେ ମହାଶିବରାତ୍ରିରେ ଭକ୍ତଙ୍କ ଭିଡ଼ ଜମିଥିଲା। ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ମନ୍ଦିର ଚତୁପାର୍ଶ୍ୱରେ ବସି ରହି ଜାଗର ଦୀପ ଜାଳିବା ସହ ମହାଦୀପ ଦର୍ଶନ କରିଥିଲେ। ରାତି ୧୦ଟାରେ ଏଠାରେ ମହାଦୀପ ଉଠିଥିଲା। ପ୍ରତିବର୍ଷ ପରି ମହାଶିବରାତ୍ରି ଉପଲକ୍ଷେ ‘ଲର୍ଡ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଟ ବୋର୍ଡ’ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁମ୍ବାଇର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଭଜନ ସମ୍ରାଟ, ଅନୁପ ଜଲୋଟା, ସାରିକା ସିଂ, ଅନନ୍ୟା ଏବଂ ରାଜ୍ୟର ପ୍ରସିଦ୍ଧ କଣ୍ଠଶିଳ୍ପୀ ଇରା ମହାନ୍ତି, ଶୈଳଭାମା, ତପୁ ମିଶ୍ର, କୁମାର ବାପି, ପ୍ରତ୍ୟୁଷ କର, ଟି ସୌରୀ ପ୍ରମୁଖ ଆଦି ଭଜନ ପରିବେଷଣ କରିଥିଲେ। ସେମାନେ ମହାଦେବଙ୍କ ଗୋଟିଏ ପରେ ଗୋଟିଏ ଭଜନ ପରିବେଷଣ କରି ସ୍ଥାନୀୟ ଅଞ୍ଚଳ ଭକ୍ତିଭାବାମୟ କରି ଦେଇଥିଲେ। ମନ୍ଦିରର ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ତଥା ପୂର୍ବତନ କର୍ପୋରେଟର ମଳୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଏହି ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ୨୦ ହଜାର ଭକ୍ତଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ଚିନ୍ତାମଣିଶ୍ୱର ମନ୍ଦିର

ଜାଗର ଉତ୍ସବ ଅବସରରେ ଲକ୍ଷ୍ମୀସାଗର ସ୍ଥିତ ଚିନ୍ତାମଣିଶ୍ୱର ମନ୍ଦିରକୁ ମଧ୍ୟ ସହରର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା। ଗତକାଲି ରାତି ୨ଟା ୪୫ରୁ ଠାକୁରଙ୍କ ନୀତି ଆରମ୍ଭ କରାଯାଇଥିଲା। ଆଜି ୬ଟା ବେଳେ ସନ୍ଧ୍ୟା ଅଳତି, ରାତି ୮ଟା ୩୦ରେ ବେଢା ପରିକ୍ରମା ଓ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିଥିବା ସୂଚନା ମିଳିଛି। ସଭାପତି ହରେକୃଷ୍ଣ ମହାନ୍ତି ଓ ସମ୍ପାଦକ ଜିତେନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ପାଳନ କରାଯାଇଥିଲା।

ମେଘେଶ୍ୱର ମନ୍ଦିର
ଟଙ୍କପାଣି ରୋଡ୍‌ସ୍ଥିତ ମେଘେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଠାକୁରଙ୍କ ଦର୍ଶନ କରବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ସକାଳ ୩ଟା ୩୦ରୁ ମଙ୍ଗଳ ଆଳତୀ ସହ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ରାତି ପ୍ରାୟ ୧୦ଟା ୧୦ ମିନିଟ୍‌ରେ ମହାଦୀପ ଉଠିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। କିମିଟିର ସଭାପତି ତଥା ପୂର୍ବତନ କର୍ପୋରେଟର ଅଶୋକ ସିଂହ ଓ ସମ୍ପାଦକ ବାସୁଦେବ ଦାସଙ୍କ ନେତୃତ୍ୱର ଏହି ଉତ୍ସବ ପାଳିତ ହୋଇଥିଲା। ଦିଲ୍ଲୀପ କୁମାର ସ୍ୱାଇଁଙ୍କ ନିର୍ଦେଶନାରେ ରଙ୍ଗିଲା ଡ୍ୟାନ୍‌ସ ଗ୍ରୁପ୍‌ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥଲେ।

ଭୀମେଶ୍ୱର ମନ୍ଦିର
ଭୀମଟାଙ୍ଗିସ୍ଥିତ ମହାପ୍ରଭୁ ଶ୍ରୀଭୀମେଶ୍ୱ୍ଵର ମନ୍ଦିର ପରିସରରେ ମହାଶିବରାତ୍ରି ସନ୍ଧ୍ୟାରେ ଭିଡ଼ ଜମିଥିଲା। ରାତି ସାଢ଼େ ୧୦ଟାରେ ଏଠାରେ ମହାଦୀପ ଉଠିଥିଲା। ମନ୍ଦିର ପରିଚାଳନା ସମିତିିର ଉପସଭାପତି ମାନସ ରଞ୍ଜନ ପଟ୍ଟନାୟକ, ପଦ୍ମନାଭ ଷଡ଼ଙ୍ଗୀ, ଲୋକନାଥ ମହାପାତ୍ର ଓ ଶିବନାରାୟଣ ରାୟ ପ୍ରମୁଖଙ୍କ ଉପସ୍ଥିତିରେ ୫ହଜାର ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଏହି ଅବସରରେ ସମିତି ପକ୍ଷରୁ କଣ୍ଠଶିଳ୍ପୀମାନଙ୍କୁ ସମ୍ମାନିତ କରାଯାଇଛି।

ଭାସ୍କରେଶ୍ୱର ମନ୍ଦିର

ପବିତ୍ର ମହାଶିବରାତ୍ରି ଉତ୍ସବ ପାଇଁ ଭାସ୍କରେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଭୋର ୪ଟା ୩୦ରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତି ସମାପନ କରାଯାଇଥିଲା। ରାତି ୧୦ଟା ୧୫ ସୁଦ୍ଧା ମହାଦୀପ ଉଠିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି। ସୌରଭ ନାୟକ ଓ ସାଥୀ ଭଜନ ପରିବେଷଣ କରିଥିଲେ। ସଭାପତି ସଂଜୟ ଚୌଧୁରୀ, ଅମରଜ୍ୟୋତି ଜଗଦ୍ଦେବ ଓ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କପିଳେଶ୍ୱର ମନ୍ଦିର
କପିଳନାଥ ଦେବଙ୍କ ଦର୍ଶନ ପାଇଁ ଭୋରୁ ଲାଗିଥିଲା ଭକ୍ତଙ୍କ ଲମ୍ବା ଧାଡ଼ି। ରାତି ….ଟା ପୂର୍ବରୁ କପିଳେଶ୍ୱର ମନ୍ଦିର ନିକଟ ମଣିକର୍ଣ୍ଣିିକା ପୁଷ୍କରିଣୀରୁ ସେବାୟତମାନେ ୧୦୮ କଳସ ପାଣି ଲାଗି କରିଥିଲେ। ଏହା ପରେ କପିଳନାଥଙ୍କ ମନ୍ଦିରରେ ମହାଦୀପ ଉଠିଥିଲା। ଭକ୍ତମାନଙ୍କ ପାଇଁ ଅବଢ଼ା ବ୍ୟବସ୍ଥା ହେବା ସହ କୁମାର ଲୁଲୁ ଓ ସାଥୀଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା

ସମ୍ବନ୍ଧିତ ଖବର