ସରିଲା ମହାସ୍ନାନ: ଏବେ ଅଣସର ଘରେ ଶ୍ରୀଜିଉ, ଗଜାନନ ବେଶରେ ଦର୍ଶନ ଦେଲେ ମହା‌ପ୍ରଭୁ

ଭୁବନେଶ୍ବର: ଅତ୍ୟନ୍ତ ଗରମ, ଗୁଳୁଗୁଳି ଭିତରେ ମଣିଷ, ପଶୁପକ୍ଷୀ ଅସ୍ତବ୍ୟସ୍ତ ହେଉଥିବା ବେଳେ ରସିକନାଗର କାଳିଆ ଠାକୁର ନିଜ ମା‌ନବୀୟ ଲୀଳା ଆରମ୍ଭ କରିଦେଇଛନ୍ତି। ଏ ଗୁଳିଗୁଳି ଓ ତାତିରୁ ରକ୍ଷା ପାଇଁ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ମନଭରି ସ୍ନାନ କରିଛନ୍ତି। ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଭିଡ଼ରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଭାବବିହ୍ବଳ କରିଛନ୍ତି। ପୁଣି ସ୍ନାନବେଦୀରେ ଗଜାନନ ବେଶରେ ଦର୍ଶନ ଦେଇ ଭକ୍ତଙ୍କ ମନ ମୋହିଛନ୍ତି। ମହାପ୍ରଭୁ ଆଜି ଏତେ ଗାଧୋଇଛନ୍ତି ଯେ, ମାନବୀୟ ଲୀଳାଧାରୀ ପ୍ରଭୁଙ୍କୁ ଜ୍ବର ହୋଇଛି। ୧୫ ଦିନ ଯାଏ ମହାପ୍ରଭୁଙ୍କୁ ଏହି ଜ୍ବର ରହିବ। ପ୍ରଭୁ ଆଉ ଦର୍ଶନ ଦେବେନି। ଅଣସର ଘରେ ରହିବେ। ପ୍ରଭୁଙ୍କ ଉପଶମ ପାଇଁ ନିଇତି ବଇଦ ଖଞ୍ଜା ହେବେ।

ଏଥିସହ ମହାପ୍ରଭୁଙ୍କ ରଥଯାତ୍ରା ମହାପର୍ବର ଆଜି ଶୁଭଶଙ୍ଖ ବାଜିଛି। ଶ୍ରୀକ୍ଷେତ୍ର ପୁରୀ ଭଳି ରାଜଧାନୀରେ ମଧ୍ୟ ଆଜି ଦେଖିବାକୁ ମିଳିଥିଲା ସ୍ନାନ ପୂର୍ଣ୍ଣିମାର ଏହି ବିଶେଷ ଅବକାଶ। ରାଜଧାନୀର ଇସ୍କନ ମନ୍ଦିର ସମେତ କିଟ୍‌ର ଶ୍ରୀବାଣୀକ୍ଷେତ୍ର, ଜାଗମରାସ୍ଥିତ ଜଗନ୍ନାଥ ମନ୍ଦିର, ବାଲିଅନ୍ତା ବ୍ଲକ୍‌ ହୀରାପୁରସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠ ଓ ସୁନ୍ଦରପଦାର ଶ୍ରୀ ପତିତପାବନ ଦେବ ମନ୍ଦିରଠାରେ ଆଜି ସ୍ନାନଯାତ୍ରା ସମ୍ପନ୍ନ ହୋଇଛି।

ଆଜି ସକାଳେ ଘଣ୍ଟଘଣ୍ଟା, ହୁଳହୁଳି, ସ˚କୀର୍ତନ ଓ ଚାମର ଲାଗି ହୋଇ ଶ୍ରୀଜିଉ ବିଜେ କରିଥିଲେ ସ୍ନାନବେଦୀକୁ। ବେଦିରେ ବିଜେ ହେବା ପରେ ଯଥାରୀତି ଆରମ୍ଭ ହୋଇଯାଇଥିଲା ସ୍ନାନାଭିଷେକ। ପ୍ରଭୁ ୧୫ଦିନ ଅଣସରରେ ରହିବାକୁ ଥିବାରୁ ପ୍ରଭୁଙ୍କୁ ଥରେ ଆଖି ପୂରେଇ ଦେଖି ନେବା ପାଇଁ ଜଗନ୍ନାଥ ମନ୍ଦିରରେ ଲାଗିଥିଲା ଗହଳି ଚହଳି। କିଛି ସ୍ଥାନରେ ପ୍ରଭୁଙ୍କ ମନୋର˚ଜନ ପାଇଁ ଭଜନ ସମାରୋହ ଆୟୋଜିତ ହୋଇଥିଲା। ରାତିରେ ମହାପ୍ରଭୁ ଫେରିଥିଲେ ଅଣସର ଘରକୁ। ଶହ ଶହ ଭକ୍ତଙ୍କ ଉପସ୍ଥିତି ସତ୍ତ୍ବେ ଶ୍ରୀଜିଉଙ୍କ ଲେଉଟାଣି ପରେ ସେ ସ୍ଥାନ ଯେମିତି ଧୀରେଧୀରେ ନିରବି ଯାଉଥିଲା।

ଇସ୍କନରେ ଏକାଠି ହେଲେ ୨ ହଜାର ଭକ୍ତ

ଇସ୍କନ ପରିସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଚନ୍ଦନ ଯାତ୍ରା ପରେ ସ୍ନାନ ପୂର୍ଣ୍ଣିମା ଉତ୍ସବ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବ ଉପଲକ୍ଷେ ଇସ୍କନ ମନ୍ଦିର ଆଜି ଚଳଚଞ୍ଚଳ ହୋଇ ଉଠିଥିଲା। ଆଜି ସକାଳ ପ୍ରା‌ୟ ସାଢ଼େ ୯ଟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ଶୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କୁ ପହଣ୍ଡିରେ ସ୍ନାନ ମଣ୍ଡପକୁ ନିଆଯାଇଥିଲା। ପହଣ୍ଡ ସମୟରେ ମନ୍ଦିର ପ୍ରାୟ ୨ ହଜାର ଭକ୍ତଙ୍କ ଭିଡ଼ରେ ଉତ୍ସବ ମୁଖର ହୋଇପଡ଼ିଥିଲା। ଘଣ୍ଟଘଣ୍ଟା, କାହାଳୀ, ଭେରୀ-ତୁରୀ ବଜାଇ ମହାସଂକୀର୍ତନରେ ଶ୍ରୀଜୀଉମାନଙ୍କୁ ସ୍ନାନ ମଣ୍ଡପକୁ ନିଆଯାଇଥିଲା।

ସକାଳ ସାଢ଼େ ୧୦ଟାରେ ବିଭିନ୍ନ ତୀର୍ଥ‌କ୍ଷେତ୍ରରୁ ଅଣାଯାଇଥିବା ୧୦୮ କଳସୀ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନାଭିଷେକ କରାଯାଇଥିଲା‌। ଦିନ ସାଢ଼େ ୧୨ଟାରେ ଶ୍ରୀଜୀଉଙ୍କ ପାଖରେ ଭୋଗ ଲାଗି କରି ଶୃଙ୍ଗାର କରାଯାଇଥିଲା। ଦିବା ସାଢ଼େ ୧ଟାରେ ଶ୍ରୀଜୀଉଙ୍କ ପାଖରେ ଆଳତି କରାଯାଇ ଉପସ୍ଥିତ ଭକ୍ତମାନଙ୍କୁ ସ୍ନାନଯାତ୍ରାର ପ୍ରସାଦ ବିତରଣ କରାଯାଇଥିଲା। ରାତି ୯ଟାରେ ଶ୍ରୀ ଜୀଉମାନଙ୍କୁ ପହଣ୍ଡି କରି ଅଣସର ଗୃହରେ ବିଶ୍ରାମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଇସ୍କନର ସହସଭାପତି ଶ୍ରୀପାଦ ଉପେନ୍ଦ୍ର ମିଶ୍ର ଦାସ, ଶ୍ରୀପାଦ ପ୍ରେମାନନ୍ଦ ଦାସ, ସାତ୍ତ୍ବତପତି ଦାସ, ଉପସଭାପତି କାଶୀନାଥ ପଣ୍ଡିତ ଦାସ, ମଦନମୋହନ ଦାସ, ଶରତ ପୂର୍ଣ୍ଣିମା ଦାସ, ଶେଷସାୟୀ ଦାସ ଓ ବିଷ୍ଣୁ ଦାସ ପ୍ରମୁଖ ପରିଚାଳନ‌‌ା‌ କରିଥି‌ଲେ।

ମଧ୍ୟାହ୍ନରେ ମହାସ୍ନାନ କଲେ ଶ୍ରୀଜିଉ

ସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପାଇଁ ଜାଗମରାସ୍ଥିତ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଗହଳି ବେଶ୍ ଜମିଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରେ ଠାକୁରଙ୍କ ପହଣ୍ଡି ଯାତ୍ରା ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ୧୦୮ କଳସ ପବିତ୍ର ଜଳରେ ଚତୁର୍ଦ୍ଧାମୂର୍ତିଙ୍କ ମହାସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି ଅପରାହ୍ନ ୧ଟାରେ ମନ୍ଦିର ପରିସରରେ ଉପସ୍ଥିତ ରହି ଛେରାପହଁରା କରିଥିଲେ। ଅପରାହ୍ନ ୧ଟା ୨୦ ବେଳକୁ ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସମସ୍ତ ନୀତିକାନ୍ତି ସାରି ଠାକୁରଙ୍କୁ ଅଣସର ଘରକୁ ନିଆଯାଇଥିଲା।

ଏକାମ୍ର କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ବର ବଡ଼ଦାଣ୍ଡ ସାହିଠାରେ ଘୋଷଯାତ୍ରା କମିଟି ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ପାଳନ ଅବସରରେ ତିନି ଠାକୁରଙ୍କ ଗଜାନନ ବେଶ କରାଯାଇଥିଲା। ବିଧି ଅନୁସାରେ ବିନ୍ଦୁସାଗରରୁ ତୀର୍ଥ ଜଳ ଅଣାଯାଇଥିଲା ଓ ସେଥିରେ ଅଗୁରୁ, ଚନ୍ଦନ, ଭାସ୍କର, ମଲ୍ଲୀ ଫୁଲ ପକାଇ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ପିଲାମାନଙ୍କ ଦ୍ୱାରା ଠାକୁରଙ୍କୁ ଗଜବେଶରେ ସଜାଇ ପୂଜା କରାଯାଇଥିଲା। କିମିଟିର ସଭାପତି ଶକ୍ତି ପ୍ରସାଦ ସାହୁ, ସୁଶିଲ ପ୍ରହରାଜ, ଅମିତ ଶତପଥୀ ଓ ସଭ୍ୟମାନେ ପରିଚାଳନା କରିଥିଲେ।

ସେହିପରି ଜମ୍ବେଶ୍ବର ପାଟଣା ସାହିଠାରେ ପୁରୁଣା ଭୁବନେଶ୍ବର ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥିଲା। ତିନି ଠାକୁରଙ୍କୁ ବିଧି ମୁତାବକ ତୀର୍ଥ ଜଳରେ ସ୍ନାନ କରାଯାଇଥିଲା। ବସନ୍ତ ସମର୍ଥା ଏହି କାର୍ଯ୍ୟକ୍ରମ ପରିଚାଳନ‌ା କରିଥିଲେ। ଆଜି ସୁନ୍ଦରପଦା ଶ୍ରୀପତିତପାବନ ଦେବଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ‌ହୋଇଥିଲା। ୧୦୮ କଳସରେ ଅଣାଯାଇଥିବା ସୁବାସିତ ଜଳରେ ଠାକୁରଙ୍କୁ ସ୍ନାନ କରାଯିବା ପରେ ହାତୀ ବେଶ କରାଯାଇଥିଲା। ସ୍ଥାନୀୟ ବ୍ରାହ୍ମଣ ନିଯୋଗ, ଗ୍ରାମବାସୀ ଓ ବରିଷ୍ଠ ଉପଦେଷ୍ଟାଙ୍କ ଦ୍ବାରା ଏହା ପାଳିତ ହୋଇଥିଲା । ମନ୍ଦିର ପରିଚାଳନା ଟ୍ରଷ୍ଟି ମୁରଲୀ ମନୋହର ପାତ୍ର, ଜିତେନ୍ଦ୍ର ନନ୍ଦ, ସୁରେନ୍ଦ୍ର ପ୍ରଧାନ, କିରଣ ମହାପାତ୍ର, ବିଜୟ ସାହୁ, ନବୀନ ଜେନା, ଦୀପ୍ତି ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଭୀମଟାଙ୍ଗି ଶ୍ରୀଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିଲା। ସେବକମ‌ାନେ ଦେବଦେବୀଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଆଣିବା ପରେ ସେଠାରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଇଥିଲେ। ଏହାପରେ ହାତୀ ବେଶ କରାଯାଇଥିଲା।

ସମ୍ବନ୍ଧିତ ଖବର