ଭୁବନେଶ୍ବର: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଆଜି ଶେଷ ହୋଇଛି। ରାତି ପାହିଲେ ବାହୁଡ଼ା ଯାତ୍ରା। ଜନ୍ମବେଦିରୁ ଲୀଳାଖେଳା ସାରି ଦେଉଳକୁ ବାହୁଡ଼ିବେ ମଣିମା। ଆବେଗଭରା ନୟନରେ ଚାହିଁଛନ୍ତି ଶ୍ରଦ୍ଧାଳୁ। ଗୋଟେ ପଟେ ଶ୍ରୀଜିଉ ଶ୍ରୀମନ୍ଦିର ବାହୁଡିବା ପାଇଁ ରାଜଧାନୀରେ ପ୍ରସ୍ତୁତ ହେଉଥିବା ବେଳେ ଏପଟେ ଠାକୁରଙ୍କ ଏ ମାନବୀୟ ଲୀଳା ଦେଖିବାକୁ ଉତ୍ସାହିତ ଭୁବନେଶ୍ବରବାସୀ। ଇସ୍କନଠାରୁ ଆରମ୍ଭ କରି ଆର୍ସିଏମ୍, କିସ୍, ୟୁନିଟ୍-୮, ଗଣ୍ଡମୁଣ୍ଡା, ଧର୍ମବିହାର ଭଳି ଭୁବନେଶ୍ବର ପ୍ରାୟ ୬୦ଟି ସ୍ଥାନରେ ବାହୁଡ଼ାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଅନ୍ୟପଟେ ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥାଯାତ୍ରା ଅବସରରେ ଆସି ବିଭିନ୍ନ ମନ୍ଦିରରେ ବିରାଜମାନ କରିଥିବା ଶ୍ରୀଜିଉମାନଙ୍କ ଦର୍ଶନ ପିଁ ଆଜି ନବମୀ ଅବସରରେ ସକାଳୁ ରାତି ଯାଏ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। ମୁଖ୍ୟତଃ ନବମୀ ସନ୍ଧ୍ୟା ଆଳତି ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଜୟ ଶ୍ରୀଜଗନ୍ନାଥ ଧ୍ବନୀ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ଏଥିସହ ବିଭିନ୍ନସ୍ଥାନରେ ଭକ୍ତିସଙ୍ଗୀତ, ଭଜନ, କୀର୍ତ୍ତନ ଶ୍ରଦ୍ଧାଳୁଙ୍କୁ ବାନ୍ଧି ରଖିଥିଲା।
ଆସନ୍ତାକାଲି ଯାଥାରୀତି ପୂଜାର୍ଚ୍ଚନା, ବିଶ୍ବନିୟନ୍ତାଙ୍କ ପହଣ୍ଡି, ଛେରାପହଁରା ପରେ ରଥଟଣା ହେବ ଏବଂ ସନ୍ଧ୍ୟା ସୁଦ୍ଧା ତିନିରଥ ଇସ୍କନ ମନ୍ଦିରରେ ଲାଗିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ଅପରାହ୍ନରେ ଝାଡ଼େଶ୍ବରୀ ମନ୍ଦିରରୁ ୟୁନିଟ୍-୮ ଜଗନ୍ନାଥ ମନ୍ଦିର (ଓୟୁଏଟି)କୁ ଆସିବେ ମହାପ୍ରଭୁ। ସେହିପରି ତମାଣ୍ଡୋ ମେଳଣପଡ଼ିଆସ୍ଥିତ ମାଉସୀ ମା’ ମନ୍ଦିରରୁ ତମାଣ୍ଡୋ ଜଗନ୍ନାଥ ମନ୍ଦିରକୁ ଆସିବେ ଶ୍ରୀଜିଉ। ଏଠାରେ ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ଗ୍ରାମବାସୀମାନେ ଟାଣୁଥିବା ବେଳେ ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବେ।
ଖଣ୍ତଗିରି କୋଳଥିଆ ଚିଦାନନ୍ଦବିହାର ଜଗନ୍ନାଥ ମନ୍ଦିର, ଜାଗମରା ଧର୍ମବିହାର ଜଗନ୍ନାଥ ମନ୍ଦିର, କିସ୍ ଶ୍ରୀବାଣୀକ୍ଷେତ୍ର, ପଟିଆ, ଶୈଳଶ୍ରୀବିହାର, ବିଡିଏ କଲୋନି, ହାଉସିଂବୋର୍ଡ, ଆର୍ସିଏମ୍, ରେଳବିହାର, ଗାଡ଼କଣ, ରଙ୍ଗମାଟିଆ, ରେଲୱେ କଲୋନି, ଭିଏସ୍ଏସ୍ନଗର, ପୁରୁଣା ଭୁବନେଶ୍ବର, ଭୀମଟାଙ୍ଗି ଓ ସୁନ୍ଦରପଦା ଆଦି ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ମହାପ୍ରଭୁ ବାହୁଡ଼ିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସନ୍ଧ୍ୟାସୁଦ୍ଧା ସମସ୍ତ ରଥକୁ ମନ୍ଦିରରେ ପହଞ୍ଚାଇବା ପାଇଁ ଉଭୟ ମନ୍ଦିର ପ୍ରଶାସନ, ସେବାୟତ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।