ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦର୍ଶନ ଦେଇଛନ୍ତି ମର୍ତ୍ତ୍ୟବୈକୁଣ୍ଠର କ୍ଷେତ୍ରାଧିପତି। ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା କରିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡଗୋସାଇଁ। ଆତୁର ଭକ୍ତ ବି ମହାବାହୁଙ୍କ ଏହି ଅପୂର୍ବ ଲୀଳା ଓ ରୂପ ସଂଦର୍ଶନ କରି ଅଭିଭୂତ ହୋଇଛନ୍ତି। ଏହି ଦିବ୍ୟଦର୍ଶନ ପାଇ କୋଟି ଜନ୍ମର ପୁଣ୍ୟ ଲଭିଛନ୍ତି। ଏଥିପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଏଭଳି ଅପୂର୍ବ ସୁନାବେଶରେ ଦର୍ଶନ ପାଇ କୃତାର୍ଥ ହୋଇଛନ୍ତି। ଆଜି ମାନବଦେହୀ ଠାକୁରେ ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି।
ଇସ୍କନ
ଇସ୍କନ ମନ୍ଦିରରେ ତିନିଠାକୁରଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ସନ୍ଧ୍ୟା ୫ଟାରେ ତିନିଠାକୁର ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରୁପାର ଗହଣାରେ ସୁନା ପାଣି ଦିଆଯାଇଥିବା ଗହଣାଗୁଡ଼ିକ ଚକ୍ଚକ୍ କରୁଥିଲା। ମୁକୁଟ, ପାଦ, ହସ୍ତ, ସୁନା ଆୟୁଧ (ଚକ୍ର, ଗଦା, ବଳରାମଙ୍କ ମୂଷଳ) ସହ ତିନିଠାକୁରଙ୍କୁ ଅନେକ ଅଳଙ୍କାରରେ ସଜ୍ଜିତ କରାଯାଇଥିଲା। ତିନି ଠାକୁରଙ୍କ ହାର କେବଳ ସୁନାରେ ତିଆରି ହୋଇଥିଲା। ଯାହା ପାଖାପାଖି ଏକ କେଜିର ଥିଲା। ଦିନ ବେଳା ପାଖାପାଖି ୩ହଜାରରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶ୍ରୀବାଣୀକ୍ଷେତ୍ର
କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ସମ୍ପନ୍ନ ହୋଇଛି। ଆଜି ଠାକୁରଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଠାକୁରମାନଙ୍କୁ ସୁବର୍ଣ୍ଣ ଶ୍ରୀପୟର, ଶ୍ରୀଭୁଜ, ଶ୍ରୀକିରୀଟ, ସୂର୍ଯ୍ୟ, ଚନ୍ଦ୍ର, ମାଳି, ତିଳକ, ଚନ୍ଦ୍ରିକା, ଝୋବାକଣ୍ଠି ଓ ଆୟୁଦ୍ଧମାନ ଲାଗି କରାଯାଇଥିଲା। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କିଟ୍ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଅପରାହ୍ନରେ ମହାପ୍ରଭୁଙ୍କ ଏହି ମହାବେଶ ପରିବେଶକୁ ଆଧ୍ୟାତ୍ମିକମୟ କରି ତୋଳିଥିଲା। ଏହି ଅବସରରେ ଭଜନ ସମାରୋହ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଜାଗମରା ଜଗନ୍ନାଥ ମନ୍ଦିର
ଜାଗମରା ଜଗନ୍ନାଥ ମନ୍ଦିରରେ ସୁନାବେଶ ସହିତ ବଡ଼ ଏକାଦଶୀ ପଡ଼ୁଥିବାରୁ ଦିଅଁଙ୍କୁ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା। ସକାଳ ୬ଟାରେ ଦିଅଁଙ୍କର ପହଡ଼ ଖୋଲା ହୋଇ ମଙ୍ଗଳଆଳତି ହୋଇଥିଲା। ମଇଲମ, ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଭଳି ଦେବନୀତି ସମ୍ପନ୍ନ ହୋଇଥିଲା। ପୂଜାବିଧି ସମ୍ପନ୍ନ ପରେ ପ୍ରଭୁ ପାଟବସ୍ତ୍ର ପରିଧାନ କରିଥିଲେ। ଅପରାହ୍ଣ ୪ଟା ବେଳେ ଠାକୁରଙ୍କ ସୁନାବେଶର ସମସ୍ତ ନୀତିକାନ୍ତି ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ସୁନାବେଶରେ ଦର୍ଶନ ଦେଇଥିଲେ ତିନିଠାକୁର। ସୋମବାର ରାତି ୯ଟାରେ ଅଧରପଣା ନୀତି ହେବ।
ୟୁନିଟ-୮ ଜଗନ୍ନାଥ ମନ୍ଦିର
ୟୁନିଟ-୮ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଝାଡ଼େଶ୍ବରୀ ମନ୍ଦିରରୁ ଫେରିବା ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା। ଆଜି ସନ୍ଧ୍ୟାରେ ୬ଟାରେ ଠାକୁରଙ୍କ ବେଶ ସମ୍ପନ୍ନ ହୋଇଥିଲା। ପ୍ରାୟ ୫କେଜି ଓଜନର ସୁନାରେ ନିର୍ମିତ ବିଭିନ୍ନ ଆଭୂଷଣରେ ଠାକୁରଙ୍କୁ ବିମଣ୍ଡିତ କରାଯାଇଥିଲା। ମନ୍ଦିର କର୍ତ୍ତୃପକ୍ଷ ଓ ସ୍ବେଚ୍ଛାସେବୀଙ୍କ ସହଯୋଗରେ ସୁନାବେଶ ଦର୍ଶନକୁ ସୁରୁଖୁରୁରେ ନିୟନ୍ତ୍ରଣ କରାଯାଇଥିଲା। ଏକାମ୍ର ବିଧାୟକ ବାବୁ ସିଂ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଭଜନ ସନ୍ଧ୍ୟା ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
ଲବଣଗିରି
ଜଟଣୀ ବ୍ଲକ ଲବଣଗିରି ଠାରେ ସୁନାବେଶ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ ଆଭୂଷଣ ସଜ୍ଜିତ କରାଯାଇଥିଲା। ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ କିରୀଟ, ଘାଗଡ଼ାମାଳି, କାନଫୁଲ, କଦମ୍ବମାଳି, ଚନ୍ଦ୍ରସୂର୍ଯ୍ୟ ଆଦି ଅଳଙ୍କାରରେ ସଜ୍ଜା ଯାଇଥିବା ବେଳେ ଶ୍ରୀବଳଭଦ୍ର ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ କିରୀଟ, ଶ୍ରୀପୟର, ଶ୍ରୀଭୁଜ, କୁଣ୍ଡଳ, ଓଡ଼ିଆଣୀ, ହଳମୂଷକ, ତିଳକ, ଚନ୍ଦ୍ରିକା, ଶଙ୍ଖଚକ୍ର ଆଦି ଅଳଙ୍କାରରେ ଆଭୂଷିତ କରାଯାଇଥିଲା। ଆସନ୍ତାକାଲି ଅଧରପଣା ନୀତି ସରିବା ପରେ ଶ୍ରୀଜୀଉ ରତ୍ନ ସିଂହାସନକୁ ବିଜେ କରିବେ। ସନ୍ଧ୍ୟାରେ କମିଟି ପକ୍ଷରୁ ପ୍ରସାଦ ସେବନ ଏବଂ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଲବଣଗିରି
ଜଟଣୀ ବ୍ଲକ ଲବଣଗିରି ଠାରେ ସୁନାବେଶ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ ଆଭୂଷଣ ସଜ୍ଜିତ କରାଯାଇଥିଲା। ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ କିରୀଟ, ଘାଗଡ଼ାମାଳି, କାନଫୁଲ, କଦମ୍ବମାଳି, ଚନ୍ଦ୍ରସୂର୍ଯ୍ୟ ଆଦି ଅଳଙ୍କାରରେ ସଜ୍ଜା ଯାଇଥିବା ବେଳେ ଶ୍ରୀବଳଭଦ୍ର ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁବର୍ଣ୍ଣ କିରୀଟ, ଶ୍ରୀପୟର, ଶ୍ରୀଭୁଜ, କୁଣ୍ଡଳ, ଓଡ଼ିଆଣୀ, ହଳମୂଷକ, ତିଳକ, ଚନ୍ଦ୍ରିକା, ଶଙ୍ଖଚକ୍ର ଆଦି ଅଳଙ୍କାରରେ ଆଭୂଷିତ କରାଯାଇଥିଲା। ଆସନ୍ତାକାଲି ଅଧରପଣା ନୀତି ସରିବା ପରେ ଶ୍ରୀଜୀଉ ରତ୍ନ ସିଂହାସନକୁ ବିଜେ କରିବେ। ସନ୍ଧ୍ୟାରେ କମିଟି ପକ୍ଷରୁ ପ୍ରସାଦ ସେବନ ଏବଂ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ୟୁନିଟ-୫ ଜଗନ୍ନାଥ ମନ୍ଦିର
ୟୁନିଟ-୫ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହୋଇଛି। ବିଗ୍ରହମାନଙ୍କୁ ଅବିକଳ ସ୍ୱର୍ଣ୍ଣ ସଦୃଶ ଆଭୂଷଣରେ ସଜ୍ଜିତ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଭାବ ସାଗର ଭଜନ ସନ୍ଧ୍ୟା ଅନୁଷ୍ଠାନ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ଅଧରପଣା ନୀତି ଅନୁଷ୍ଠିତ ହେବ।