ରାତି ୧୦ଟାରେ ଉଠିବ ଲିଙ୍ଗରାଜ ମନ୍ଦିରରେ ମହାଦୀପ

ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସମନ୍ୱୟ ବୈଠକ, ଯୋଗ ଦେଲେନି ଦୁଇ ପ୍ରମୁଖ ନିଯୋଗ

ପୁରୁଣା ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ମହାଶିବରାତ୍ରି। ଶ୍ରୀଲିଙ୍ଗରାଜ ମନ୍ଦିରେ ଏହି ପର୍ବ ପାଇଁ ଆଜି ସ୍ଥାନୀୟ ସର୍କିଟ୍‌ ହାଉସ୍‌‌ରେ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗର ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯିବା ସହ ପରିମଳ, ଆଲୋକ ବ୍ୟବସ୍ଥା, ଟ୍ରାଫିକ୍‍ ନିୟନ୍ତ୍ରଣ, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଆଦି ବିଷୟ‌ରେ ବିସ୍ତୃତ ଆଲୋଚନା ହୋଇଥିଲା। ରାତି ୧୦ଟାରେ ମହାଦୀପ ଉଠିବା ନେଇ ଗତ ମନ୍ଦିର ଟ୍ରଷ୍ଟ‌ ବୋର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଏହି ବୈଠକରେ ମୋହର ମରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନା କରିଥିଲେ। ତେବେ ବୈଠକରେ ଦୁଇ ପ୍ରମୁଖ ନିଯୋଗର ପ୍ରତିନିଧି ଯୋଗ ନ ଦେବା ଆଲୋଚ୍ୟର ବିଷୟ ହୋଇଛି।

ଠିକଣା ସମୟରେ ମହାଦୀପ ଉଠିବା, ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନହେବ, ରାସ୍ତା ମରାମତି ଓ ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ବ୍ୟବସ୍ଥା ଯାତ୍ରାର ପୂର୍ବ ଓ ପରଦିନ ଯଥେଷ୍ଟ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ସେହିପରି ଏଏସ୍‌ଆଇ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ପରିଷ୍କାର କରାଯିବା ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ ବାନ୍ଧିବାକୁ କୁହାଯାଇଛି। ମନ୍ଦିର ଗର୍ଭଗୃହକୁ ପରିଷ୍କାର କରିବା ସହ ମନ୍ଦିରରେ ଲାଗିଥିବା ପିତ୍ତଳ କବାଟଗୁଡ଼ିକ ଏଏସ୍ଆଇ ସଫା କରିବ। ବିଏମ୍‍ସି ହସ୍ପିଟାଲରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ବିଏମ୍‍ସି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହେବାର ଥିବାରୁ ଏହାକୁ ଲକ୍ଷ୍ୟ ରଖି ଯିବାଆସିବା ସୁବିଧା ନିମନ୍ତେ ଯାତ୍ରା ଦିନ ଓ ପରଦିନ ମୋ’ ବସ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଛି।

ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ପ୍ରଦାନ କରାଯିବ। ସେହିପରି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଛକରେ ପାଣିଟାଙ୍କି ରଖାଯିବ। ବିଭିନ୍ନ ଗାଡ଼ି ମଟର ରଖିବା ପାଇଁ ପୁରୁଣା ଡାକବଙ୍ଗଳା ପରିସର ବିଏମ୍‍ ହାଇସ୍କୁଲ ଓ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟରେ ଯାନବାହାନ ରଖାଯିବା ପାଇଁ ସ୍ଥିର କରାଯାଇଛି। ମହାଶିବରାତ୍ରି ପୂର୍ବ ଦିନ ମନ୍ଦିର ଚାରିପାଖେ ମଶାଧୂଆଁ ଗାଡ଼ି ବୁଲିବ ଏବଂ ମନ୍ଦିରକୁ ଯିବା ବାଟରେ ଦୁଇପାର୍ଶ୍ବରେ ଛାମୁଣ୍ଡିଆ ହେବ ବୋଲି ନିଷ୍ପତ୍ତି ହୋଇଛି।

ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଟ୍ରଷ୍ଟି ଅବନୀ ପଟ୍ଟନାୟକ, ରୁଦ୍ର ପ୍ରସାଦ ନନ୍ଦ, ଏସିପି ଜୋନ୍‌-୨ ଅନିରୁଦ୍ଧ ରାଉତରାୟ, ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, କର୍ପୋରେଟର୍‌ ଚନ୍ଦ୍ରଶେଖର ମଲିଆ, ବିରଞ୍ଚି ନାରାୟଣ ମହାସୂପକାର, ଶିବପ୍ରସାଦ ବେହେରା, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ ବଟୁ, ସମ୍ପାଦକ କମଳା ବଟୁ, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା, ପ୍ରଦୀପ ପୃଷ୍ଟି ଓ ବିଭିନ୍ନ ସ୍ବେଚ୍ଛାସେବୀ ପ୍ରତିନିଧିମାନେ ସାମିଲ ହୋଇଥିଲେ।

ତୁଟିଲାନି ଭିଆଇପି ପାସ୍‌ ଦାୟିତ୍ବ

ମହାଶିବରାତ୍ରିରେ ମନ୍ଦିରକୁ ପ୍ରବେଶ ପାଇଁ ମନ୍ଦିର ପ୍ରଶାସନ ଓ ପୁଲିସ ଭାଗିଦାରୀରେ ଭିଆଇପି ପାସ୍‌ ବଣ୍ଟନ କରାଯାଏ। ବିଭିନ୍ନ ବିଭାଗୀୟ ଅଧିକାରୀ, ପୁଲିସ, ନିଯୋଗକୁ ପାସ୍‌ ବଣ୍ଟନ କରାଯାଏ। ତେବେ ଚଳିତ ବର୍ଷ ଏହି ପାସ୍‌ ବଣ୍ଟନ ଦାୟିତ୍ବକୁ ଉଭୟ ମନ୍ଦିର ପ୍ରଶାସନ ଓ ପୁଲିସ ମନା କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ମୋବାଇଲ ମନା

ପୂର୍ବ ବର୍ଷମାନଙ୍କରେ ମହାଦୀପ ସହ ସେଲ୍‍ଫି ଉଠାଇବାକୁ ନେଇ ଭକ୍ତମହଲରେ ଅସନ୍ତୋଷ ଦେଖାଦେଇଥିଲା। ତେବେ ଚଳିତ ବର୍ଷ ଯେପରି ଏହି ପରିସ୍ଥିତି ନ ଉପୁଜେ, ସେଥିପାଇଁ ଭକ୍ତମାନେ ମୋବାଇଲ୍‌ ବିନା ପ୍ରବେଶ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଏଥରକ ମୋବାଇଲ୍‌ ଷ୍ଟାଣ୍ଡ୍‌ ହେଉ ନଥିବାରୁ ଘରୁ ମୋବାଇଲ୍‌ ନ ଆଣିବାକୁ ନିବେଦନ କରାଯାଇଛି।

ଦୁଇ ନିଯୋଗକୁ ମନାଇବ ପ୍ରଶାସନ

ମହାଶିବରାତ୍ରିରେ ୪ ନିଯୋଗର ରହିଛି ପ୍ରମୁଖ କାର୍ଯ୍ୟ। ତେବେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ପ୍ରତିନିଧିମାନେ ଆଜିର ବୈଠକରେ ଯୋଗ ଦେଇନଥିବାରୁ ଜାଗରଯାତ୍ରାର ବହୁ ବିଷୟ ଆଲୋଚନା ହୋଇପାରିନଥିଲା। ସେମାନେ ଅସହଯୋଗ କଲେ ନୀତି ବିଭ୍ରାଟ କିମ୍ବା ବିଳମ୍ବ ହେବା ଆଶଙ୍କା ରହିଛି। ତେଣୁ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଦୁଇ ନିଯୋଗ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଇଛି।
ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡାଙ୍କ କହିବା ଅନୁଯାୟୀ, ବେବନ୍ଦୋବସ୍ତ ଜମିଗୁଡ଼ିକ ସେବାୟତଙ୍କ ନାମରୁ କଟି ଲିଙ୍ଗରାଜଙ୍କ ନାମରେ ହୋଇଛି। ଏ ସମସ୍ୟାର ସମାଧାନ କରାଯାଇନାହିଁ। ସେହିପରି ହାଣ୍ଡି ଭଙ୍ଗା ଯାତ ସମସ୍ୟା, ପବିତ୍ରାରୋପଣ ନୀତି ବିଭ୍ରାଟର ମଧ୍ୟ ସମାଧାନ ହୋଇନି। ଠାକୁରଙ୍କୁ ମିଳୁଥିବା ଭେଟ ଟଙ୍କା ପ୍ରଶାସନ ପାଖକୁ ଯାଉନାହିଁ। ଭିଆଇପି ଭକ୍ତଙ୍କୁ କିଏ ଦର୍ଶନ କରାଇବ, ତାହାର ବି ନିଷ୍ପତ୍ତି ‌ହୋଇନି। ମହାଶିବରାତ୍ରି ପୂର୍ବରୁ ପ୍ରତିବର୍ଷ ଏଭଳି ପ୍ରତିଶ୍ରୁତି ଦିଆଯାଉଛି।

ସମ୍ବନ୍ଧିତ ଖବର