ପୁରୁଣା ଭୁବନେଶ୍ୱର: ରାତି ପାହିଲେ ମହାଶିବରାତ୍ରି। ଚଳଚଞ୍ଚଳ ହୋଇଉଠିବ ଏକାମ୍ର କ୍ଷେତ୍ର। ଭକ୍ତିମୟ ପରିବେଶରେ ଉଛୁଳି ପଡ଼ିବ ଭାରତର ଅନ୍ୟତମ ଶୈବ ପୀଠ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ର। ଭକ୍ତ ଓ ଶ୍ରଦ୍ଧାଳୁ ପାଳିବେ ଜାଗର ବ୍ରତ। ଉପବାସ ଓ ଉଜାଗର ରହିବେ ବ୍ରତଧାରୀ। ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ ଏବଂ ଏହି ଦିବ୍ୟଦୃଶ୍ୟକୁ ଅବଲୋକନ କରିବାକୁ ଭକ୍ତମାନେ ଭାବ ଓ ଆବେଗର ସହ ଅପେକ୍ଷା କରିଛନ୍ତି। ଗୁରୁବାର ରାତି ୧ଟାରୁ ଭକ୍ତମାନେ ଲିଙ୍ଗରାଜ ଦର୍ଶନ ପାଇଁ ଧାଡ଼ି ବାନ୍ଧି ଅପେକ୍ଷା କଲେଣି। ଦିନତମାମ ମହାଦେବଙ୍କ ଦର୍ଶନ ଲାଗି ରହିବ ଏବଂ ସନ୍ଧ୍ୟାରୁ ଭଜନ ସମାରୋହ ସାଙ୍ଗକୁ ରାତିରେ ମହାଦୀପ ଦର୍ଶନ ପାଇଁ ଭିଡ଼ ହେବ। ଏଥିପାଇଁ ମନ୍ଦିର ପ୍ରଶାସନରୁ ଆରମ୍ଭ କରି ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି।
ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ନୀତି ନିର୍ଘଣ୍ଟ ନିର୍ଦ୍ଧାରଣ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ। ମହାଶିବରାତ୍ରି ପୂର୍ବ ରାତ୍ର ଅର୍ଥାତ୍ ଆଜି ରାତି ସାଢ଼େ ୨ଟାରୁ ମନ୍ଦିର ଦ୍ୱାର ଖୋଲିବ। ଭୋର୍ ୩ ଟାରୁ ସାଢ଼େ ୩ଟା ଭିତରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ରହିବ। ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ନିକଟକୁ ଯାଇ ଦର୍ଶନ କରିପାରିବେ। ସକାଳ ସାଢ଼େ ୬ଟାରେ ରୋଷ ହୋମ କରାଯିବ। ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରୁ ୧୨ଟା ୪୫ମଧ୍ୟରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ।
ଅପରାହ୍ଣ ସାଢ଼େ ୨ଟାରୁ ଶ୍ରୀଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ମଧ୍ୟରେ ପୁଣି ସାହାଣମେଲା ଦର୍ଶନ ହେବ। ଅପରାହ୍ଣ ୪ଟା ୪୫ରୁ ୫ଟା ୧୫ ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୪୫ରୁ ବୀରକିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ନୀତି ସମ୍ପନ୍ନ ହେବ। ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା ନୀତି ହେବ। ୮ଟା ୫୫ମିନିଟ୍ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ। ଏହାପରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ସାଢ଼େ ୧୧ଟାରୁ ଚାରି ପ୍ରହର ପୂଜା ସାଢ଼େ ୩ଟା ପର୍ଯ୍ୟନ୍ତ ଚାଲିବ। ସାଢ଼େ ୩ଟାରୁ ସାଢ଼େ ୪ଟା ମଧ୍ୟରେ ହରିହର ଭେଟ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ପୁଣି ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିର ପରିସରରେ ଭିଡ଼ ଭିତରେ ଶୃଙ୍ଖଳା ରକ୍ଷା କରିବାକୁ ପୁଲିସ ପ୍ରଶାସନ ସଜାଗ ରହିଛି। ବିଏମ୍ସି ପକ୍ଷରୁ ରାସ୍ତା ମରାମତି ଓ ସଫେଇ କାର୍ଯ୍ୟ ଜାରି ରହିଛି। ନାଳଗୁଡ଼ିକରେ ସ୍ଲାବ୍ ପଡ଼ିବା ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ସଫା କରାଯାଇଛି। ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍ ବନ୍ଧା ସରିଛି। ମନ୍ଦିରର ଗର୍ଭଗୃହକୁ ପରିଷ୍କାର କରାଯାଇ ସେଠାରେ ନୂଆ ଚାନ୍ଦୁଆ ବନ୍ଧାଯାଇଛି ଏବଂ ପିତ୍ତଳ କବାଟଗୁଡ଼ିକ ସଫା କରାଯାଇଛି।