ମହାଦେବ ନଗରବାସୀଙ୍କୁ ‘ମୌସୁମୀ’ ଚିନ୍ତା: ଭୁଲ୍‌ କଲା ସ୍ବେରେଜ୍‌ ବୋର୍ଡ, ଦୁର୍ଦ୍ଦଶା‌ ଭୋଗୁଛନ୍ତି ଲୋକ

ବର୍ଷା ହେଲେ ୨ଶହ ପରିବାର ଗୃହବନ୍ଦୀ, ଅସରାଏ ବର୍ଷାରେ ଅଣ୍ଟାଏ ଉଚ୍ଚର ପାଣି

ଭୁବନେଶ୍ବର: ଅସରାଏ ବର୍ଷାରେ ପୂରା ଅଞ୍ଚଳ ଜଳମଗ୍ନ ହୋଇଯାଏ। ରାସ୍ତା ଉପରେ, ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଲହଡ଼ି ମାରେ। ଏମିତି ପରିସ୍ଥିତି ଉପୁଜେ ଯେ ମଟର ଲଗାଇ ପାଣି ନିଷ୍କାସନ କରାନଗଲେ, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଘରୁ ବାହାରିବା ମୁସ୍କିଲ୍‌ ହୋଇଯାଏ। ବିଏମ୍‌ସିର ୩୨ ନମ୍ବର ୱାର୍ଡ ଅନ୍ତର୍ଗତ ଝାରପଡ଼ା ମହା‌ଦେବ ନଗରର ପାଖାପାଖି ୨୦୦ ପରିବାର ଗତ ୨ ବର୍ଷ ହେଲା ବର୍ଷା ଦିନେ ଏମିତି ଯମଯନ୍ତ୍ରଣା ଭୋଗୁଥିଲେ ହେଁ ପ୍ରଶାସନର ଏଥିପ୍ରତି ନିଘା ନାହିଁ। ଦୁଇ ବର୍ଷ ତଳେ ସ୍ବେରେଜ୍‌ ବୋର୍ଡ ରାସ୍ତା କାମ କରିବା ପରଠାରୁ ଏଭଳି ସମସ୍ୟା ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସ୍ଥାନୀୟ ଲୋକ ପୂର୍ବ ବର୍ଷଗୁଡ଼ିକରେ ବିଏମ୍‌ସି କମିସନର୍‌, ୱାଟ୍‌କୋ ଇଂଜିନିୟର୍‌ ଓ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ଫଳ ଶୂନ। କେହି ବି ପ୍ରତିକାର କରିବା ପାଇଁ ପଦକ୍ଷେପ ନେଇ ନଥିଲେ। ନିକଟ ଅତୀତରେ ଏକ ବୈଠକରେ ସ୍ଥାନୀୟ ଲୋକେ ପୁଣିଥରେ ଏ ସଂପର୍କରେ ସ୍ଥାନୀୟ କର୍ପୋରେଟର୍‌, ବିଧାୟକ, ନୂଆ ମେୟରଙ୍କୁ ଅଭିଯୋଗ କରିଛନ୍ତି। କିନ୍ତୁ ଏହାକୁ ବେଶ୍‌ କେତେ ଦିନ ବିତି ଯାଇଥିଲେ ହେଁ ଏଯାବତ୍‌ କାମର ନାଁ ଗନ୍ଧ ନାହିଁ। ଏପଟେ, ଆଜି ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ କେତେବେଳେ ବି ରାଜଧାନୀରେ ବର୍ଷା ଆରମ୍ଭ ହୋଇପାରେ। ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଳେଣୀ ପଡ଼ିଗଲାଣି।

ସୂଚନାନୁସାରେ, ଦେଢ଼ ବର୍ଷ ତଳେ ଝାରପଡ଼ା ମହା‌ଦେବନଗର ପୁଲିସ କଲୋନି ଅଞ୍ଚଳ ମୁଖ୍ୟ ରାସ୍ତା ଖୋଳାଯାଇ ସ୍ବରେଜ୍‌ ପାଇପ୍‌ ବିଛା ଯାଇଥିଲା। ସେତେବେଳେ ରାସ୍ତାକୁ ପୂର୍ବାପେକ୍ଷା ନୀଚା କରି ଦିଆଯାଇଥିଲା। ଫଳରେ ବର୍ଷା ହେଲେ ଝାରପଡ଼ା ଅଞ୍ଚଳର ସବୁ ବର୍ଷାଜଳ ଆସି ସେଇଠି ଜମା ହୋଇ ରହୁଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଯେ ପୂର୍ବରୁ ସେହି ସ୍ଥାନ ସମତଳ ଥିବାରୁ ବର୍ଷା ପାଣି ସିଧାସଳଖ ଗଙ୍ଗୁଆ ନାଳରେ ମିଶୁଥିଲା। ‌ହେଲେ ଏବେ ଜଗନ୍ନାଥନଗର ପଟ ଉଚ୍ଚା ହୋଇଥିବା ବେଳେ ମଙ୍ଗରାଜ ପଏଣ୍ଟ୍‌ ପୋଲ ପାଖରେ ମଧ୍ୟ ରାସ୍ତା ଉଚ୍ଚା ରହିଛି। ତେଣୁ ସଂପୃକ୍ତ ଅଞ୍ଚଳରୁ ବର୍ଷାଜଳ କେଉଁଆଡ଼େ ନିଷ୍କାସନ ହୋଇପାରୁ ନାହିଁ। ଲଗାଣ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିବା ସହ ସ୍ଥାନୀୟ ଲୋକଙ୍କ ଘର ଭିତରେ ପାଣି ପଶିଯାଉଛି। ଏଥିଯୋଗୁଁ ରାସ୍ତା କଡ଼ରେ ଥିବା ୮ଟା ‌ଦୋକାନ ବେଶି ପ୍ରଭାବିତ ହେଉଛି। ଅପରପକ୍ଷେ ଏହି ରାସ୍ତା ଦେଇ କୋରଡ଼କଣ୍ଟା, କେଶୁରା, ବାଙ୍କୁଆଳ, ବ୍ୟାଙ୍କର୍ସ କଲୋନି ଆଦି ଲୋକ ସହରକୁ ଆସିଥା’ନ୍ତି। ହେଲେ ବର୍ଷା ଦିନେ ପାଣି ଜମି ରହିବାରୁ ଯାତାୟାତରେ ସେମାନେ ନାହିଁ ନଥିବା ହଇରାଣ ହେଉଛନ୍ତି।

ସ୍ଥାନୀୟ ବାସିନ୍ଦା ନିର୍ମଳ ଦାସଙ୍କ କହିବାନୁସାରେ, ଏ ସମସ୍ୟା ବିଷୟରେ ସ୍ଥାନୀୟ କର୍ପୋରେଟର, ବିଧାୟକ, ବିଏମ୍‌ସି କମିସନର, ମେୟର ଓ ୱାଟ୍‌କୋ ଇଞ୍ଜିନିୟରଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଅନ୍ୟ ଜଣେ ବାସିନ୍ଦା ଉଦୟ ସିଂହଙ୍କ କହିବାନୁସାରେ, ଗତ ୧୦ ତାରିଖ ଦିନ ଭୁବନେଶ୍ବର (ମଧ୍ୟ) ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟାକୁ ନେଇ ସର୍କିଟ୍‌ ହାଉସରେ ଏକ ବୈଠକ ହୋଇଥିଲା। ସେଠାରେ ବିଧାୟକ, ‌କର୍ପୋରେଟର, ମେୟର ଏବଂ ବିଏମ୍‌ସି ଓ ସ୍ବେରେଜ୍‌ ବୋର୍ଡର ଅଧିକାରୀ ଉପସ୍ଥିତ ଥିଲେ। ତାଙ୍କୁ ଏହି ସମସ୍ୟା ନେଇ ଅଭିଯୋଗ କରାଯାଇଥିଲା। ତୁରନ୍ତ କାମ ଆରମ୍ଭ ହେବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏ ଭିତରେ ଗୋଟିଏ ସପ୍ତାହ ବିତିଗଲାଣି, କାହାରି ଦେଖାନାହିଁ। ଏବେ ମୌସୁମୀ ଆସିଲାଣି, ଫଳରେ ଅବସ୍ଥା ସାଂଘାତିକ ହୋଇଯିବ। ଆମ ସମସ୍ୟା ଉପରେ ତୁରନ୍ତ ଦୃଷ୍ଟି ଦିଆ ନଗଲେ, ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବୁ ବୋଲି ସେ ଚେତାବନୀ ଦେଇଛନ୍ତି।

ଏନେଇ ୱାଟ୍‌କୋର ନିର୍ବାହୀଯନ୍ତ୍ରୀ ଭରତ ଚନ୍ଦ୍ର ଦଳେଇ କହିଛନ୍ତି, ସେତେବେଳେ ଲୋକମାନଙ୍କ କହିବା ମୁତାବକ ଆମେ ରାସ୍ତାକୁ ନୀଚା କରିଥିଲୁ। ପାଣି ନିଷ୍କାସନ ପାଇଁ ‌ଛୋଟ ପାଇପ୍‌ ପକାଇ ରାସ୍ତା ଉପରେ ଜାଲି ଦେଇଥିଲୁ। ହେଲେ ଗାଡ଼ି ମଟର ଯାଇ ତାହା ଜାମ୍‌ ହୋଇଯାଉଛି। ଏ ସମସ୍ୟା ଏବଂ ରାସ୍ତାର ଲେଭ୍‌ଲିଂ ବିଷୟରେ ଆମେ ବିଏମ୍‌ସିକୁ ଜଣାଇ ଦେଉଛୁ। ସେମାନେ ସେହି ଅଞ୍ଚଳରେ ଏକ ଖୋଲା ଡ୍ରେନ୍‌ କରିବାର ବ୍ୟବସ୍ଥା କରୁଛନ୍ତି।

ସମ୍ବନ୍ଧିତ ଖବର