ଭୁବନେଶ୍ବର: ସମ୍ପୂର୍ଣ୍ଣ ରାସ୍ତାରେ ପଡ଼ିଛି ନାଲି ମାଟିର ଏକ ବହଳ ଆସ୍ତରଣ। ରାସ୍ତା ସାରା ଖାଲଢିପ ଓ କାଦୁଅ ସରସର। ଆଜି ବର୍ଷାରେ ବିଚ୍ଛିନ୍ନାଞ୍ଚଳ ପାଲଟିଯାଇଥିଲା ଝାରପଡ଼ା, କେଶୁରା, କୋରଡ଼କଣ୍ଟା ଓ ମହାଦେବ ନଗରରୁ ଜଗନ୍ନାଥ ନଗର ଯିବା ରାସ୍ତା। ଅଧାପନ୍ତରିଆ ସ୍ବେରେଜ କାମ ଯୋଗୁଁ ଆଜି ଲଗାଣ ବର୍ଷା ଏହି ସବୁ ଅଞ୍ଚଳର ରାସ୍ତାକୁ ବେହାଲ କରିଦେଇଛି। ଦୀର୍ଘ ଦିନରୁ ଏଠାରେ ସ୍ବେରେଜ କାମ ଚାଲିଥିବାରୁ ଖରା ଦିନେ ଧୂଳିରେ ଅତିଷ୍ଠ ହେଉଥିବା ଲୋକେ ଏବେ ବର୍ଷାରେ କାଦୁଅରେ ହନ୍ତସନ୍ତ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ୧୦ ମାସ ହେଲା ଗଙ୍ଗୁଆ ନାଳରୁ ଆରମ୍ଭ କରି ଝାରପଡ଼ା ଗାଁ ପର୍ଯ୍ୟନ୍ତ ସ୍ବେରେଜ୍ କାମ ଚାଲିଛି। ଏଥିପାଇଁ ପକ୍କା ରାସ୍ତାକୁ ଖୋଳି ଦିଆଗଲା। କାମର ୫୦% ବି ଏଯାଏଁ ସରିନି। ଫଳରେ ଏବେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନେ ଏହା ସାଂଘାତିକ ରୂପ ନେଉଛି। ଖାଲି ସେତିକି ନୁହେଁ, ଜଗନ୍ନାଥ ନଗରରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓ ମଦର ପବ୍ଲିକ୍ ସ୍କୁଲ ଆଦି ଦୁଇଟି ବିଦ୍ୟାଳୟ ଥିବାରୁ ପ୍ରତିଦିନ ବହୁ ଛାତ୍ରଛାତ୍ରୀ, ସ୍କୁଲ ବସ୍ ଆଦି ଏହି ରାସ୍ତା ଦେଇ ଯାଉଛି। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ଅନେକ ସମୟରେ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟିବାର ନଜିର ରହିଛି। ଏଣୁ ଯଥାଶୀଘ୍ର ସ୍ବେରେଜ କାମ ସାରି ରାସ୍ତା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ସ୍ବେରେଜ ବୋର୍ଡର ପ୍ରୋଜେକ୍ଟ ଇଞ୍ଜିନିୟର ଭରତ ଚନ୍ଦ୍ର ଦଳାଇ କୁହନ୍ତି, ଏହା ହେଉଛି ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍-୧ର କାମ। ବର୍ତ୍ତମାନ ବର୍ଷା ଆସିଯାଇଥିବାରୁ ଖୋଳାଖୋଳି କାମ ବନ୍ଦ ରହିବ। ଖୋଳାଯାଇ ଥିବା ସ୍ଥାନକୁ ବନ୍ଦ କରାଯିବ। ଭୁବନେଶ୍ବରରେ ଏହିଭଳି ୪ଟି ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ ହେବାର ଯୋଜନା ରହିଛି। ସବୁ କାମ ଚାଲିଥିବା ବେଳେ ୨୭ କିଲୋମିଟର ସ୍ବେରେଜ୍ ପାଇପ୍ ବସାଇବାକୁ ଅଛି। ଏହା ୩ ବର୍ଷିଆ ପ୍ରକଳ୍ପ ହୋଇଥିବାରୁ ସମସ୍ତ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ କାମ ଏକାସାଙ୍ଗେ ଚାଲିଛି। ୨୦୨୦ ମସିହାରେ ଏହା ଶେଷ ହେବ। କାମ ସରିବା ପରେ କଂକ୍ରିଟ ରାସ୍ତା ନିର୍ମାଣ କରାଯିବ।
କେଶୁରାରୁ ଆମେ ପ୍ରତିଦିନ ଜଗନ୍ନାଥ ନଗର ରାସ୍ତା ଦେଇ ନୂଆଗାଁ ଓ ରସୁଲଗଡ଼କୁ ଯାଉଥିଲୁ। କିନ୍ତୁ ପାଖାପାଖି ବର୍ଷେ ହେବ ଝାରପଡ଼ାରୁ କେଶୁରା ଓ ଝାରପଡ଼ାରୁ ମହାଦେବ ନଗର ପକ୍କା ରାସ୍ତାକୁ ଖୋଳି ଦିଆଯାଇଛି। ଜଗନ୍ନାଥ ନଗରରେ ଥିବା ମାଟି ରାସ୍ତାରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଓ ବର୍ଷା ଦିନେ ପ୍ରାୟ ୨ ଫୁଟ ଉଚ୍ଚାର ପାଣି ଜମି ରୁହେ। ଫଳରେ ଆମେ କୋରଡ଼କଣ୍ଟା ଓ କେଶୁରା ବାସିନ୍ଦା ଏହି ରାସ୍ତା ଦେଇ ରସୁଲଗଡ଼ ଆଡ଼କୁ ଯିବା ସମ୍ଭବ ହୁଏନି।
ଶିବନାଥ ରାୟ, କେଶୁରା ବାସିନ୍ଦା
ପ୍ରାୟ ବର୍ଷେ ହେଲା ଏଠାରେ ସ୍ବେରେଜ କାମ ଚାଲିଛି। ଏଥିପାଇଁ କେଶୁରା, କୋରଡ଼କଣ୍ଟା, ବାଙ୍କୁଆଳ, ମହାଦେବ ନଗର, ଜଗନ୍ନାଥ ନଗର ଓ ଝାରପଡ଼ାର ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିବା ବେଳେ ସ୍ବେରେଜ କାମକୁ ଶେଷ କରାଯାଉନାହିଁ।
ରଞ୍ଜନ କୁମାର ବେହେରା, ସ୍ଥାନୀୟ ବାସିନ୍ଦା