ମଧ୍ୟରାତ୍ରିରେ ବିରାଜିବେ ମହାକାଳୀ, ବରମୁଣ୍ଡାରେ କାଳୀପୂଜା ଓ ବିଶ୍ବଶାନ୍ତି ମହାଯଜ୍ଞ

ଭୁବନେଶ୍ବର: ମା’ ଦୁର୍ଗା ଓ ଗଜଲକ୍ଷ୍ମୀଙ୍କ ପରେ ଧରାବତରଣ କରିବେ ମହାକାଳୀ। ଏନେଇ କିଛି ପ୍ରମୁଖ ସ୍ଥାନରେ ମା’ଙ୍କୁ ଦର୍ଶନ ପାଇଁ ଭିଡ଼ ଜମିବ। ରାମକୃଷ୍ଣ ମିସନ୍‌ ପକ୍ଷରୁ ଆୟୋଜିତ କାଳୀ ପୂଜା ଚଳିତ ବର୍ଷ ୯୯ ବର୍ଷରେ ପଦାର୍ପଣ କରିଛି। ୧୯୧୯ ମସିହାରେ ବିବେକାନନ୍ଦ ମାର୍ଗରେ ରାମକୃଷ୍ଣ ମଠ ପ୍ରତିଷ୍ଠା ପରଠୁ ଏହି ପୂଜା ଚାଲୁ ରହିଥିବା ବେଳେ ଅମାବାସ୍ୟା ତିଥି ପୂର୍ବରୁ ମଠ ପରିସରରେ ଥିବା ପୁରୁଣା କୂଅରୁ ପବିତ୍ର ଜଳ ଆଣି ଅଙ୍କୁରାରୋପଣ କରିବା ପରେ ରାତି ୮ଟାରୁ ଭୋର୍‌ ପର୍ଯ୍ୟନ୍ତ ମା’ଙ୍କ ବିଶେଷ ପୂଜା ଅନୁଷ୍ଠିତ ହେବ।

ଆଡ଼ମ୍ବରପୂର୍ଣ୍ଣ ପୂଜା ପାଇଁ ସତ୍ୟନଗର ସତ୍ୟକାଳୀ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଏଠାରେ ମା’ଙ୍କ ବିଗ୍ରହ ପୂଜା ପାଉଥିବା ବେଳେ ୧୦ ଦିନ ପର୍ଯ୍ୟନ୍ତ ଦଶ ମହାବିଦ୍ୟା ବେଶରେ ମା’ ଦର୍ଶନ ଦେବେ। ମହାକାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ବରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଓ କମଳା ବେଶରେ ମା’ଙ୍କ ଦର୍ଶନର ଅବକାଶ ମିଳିବ ବୋଲି ପୂଜା କମିଟିର ସଭାପତି ପ୍ରଫୁଲ୍ଲ କର କହିଛନ୍ତି। ଏଥିସହ ୧୦ ଦିନ କାଳ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନାବଜାର ଉପଭୋଗ୍ୟ ହେବ। ବରମୁଣ୍ଡାସ୍ଥିତ ଦକ୍ଷିଣକାଳୀ ପୀଠରେ ମଧ୍ୟ ବିଶ୍ବଶାନ୍ତି ମହାଯଜ୍ଞ ସହ ମହାକାଳୀ ପୂଜା ଅନୁଷ୍ଠିତ ହେବ। ମନ୍ଦିର ପରିଚାଳନା ସମିତି ଓ ବରମୁଣ୍ଡା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ପୂଜା ଅବସରରେ ରବିବାର ସନ୍ଧ୍ୟାରେ ଦୀପଦାନ ପରେ ଅର୍ଧରାତ୍ରରେ ଶ୍ୟାମାକାଳୀ ପୂଜା କରାଯିବ। ଭଜନ ସମାରୋହ ଓ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିସହ ସହିଦନଗର ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଆୟୋଜିତ ମହାକାଳୀ ପୂଜାରେ ମା’ ଚାନ୍ଦି ମେଢ଼ରେ ସଜେଇ ହୋଇ ‌ଦର୍ଶନ ଦେବେ। ଏଠାରେ ମଧ୍ୟ ମୀନାବଜାର ଖୋଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ପୂଜା ସମିତିର ସାଧାରଣ ସମ୍ପାଦକ ନାରାୟଣ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର