ଭୁବନେଶ୍ୱର: ରାତିରେ ପାହିଲେ ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ। ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କୁ ପୂଜା କରାଯାଏ। ଅଷ୍ଟମୀର ଉତ୍ସାହ ରାଜଧାନୀରେ ଏକ କିଛିଦିନ ହେଲା ବେଶ୍‌ ଦେଖିବାକୁ ମିଳୁଛି। ଅଷ୍ଟମୀ କାଲି ପଡୁଥିବାରୁ ଆଜି ଥିଲା ପ୍ରସ୍ତୁତିର ଶେଷଦିନ। ସେଥିପାଇଁ ଦୋକାନ ବଜାରରେ ବିଶେଷ ଗହଳି ଦେଖା ଯାଇଥିଲା। ପ୍ରଥମାଷ୍ଟମୀ ତଥା ବିବାହ ଋତୁ ଚାଲିଥିବାରୁ ପୋଷାକ, ଶାଢ଼ି, ଅଳଙ୍କାର ତଥା ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ବିଭିନ୍ନ ବିଭିନ୍ନ ସୋ’ରୁମ୍‌ ସମେତ ମାର୍କେଟ ବିଲ୍‌ଡିଂ ଓ ଅନ୍ୟସବୁ ମାର୍କେଟରେ ଆଜି ଦିନସାରା ଭିଡ଼ ପରିଲକ୍ଷିତ ହୋଇଥିଲା। ବିଶେଷ କରି କମ୍‌ ମୂଲ୍ୟରେ ଭିନ୍ନ ଭିନ୍ନ ଡିଜାଇନ୍‌ର ପୋଷାକ, ଶାଢ଼ୀ, ଅଳଙ୍କାର ଆଦି ମିଳି ଯାଉଥିବାରୁ ମାର୍କେଟ ବିଲ୍‌ଡିଂରେ ରାଜଧାନୀ ସମେତ ଉପକଣ୍ଠରୁ ବହୁ ଜନସମାଗମ ହୋଇଥିଲା। ସୋ’ରୁମ୍‌ ଠାରୁ ଆରମ୍ଭ କରି ବାହାର ଦୋକାନଗୁଡ଼ିକରେ ସକାଳ ୧୦ରୁ ରାତି ୧୦ ପର୍ଯ୍ୟନ୍ତ ଲୋକମାନେ ଜିନିଷପତ୍ର କିଣୁଥିଲେ।

Advertisment

ଗ୍ରାହକଙ୍କ ସଂଖ୍ୟା ଓ ଉତ୍ସାହକୁ ଦେଖି କିଛି ବ୍ୟବସାୟୀ ଆକର୍ଷଣୀୟ ରିହାତି ପ୍ରଦାନ କରୁଥିଲେ। ତେବେ ଆଜି ବଜାରର ରାଜା ଥିଲା ହଳଦୀପତ୍ର। ପ୍ରଥମାଷ୍ଟମୀର ପ୍ରସିଦ୍ଧ ପିଠା ଏଣ୍ଡୁରୀ ପାଇଁ ଆବଶ୍ୟକ ହେଉଥିବା ହଳଦୀପତ୍ରର ଆଜି ଭାରି ଚାହିଦା ଥିଲା। ଛକ ବଜାର ଚାରିଆଡ଼େ ଏହାର ପସରା ମେଲିଥିଲା। ଦୁଇଦିନ ତଳେ ୧୦ ଟଙ୍କାରେ ମିଳୁଥିବା ହଳଦୀପତ୍ର ବିଡ଼ା ଆଜି ୩୦ରୁ ୫୦ ଟଙ୍କା ଦରରେ ବିକ୍ରି ହୋଇଥିଲା। କୌଣସି କୌଣସି ସ୍ଥାନରେ ବିଡ଼ାକୁ ୧୦୦ ଟଙ୍କାରେ ମଧ୍ୟ ବିକ୍ରି ହୋଇଥିବା ଖବର ରହିଛି। ଉପକଣ୍ଠର ଗ୍ରାମାଞ୍ଚଳରୁ ଆସିଥିବା ଅଳ୍ପ କିଛି ପତ୍ର ସହିତ ବ୍ୟବସାୟୀମାନେ ମୁଖ୍ୟତଃ କନ୍ଧମାଳ, ରାୟଗଡ଼ା, ଜଗତସିଂହପୁରକଟକ ଆଦିରୁ ଏହି ପତ୍ର ଆଣି ବିକ୍ରି କରୁଥିବା କହିଥିଲେ। କେବଳ ସେତିକି ନୁହେଁ, ଅଷ୍ଟମୀ ପିଠା ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ନୂଆବିରି, ଚାଉଳ, ମୁଗ, ନଡ଼ିଆ, ଛେନା ଆଦି ମଧ୍ୟ ଲୋକେ ବେଶ୍‌ କିଣିଥିଲେ। କେବଳ ସେତିକି ନୁହେଁ, ପିଢ଼ାପୂଜା ପାଇଁ ଆଖୁ ଓ ଗେଣ୍ଡୁଫୁଲ ମଧ୍ୟ ବହୁଳ ଭାବରେ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା।