ବାଲିଅନ୍ତା: ଗଜଲକ୍ଷ୍ମୀ ପୂଜା ଅବସରରେ ସ୍ଥାନୀୟ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ଇନ୍ଦ୍ରପାଳ ଗ୍ରାମରେ ହେଉଥିବା ଲକ୍ଷ୍ମୀନାରାୟଣ ପୂଜା ଚଳିତ ବର୍ଷ ୪୧ ବର୍ଷରେ ପଦାର୍ପଣ କରିଛି। ଏକଦା ସ୍ବର୍ଗତ ଅକ୍ରୁର ସ୍ବାଇଁ ଓ ତାଙ୍କ ସହଧର୍ମିଣୀ ବାସନ୍ତୀଙ୍କ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା ଏହି ପୂଜା ଏବେ କିଛି ବର୍ଷ ହେଲା ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ହେଉଛି। ଶନିବାର କୁମାର ପୂର୍ଣ୍ଣିମା ଦିନ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ କୁଆଖାଇ ନଦୀରୁ ଘଟ ଅନୁକୁଳ ହୋଇଥିଲା। ସକାଳେ ବାଳଭୋଗ ଓ ମଧ୍ୟାହ୍ନରେ ଶଙ୍ଖୁଡ଼ି ଲାଗି ହେବା ପରେ ଚନ୍ଦ୍ରଗ୍ରହଣ ପାଇଁ ରାତି ପର୍ଯ୍ୟନ୍ତ ଦେବନୀତି ବନ୍ଦ ରହିଥିଲା। ଆଜି ସକାଳୁ ପୁଣି ବିଧି ଅନୁସାରେ ପୂଜାର୍ଚ୍ଚନା ଚାଲିଛି। ହୋମଯଜ୍ଞ ସାଙ୍ଗକୁ ନାମ ସଂକୀର୍ତ୍ତନ, ପାଲା ଓ ଚଇତାଳି ଘୋଡ଼ାନାଚ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ୩ ତାରିଖ ସଂଧ୍ୟାରେ ପୂର୍ଣ୍ଣାହୁତି, ସମୂହ ପ୍ରସାଦ ସେବନ ପରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ।

Advertisment

ଏହି ପୂଜା ଆୟୋଜନ ପଛରେ ରହିଛି ଏକ ସୁନ୍ଦର କାହାଣୀ। ୪୦ ବର୍ଷ ତଳର କଥା। ସଚିବାଳୟର କର୍ମଚାରୀ ଅକ୍ରୁର ଦଶହରା ଛୁଟିରେ ଘରେ ଥିଲେ ଏବଂ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ପାଣି ଭିତରୁ ସେ ପିତ୍ତଳ ନିର୍ମିତ ଲକ୍ଷ୍ମୀନାରାୟଣଙ୍କ ଯୁଗଳ ମୂର୍ତ୍ତି ପାଇଥିଲେ। ପୁଣି ସେହିଦିନ ରାତିରେ ତାଙ୍କୁ ଏହି ପୂଜା ପାଇଁ ସ୍ବପ୍ନାଦେଶ ହୋଇଥିଲା। ସେବେଠୁ ଅକ୍ରୁର ଓ ତାଙ୍କ ପତ୍ନୀ ବାସନ୍ତୀ ପ୍ରତିବର୍ଷ ଲକ୍ଷ୍ମୀନାରାୟଣଙ୍କ ପୂଜାର୍ଚ୍ଚନା କରି ଆସୁଥିଲେ। ୭ ବର୍ଷ ତଳେ ଏହି ଦମ୍ପତି ଆଗପଛ ହୋଇ ପରପାରିକୁ ଚାଲିଗଲେ। କିନ୍ତୁ ସେମାନଙ୍କ ପୁତ୍ର ଅନିଲ କୁମାର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ଚାଲିଛି।