ପୁରୁଣା ଭୁବନେଶ୍ୱର: ପବିତ୍ର ମହାଳୟାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଲୋକାରଣ୍ୟ ହୋଇଛି ଏକାମ୍ର କ୍ଷେତ୍ର। ଆଜି କ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବିଶେଷ କରି ବିନ୍ଦୁସାଗର ଓ ସୁକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପୂର୍ବକ ଶ୍ରଦ୍ଧା ନିବେଦନ ଆମ ପରମ୍ପରାରେ ରହିଛି। ପିତୃପୁରୁଷଙ୍କ ତିଥିରେ ଉତ୍ତରପିଢ଼ି ପିଣ୍ଡଦାନ କରିଥାନ୍ତି। ଯେଉଁମାନେ ତିଥି ଅନୁସାରେ ପିଣ୍ଡଦାନ କରି ନପାରନ୍ତି ସେମାନେ ମହାଳୟାରେ ପିଣ୍ଡଦାନ କରିଥାନ୍ତି । ଏହି ପରମ୍ପରା ଆଧାରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଭୋରରୁ ଆସି ଶ୍ରାଦ୍ଧ ଅର୍ପଣ କରିଥିଲେ ।
ଆଶ୍ୱିନ ମାସ ପ୍ରଥମ ଦିନରୁ ଆରମ୍ଭ ହୋଇ ୧୫ଦିନ ଧରି ଚାଲିଥିବା ଅପରପକ୍ଷ ବା ପିତୃପକ୍ଷ ଶ୍ରାଦ୍ଧ ଆଜି ଅମାବାସ୍ୟା ( ମହାଳୟା) ତିଥିରେ ଶେଷ ହୋଇଛି। ବିନ୍ଦୁସାଗର ତିନିପାର୍ଶ୍ବ, ଉତ୍ତରେଶ୍ବର ଘାଟ ନିକଟ ସବୁ ରାସ୍ତା ଓ ବିନ୍ଦୁସାଗର ଚତୁପାର୍ଶ୍ବ ରାସ୍ତାକଡ଼, ଭବାନୀଶଙ୍କର ମନ୍ଦିର ଏପରିକି କେଦାରଗୌରୀ ରାସ୍ତା ଓ କେଦାରନାଥ ଗବେଷଣା ରାସ୍ତାରେ ଶ୍ରଦ୍ଧାଳୁମାନେ ବସି ପିଣ୍ଡଦାନ କରିଥିଲେ। କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ପୁରୋହିତଙ୍କ ଦ୍ବାରା ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଥିଲା। ଭିଡ଼ ଏପରି ହୋଇଥିଲା ଯେ, ସାନେଟାରିୟମ ଛକ ଓ ବଢ଼େଇବାଙ୍କ ପର୍ଯ୍ୟନ୍ତ, ରବିଟକିଜ୍ ରାସ୍ତାରୁ କେଦାରଗୌରୀ ଛକ, ଓଲଡ଼୍ ଟାଉନ୍ ସବୁ ଗଳି, ବିବେକାନନ୍ଦମାର୍ଗ ଓ ବିନ୍ଦୁସାଗର ରୋଡ଼୍ ଅସମ୍ଭବ ଭିଡ଼ ହୋଇଥିଲା। ସେହିପରି ଶ୍ରୀରାମନଗରସ୍ଥିତ ସୁକ୍ଷ୍ମେଶ୍ୱର ମନ୍ଦିର ନିକଟରେ ମଧ୍ୟ ପ୍ରବଳ ଭିଡ଼ ହୋଇଥିଲା। ସେଠାରେ ରାଜଧାନୀରୁ ବିଭିନ୍ନ ଆଡ଼ୁ ଶ୍ରଦ୍ଧାଳୁ ଶ୍ରାଦ୍ଧ ତର୍ପଣ କରିଥିଲେ।
ପୂଜକ ଗୋପୀନାଥ କରଙ୍କ ମତ ଅନୁଯାୟୀ ବର୍ତ୍ତମାନ ସମୟରେ ମହାପ୍ରଭୁ ଶୟନ କାଳରେ ଥାନ୍ତି । ଏହି ଚାରିମାସରେ ବିବାହ, ବ୍ରତ, ଗୃହପ୍ରବେଶ ଆଦି ଶୁଭ କାର୍ଯ୍ୟ ହୁଏ ନାହିଁ। ଏହି ସମୟରେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ହୋଇଥାଏ। ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ଓ ଦେବଦେବୀଙ୍କ ଶୟନ କାଳରେ ପିତୃକାର୍ଯ୍ୟ କରିବା କର୍ମକାଣ୍ଡରେ ବ୍ୟବସ୍ଥା ରହିଛି। ତେଣୁ ଆଶ୍ୱିନ ମାସ କୃଷ୍ଣପକ୍ଷ ପିତୃପକ୍ଷ ଭାବେ ପ୍ରସିଦ୍ଧ । ଏହି ପକ୍ଷରେ ତିନିପୁରୁଷଙ୍କୁ ତର୍ପଣ କରାଯାଏ । ମାତୁଳ ତିନି ପୁରୁଷଙ୍କୁ ମଧ୍ୟ ତର୍ପଣ କରାଯାଏ। ଲୋକେ ଏକାମ୍ର କ୍ଷେତ୍ରରେ ବିନ୍ଦୁସାଗର କୂଳ ବ୍ୟତୀତ ସାମନ୍ତରାପୁର ସୂକ୍ଷ୍ମେଶ୍ୱର ମନ୍ଦିର ନିକଟ ଗୟାକୁଣ୍ଡରେ ମଧ୍ୟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ । ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ଉଭୟ ସ୍ଥାନରେ ଟ୍ରାଫିକ୍ ନିୟନ୍ତ୍ରଣ ନାକେଦମ୍ ହୋଇଥିଲା। ତେବେ ଆବଶ୍ୟକ ଡଷ୍ଟବିନ୍ ନଥିବାରୁ ବିନ୍ଦୁସାଗର କୂଳରେ ଏଣେ ତେଣେ କଦଳୀପତ୍ର ଓ ପିଣ୍ଡ ଚାଉଳ ପଡ଼ିଥିବା ଦେଖିବାକୁ ମିଳିଥିଲା।