ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ

ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୁଣା ଭୁବନେଶ୍ୱର: ପବିତ୍ର ମହାଳୟା ଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ରରେ ଆଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବିନ୍ଦୁସାଗର ଚତୁଃପାର୍ଶ୍ବ ଓ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଶହ ଶହ ଶ୍ରଦ୍ଧାଳୁ ପିତୃପୁରୁଷ ଓ ମାମୁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଆଜି ଭୋରରୁ ଆସି ଶ୍ରାଦ୍ଧ ଦେଇଥିଲେ। ଆଶ୍ୱିନ ମାସ ପ୍ରଥମ ଦିନରୁ ଆରମ୍ଭ ହୋଇ ୧୫ ଦିନ ଧରି ଚାଲିଥିବା ମହାଳୟା ଶ୍ରାଦ୍ଧ ଆଜି ଅମାବାସ୍ୟା ତିଥିରେ ଶେଷ ହୋଇଛି। ବିନ୍ଦୁସାଗର ୩ ପାର୍ଶ୍ବ, ଉତ୍ତରେଶ୍ବର ଘାଟ ନିକଟ ସବୁ ରାସ୍ତା ଓ ବିନ୍ଦୁସାଗର ରାସ୍ତାକଡ଼, ଭବାନୀଶଙ୍କର ମନ୍ଦିରରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରିଥିଲେ।

ଏଥିଯୋଗୁଁ ସାନେଟାରିୟମ୍‌ ଛକ ଓ ବଢ଼େଇବାଙ୍କ ପର୍ଯ୍ୟନ୍ତ ଗାଡ଼ି ମଟର ଭିଡ଼ ହୋଇଥିଲା। ସେହିପରି ଶ୍ରରାମନଗରସ୍ଥିତ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ଗୋଟିଏ ପ୍ଲାଟୁନ୍‍ ପୁଲିସ ବ୍ୟବସ୍ଥା କରାଯାଇଥିଲା। ତଳ ବଜାର ଛକଠାରୁ କେଦାରଗୌରୀ ଛକ ପର୍ଯ୍ୟନ୍ତ ରାସ୍ତା ସିଲ୍‌ ହୋଇଥିଲା। ତେବେ ଆବଶ୍ୟକ ଡଷ୍ଟବିନ୍‌ ନଥିବାରୁ ବିଭନ୍ନ ପୁଷ୍କରିଣୀ କୂଳରେ ଏଣେତେଣେ କଦଳୀପତ୍ର ଓ ପିଣ୍ଡ ଚାଉଳ ପଡ଼ିଥିବା ଦେଖିବାକୁ ମିଳିଥିଲା। ସେହିପରି ଷଣ୍ଢଙ୍କ ଉତ୍ପାତ ମଧ୍ୟ ଦେଖିବାକୁ ମିଳିଥିଲା। ଷଣ୍ଢ ଲଢ଼େଇ ଯୋଗୁଁ ୨ଜଣ ଶ୍ରଦ୍ଧାଳୁ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର