ଭୁବନେଶ୍ବର: ଭୁବନେଶ୍ବରର ୧୭୮ ପୂଜା ମଣ୍ଡପରେ ଚଳିତବର୍ଷ ପୂଜା ହୋଇଛି। ପୂଜା ସରି ଆସୁଥିବାବେଳେ ମା’ଙ୍କ ମେଲାଣି ନେବା ବେଳ ବି ପାଖେଇ ଆସୁଛି। ପୁଣି ବର୍ଷେ ଅପେକ୍ଷା କରିବାକୁ ପଡିବ। ଭକ୍ତ ଏହାକୁ ହାତଛଡା କରୁନାହାନ୍ତି। ସେଥିପାଇଁ ସବୁ ମଣ୍ଡପରେ ଭିଡ ପରିଲକ୍ଷିତ ହୋଇଛି। ମଙ୍ଗଳବାର ଥିଲା ମଣ୍ଡପରେ ମହାନବମୀ। ମହାନବମୀ ପୂଜା ତଥା ଦୁର୍ଗାପୂଜା ଶେଷ ହୋଇଯାଉଥିବାରୁ ଦଶହରା ମାହୋଲ ରାଜଧାନୀର ସବୁଠି ଶୀର୍ଷ ଛୁଇଁଛି। ପ୍ରାୟ ରାତି ୨ଟା ପର୍ଯ୍ୟନ୍ତ ସମସ୍ତେ ପାର୍ବଣକୁ ମନଭରି ଉପଭୋଗ କରିଛନ୍ତି।

Advertisment

ମହାନବମୀରେ ମା’ଙ୍କ ଆଶୀଷ ଭିକ୍ଷା

ମହାନବମୀରେ ମା’ଙ୍କ ସହ ସୁଖଦୁଃଖ ବାଣ୍ଟିବା ସହ ମା’ଙ୍କ ଆଶୀଷ ନେବା ପାଇଁ ଅସଂଖ୍ୟ ଭକ୍ତ ବୁଲୁଥିବା ଦୃଷ୍ଟିଗୋଚର ହୋଇଛି। ପ୍ରାୟ ରାତି ୨ଟା ପର୍ଯ୍ୟନ୍ତ ସବୁ ମଣ୍ଡପରେ ପ୍ରବଳ ଭିଡ। ରାଜଧାନୀ ରାଜରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଗାଡିର ଅନବରତ ଯାତାୟାତ ସାଙ୍ଗକୁ ଜନସମୁଦ୍ର ଅନିୟନ୍ତ୍ରିତ ହୋଇପଡିଥିଲା। ଦୁଇବର୍ଷ ହେଲା କରୋନା ଲାଗି ରହିଥିବାରୁ ପୂଜା ବନ୍ଦ ଥିଲା। କଟକଣା ହଟିବା ପରେ ଚଳିତବର୍ଷ ମା’ଙ୍କୁ ଆବାହନ କରାଯାଇ ଆରାଧନା କରାଯାଉଛି। ଏହାକୁ ଭକ୍ତମାନେ ହାତଛଡ଼ା କରୁନାହାନ୍ତି। ତେବେ ପାଣିପାଗ ବିଭାଗ ପକ୍ଷରୁ ବର୍ଷାର ସୂଚନା ମିଳିବା ପରେ ମହାଷ୍ଟମୀ ଓ ମହାନବମୀ ପୂଜା ଫିକା ପଡିଯିବ ବୋଲି ଯାହା ସନ୍ଦେହ ଥିଲା ତାହା ଦୂର ହୋଇଛି। ସମୟେ ସମୟେ ବର୍ଷା ହେଉଥିଲେ ବି ତାହାକୁ ଖାତିର ନକରି ମଙ୍ଗଳବାର ରାତି ୨ଟା ପର୍ଯ୍ୟନ୍ତ ଭକ୍ତମାନେ ସବୁ ମଣ୍ଡପ ବୁଲୁଥିବାର ଦେଖିବାକୁ ମିଳିଛି। ତେବେ ଭିଡକୁ ସମ୍ଭାଳିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି। ବିଶେଷ କରି ରସୁଲଗଡରୁ ଷ୍ଟେଶନ ବଜାର ଭିତରେ ପ୍ରାୟ ୪ଟି ମଣ୍ଡପରେ ପୂଜା ଚାଲିଛି।

ରାସ୍ତା ପାଲଟିଥିଲା ଜନସମୁଦ୍ର

ମହାନବମୀରେ ମହାମାୟୀଙ୍କୁ ଦର୍ଶନ କରିବାକୁ ରାସ୍ତା ପାଲଟିଥିଲା ଜନସମୁଦ୍ର। ଅଧିକାଂଶ ଭକ୍ତ ଦିନରେ ଭିଡ ହେଉଛି ବୋଲି ଭାବି ରାତି ଦର୍ଶନକୁ ପସନ୍ଦ କରିଥିଲେ। ତେଣୁ ସବୁଠି ଭିଡ ଲାଗି ରହିଥିଲା। ରବି ଟକିଜ୍‌ ଛକରୁ ସାମନ୍ତରାପୁର, କଳ୍ପନାରୁ ଲକ୍ଷ୍ମୀସାଗର, ରସୁଲଗଡ଼ରୁ ବମିଖାଲ, ରସୁଲଗଡ଼ ଛକରୁ ବରମୁଣ୍ଡା, ବାଣୀବିହାରରୁ ରାଜମହଲ, ନନ୍ଦନକାନନଠାରୁ ଜୟଦେବବିହାର, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ୍‌ ଟ୍ରାଫିକ୍‌ ଛକ, ସିଆର୍‌ପିରୁ ରାଜଭବନ; ସବୁଠି ମାଳମାଳ ଗାଡ଼ି ରାସ୍ତା ଉପରେ ଅଟକି ରହିଥିଲା। ସେହିପରି ପୂଜା ମଣ୍ଡପ ନିକଟରେ ଗାଡ଼ି ପାର୍କିଂ ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯାଇନଥିବାରୁ ଯିଏ ଯେଉଁଠି ପାରିଲେ ଗାଡ଼ି ପାର୍କିଂ କରିଥିଲେ। ଏପରିକି ରାସ୍ତା ଅଧଯାଏ ଗାଡ଼ି ପାର୍କିଂ କରାଯାଇଥିବା ଦେଖିବାକୁ ମିଳିଥିଲା।

ଭିଡ଼କୁ ସମ୍ଭାଳିପାରିଲାନି ପୁଲିସ

publive-image

ଭିଡକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ସତ! କିନ୍ତୁ ଚଳିତବର୍ଷ ସବୁ ବର୍ଷଠାରୁ ଅଧିକ ଭିଡ ପରିଲକ୍ଷିତ ହୋଇଛି। କିଏ କେଉଁଆଡ଼େ ଯାଉଛି କିଏ କିଭଳି ମା’ଙ୍କ ନିକଟରେ ପହଞ୍ଚିଛି ତାହା କମିସନରେଟ ପୁଲିସର କଳ୍ପନା ବାହାରକୁ ଚାଲିଯାଇଥିଲା। ଭିଡକୁ ସମ୍ଭାଳିନପାରି ପୁଲିସ ଏକ ରକମ ହାତ ଟେକିଦେଇଛି। ଭିଡ ଭିତରେ ପକେଟମାର ଓ ମୋବାଇଲ ଲୁଟେରାଙ୍କ ଉତ୍ପାତ ଲାଗି ରହିଥିବାରୁ ପୁଲିସ ସେମାନଙ୍କୁ ସାବାଡ କରିବାରେ ଲାଗିଥିବାରୁ ଭିଡ ପୁଲିସର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।