ଭୁବନେଶ୍ବର: ପାପୀଙ୍କୁ ବିନାଶ କରି ସନ୍ଥ ଉଦ୍ଧାର ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା’ ଦୁର୍ଗତିନାଶିନୀ। ମା’ଙ୍କ ଆଗମନରେ ପୂରା ଗଗନପବନ ଚଣ୍ଡୀପାଠ, ମନ୍ତ୍ର ଉଚ୍ଚାରଣ, ଘଣ୍ଟଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି। ଆକାଶରେ ମେଘଖଣ୍ଡ ବି ମଝିରେ ମଝିରେ ବର୍ଷି କରି ମା’ଙ୍କୁ ସ୍ବାଗତ ଜଣାଉଛନ୍ତି। କରୋନାର ପ୍ରକୋପ ଥମିବା ପରେ, ଦୀର୍ଘ ଦୁଇବର୍ଷ ପରେ ରାଜଧାନୀରେ ଧୁମ୍ଧାମ୍ରେ ମହାମାୟାଙ୍କୁ ଆବାହନ କରାଯାଇଛି।
ତେଣୁ ସବୁଠି ଭକ୍ତି ଓ ଉତ୍ସବର ମାହୋଲ। ସହରରେ ବିଭିନ୍ନ ପୂଜାମଣ୍ଡପର ଆଖିଖୋସା ସାଜସଜ୍ଜା ସାଙ୍ଗକୁ ମା’ଙ୍କ ସହ ପ୍ରତ୍ୟକ୍ଷ ହେବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାସପ୍ତମୀରେ ଭକ୍ତଙ୍କ ଗହଳିଚହଳି ଲାଗି ରହିଛି। ଇତିମଧ୍ୟରେ ଚକ୍ଷୁଦାନ ସହ ମା’ଙ୍କ ସପ୍ତମୀ ପୂଜା ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମା’ଙ୍କ ଆଶୀର୍ବାଦ ଲଭିବା ପାଇଁ ଆଜି ରାଜଧାନୀର ସବୁ ପୂଜା ମଣ୍ଡପଗୁଡ଼ିକରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ବିଶେଷ କରି ସହିଦନଗର, ରସୁଲଗଡ଼, ବରମୁଣ୍ଡା ଖେଳ ପଡ଼ିଆ, ନୂଆପଲ୍ଲୀ, ଗୋସାଗୋରେଶ୍ବର ଛକ, ଜନପଥ ଗିରିଦୁର୍ଗା ମନ୍ଦିର, ବଢ଼େଇବାଙ୍କ ଛକ, ବରମୁଣ୍ଡା ଗାଁ, ଡମଣା, ହାଟସାହି ଛକ, ଶିଶୁପାଳଗଡ଼ ଛକ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, ନୀଳାଦ୍ରିବିହାର, ଡିଷ୍ଟ୍ରିକ୍ଟ ଓନର୍ସ ଆସୋସିଏସନ୍, ପଳାସୁଣି, ପଟିଆ ଆଦି ସ୍ଥାନରେ ମା’ଙ୍କୁ ଆରାଧନା ଚାଲିଛି। ବିିଭିନ୍ନ ପୂଜା ମଣ୍ଡପରେ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଉଥିବା ପରିଲକ୍ଷିତ ହେଉଛି। ପୋଲିସ ଓ ପୂଜା କମିଟିଗୁଡିକ ପକ୍ଷରୁ ସତର୍କତା ସହିତ କାର୍ଯ୍ୟ କରାଯାଉଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଚାଲିଛି। ଅନେକ ମଣ୍ଡପ ଆଗରେ ମୀନା ବଜାର ବି ପଡ଼ିଛି।
ଆକର୍ଷଣୀୟ ତୋରଣ ସାଙ୍ଗକୁ ପୂଜାମଣ୍ଡପଗୁଡିକ ଝଲମଲ ଦେଖାଯାଉଛି। ଦୁଇବର୍ଷ ହେଲା ମା’ଙ୍କୁ ଦେଖିନଥିବାରୁ ଭକ୍ତଙ୍କ ମନରେ ବେଶ ଉତ୍ସୁକତା ଦେଖାଦେଇଛି। ତେଣୁ ଦୁଇବର୍ଷର ଅକୁହା ବେଦନା ମା’ଙ୍କ ଆଗରେ ବଖାଣିବାକୁ ଭକ୍ତମାନେ ବ୍ୟାକୁଳ ହୋଇପଡିଛନ୍ତି। ସୋମବାର ମହାଷ୍ଟମୀରେ ପ୍ରବଳ ଗହଳି ହେବା ସମ୍ଭାବନା ରହିଛି। ପୋଲିସ ଓ ପୂଜା କମିଟିଗୁଡିକ ପକ୍ଷରୁ ଗହଳିରେ ନିଜକୁ ସୁରକ୍ଷିତ ଓ ସତର୍କ କରିବାକୁ ଅନୁରୋଧ କରାଯାଇଛି।