ଭୁବନେଶ୍ୱର: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ପୂଜା ମଣ୍ଡପଗୁଡ଼ିକରେ ସାଜସଜ୍ଜା ଆରମ୍ଭ ହୋଇଗଲାଣି। ମା’ଙ୍କ ସୁନ୍ଦର ପ୍ରତିମୂର୍ତ୍ତି ସହିତ ଆକର୍ଷଣୀୟ ତୋରଣ ପାଇଁ ପୂଜାମଣ୍ଡପ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଚାଲିଛି। ଏହି ପରିପେକ୍ଷୀରେ ପ୍ରତିବର୍ଷ ନିଜର ସ୍ୱତନ୍ତ୍ର କାଳ୍ପନିକ ତୋରଣ ପାଇଁ ଚର୍ଚ୍ଚାରେ ରହୁଥିବା ୟୁନିଟ୍-୧ସ୍ଥିତ ଶ୍ରୀଶ୍ରୀ ମହାଦେବ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ କାଚ ଓ ସୁନା ଜରିରେ ତୋରଣ ପ୍ରସ୍ତୁତି କରାଯାଉଛି। ଏହି ପୂଜା କମିଟିର ବିଶେଷତ୍ବ ଏହି କି ଯେ ପୂଜା ମଣ୍ଡପରେ ଦୁର୍ଗା ମା’ଙ୍କ ବଦଳରେ ହରପାର୍ବତୀ ପୂଜା ପାଆନ୍ତି। ଚଳିତ ବର୍ଷ ମଧ୍ୟ ୮୦ ଫୁଟ ଉଚ୍ଚ ଓ ୮୦ ଫୁଟ ଚଉଡ଼ାର ଏକ କାଳ୍ପନିକ ତୋରଣରେ ହରପାର୍ବତୀ ପୂଜା ପାଇବେ। ଏଥର ମୂର୍ତ୍ତିର ବିଷୟବସ୍ତୁ ‘ଗଙ୍ଗା ଉଦ୍ଧାର’ ରହିଛି। ଏଥିରେ ଭାଗୀରଥି ଋଷି ଓ ନନ୍ଦୀ ମଧ୍ୟ ସ୍ଥାନ ପାଇବେ।
ମହାଦେବଙ୍କ ମୂର୍ତ୍ତି ୧୫ ଫୁଟ ଉଚ୍ଚତାର ହେବ। ସେହିପରି ୨୦ ଫୁଟ ଉଚ୍ଚର ସୁନେଲି ଜରିରେ କଟକ କାରିଗରମାନଙ୍କୁ ନେଇ ମେଢ଼ ପ୍ରସ୍ତୁତ କରାଯିବ। ମା’ଙ୍କୁ ରୂପା ମୁକୁଟ, ଅଣ୍ଟା ବିଛା, ହାର, ପାଉଁଜି, ଚୁଡ଼ିରେ ସଜ୍ଜିତ କରାଯିବ। ମହାଦେବ ମଧ୍ୟ ରୂପା ତ୍ରିଶୂଳ ଧାରଣ କରିବେ। ରାଜମହଲ ଛକଠାରୁ ୟୁନିଟ ୧ ମାର୍କେଟ ପର୍ଯ୍ୟନ୍ତ ଆଲୋକୀକରଣ କରାଯିବା ସହିତ ଲାଇଟ୍ ଗେଟ୍ ଲଗାଯିବ। ଷଷ୍ଠୀ ଦିନ ରାତିରେ ବିଲ୍ବବରଣ ସହ ମହାସପ୍ତମୀରେ ଚକ୍ଷୁଦାନ ଓ ପୂଜାର୍ଚ୍ଚନା କରାଯିବ। ମହାଷ୍ଟମୀରେ ପାଞ୍ଚ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। କମିଟିର ୪୦ ଜଣ ସ୍ୱେଚ୍ଛାସେବୀ ଶୃଙ୍ଖଳା ଦାୟିତ୍ବରେ ରହିବେ। ୨୦ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ।। ଷଷ୍ଠୀ ଦିନ ଭଜନ ସମାରୋହ ସହିତ ସପ୍ତମ ଠାରୁ ଦଶମୀ ପର୍ଯ୍ୟନ୍ତ ମେଲୋଡି କାର୍ଯକ୍ରମ ରହିଛି। ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନର ବ୍ୟବସ୍ଥା ସହିତ ଭିନ୍ନକ୍ଷମମାନଙ୍କ ପାଇଁ ହ୍ବିଲ୍ଚେୟାର୍ ବ୍ୟବସ୍ଥା ରହିଛି। ପ୍ଲାଷ୍ଟିକ ଓ ନିଶାମୁକ୍ତ ପରିବେଶରେ ପୂଜା ଅନୁଷ୍ଠିତ ହେବ।
ଭସାଣିରେ ଡିଜେ ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ର
ଚଳିତ ବର୍ଷ ଆମ ପୂଜା ମଣ୍ଡପ ୬୪ ବର୍ଷରେ ପଦାର୍ପଣ କରୁଛି। ସେଥିପାଇଁ ସମ୍ପୂର୍ଣ୍ଣ ପାରମ୍ପରିକ ନୀତିରେ ପୂଜା ସହିତ ଭସାଣି ବ୍ୟବସ୍ଥା ମଧ୍ୟ କରାଯାଇଛି। ଭସାଣିରେ ଡିଜେ ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ର ରହିବ। ଏଥିରେ ଆମେ ‘ଗଙ୍ଗା ଉଦ୍ଧାର’ର ଦୃଶ୍ୟ ଭକ୍ତମାନଙ୍କ ଦେଖାଇବାକୁ ପ୍ରୟାସ କରୁଛି। ଆଶା କରୁଛୁ ବହୁ ସଂଖ୍ୟାରେ ଭକ୍ତ ଆସି ଦର୍ଶନ କରିବେ।
ଅଶୋକ କୁମାର ଦାସ, ସଭାପତି
ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀଙ୍କ ସମେତ ପୁଲିସ କର୍ମଚାରୀ ମଧ୍ୟ ରହିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହ୍ୱିଲ୍ଚେୟାର୍ ସହିତ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯିବ। ପାର୍କିଂ ସମସ୍ୟା ଯେଭଳି ନ ହୁଏ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯିବ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ହୋଇଛି।
ରଞ୍ଜିତ ମହାରଣା, ସମ୍ପାଦକ