ଭୁବନେଶ୍ୱର: ରଥଯାତ୍ରାରେ ନୁହେଁ ବରଂ ଦୁର୍ଗାପୂଜାରେ ଦୃଶ୍ୟମାନ ହେବ ନନ୍ଦିଘୋଷ ରଥ। ହେଲେ ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିବର୍ତ୍ତେ ବିରାଜିବେ ମା’ ଦୁର୍ଗା। ରଥରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ସ୍ୱାଗତ କରିବା ପାଇଁ ଭିଏସ୍ଏସ୍ ନଗର ଦୁର୍ଗାପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ ହୋଇଛି। ନନ୍ଦିଘୋଷ ରଥ ଆକୃତିର ଏହି ତୋରଣର ଉଚ୍ଚତା ରହିବ ୪୪ ଫୁଟ। ୧୯୭୭ ମସିହାରେ ଭିଏସ୍ଏସ୍ନଗର ସ୍ଥାପନ ପରେ ଏହାର ପରବର୍ତ୍ତୀ ବର୍ଷରୁ ହିଁ ଏଠାରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ସୁନିଆ ତିଥିରୁ କୁଆଖାଇ ନଦୀରୁ ମୂର୍ତ୍ତିକା ଉତ୍ତୋଳନ ପରେ ମାଆଙ୍କ ମୂର୍ତ୍ତି ନିର୍ମାଣ କରାଯାଇଛି। ଏଥିରେ ଗଙ୍ଗା ନଦୀରୁ ଆସିଥିବା ମାଟିର ପ୍ରଲେପ ମଧ୍ୟ ଦିଆଯିବ। ଏଥର ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୧୪ଫୁଟ ରହିଛି। ସେହିପରି ବାରଙ୍ଗ ଫୁଲପୋଖରୀ ଗାଁରୁ ସ୍ୱତନ୍ତ୍ର ଜରି ମେଢ଼ ଆସିବ ଯାହାର ଉଚ୍ଚତା ୧୮ ଫୁଟ ରହିଛି। ମା’ ରୂପା ମୁକୁଟ ଓ ରୂପା ହାରରେ ବିଭୂଷିତ ହେବେ। ଚଳିତ ବର୍ଷ ପୂଜା ବଜେଟ ୨୦ ଲକ୍ଷ ଟଙ୍କା ରହିଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୦ଟି ସିସିଟିଭି କ୍ୟାମେରା ଲାଗିବ। ସେହିପରି ଦୁଇଟି ଆକର୍ଷଣୀୟ ଲାଇଟ୍ ଗେଟ୍ ରହିବ। ପୂଜା ପରିଚାଳନାରେ ଉପସଭାପତି ବ୍ରିଗେଡିୟର ହରିହର ତ୍ରିପାଠୀ ଓ ନିମାଇଁ ଚରଣ ଦାସ, ସାଧାରଣ ସଂପାଦକ ପ୍ରତାପ କୁମାର ନନ୍ଦ, କୋଷାଧକ୍ଷ ଭ୍ରମରବର ସାହୁ, କର୍ତ୍ତା ନିତ୍ୟରଞ୍ଜନ ନନ୍ଦ, ଧରଣୀଧର ରାଉତ, ଖଗେଶ୍ୱର ପରିଡା, ରାମଚନ୍ଦ୍ର ସାମଲ, ମନୋଜ କୁମାର ସାହୁ ଓ ସଂଜୟ କୁମାର ସ୍ୱାଇଁଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ନିୟୋଜିତ ହେବେ।
ପରମ୍ପରା ଅନୁସାରେ ମା’ଙ୍କ ନିକଟରେ ଅଷ୍ଟମୀରେ ଖେଚୁଡ଼ି ଓ ଡାଲମା ଭୋଗ ଏବଂ ଦଶମୀରେ ଦହିପଖାଳ ଓ ଶାଗ ଭଜା ଭୋଗ ହେବ। ନବମୀରେ ଅନ୍ନ ପ୍ରସାଦ ବିତରଣ କରାଯିବ। ଏହାବ୍ୟତୀତ କଲୋନିରେ ପ୍ରାୟ ୨୫୦୦ ଘରେ ଭୋଗ ବଣ୍ଟାଯିବ। ନବମୀ ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ତାଙ୍କ ସାଥୀମାନେ ଭଜନ ପରିବେଷଣ କରିବେ। ଭିଏସ୍ଏସ୍ ନଗରରୁ ସହିଦନଗର ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଭସାଣି ଯାତ୍ରା ହେବ।
ଦୁର୍ଗାପୂଜାର ବିଶେଷତ୍ୱ ହେଲା ଭାଇଚାରା
ଆମ ଅଞ୍ଚଳର ଦୁର୍ଗାପୂଜାର ବିଶେଷତ୍ୱ ହେଲା ଭାଇଚାରା। ଏଥିରେ ବରିଷ୍ଠମାନଙ୍କଠାରୁ କନିଷ୍ଠମାନେ ମଧ୍ୟ ପୂଜା ପରିଚାଳନାରେ ସହଯୋଗ କରନ୍ତି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ମା’ଙ୍କୁ ଦର୍ଶନ କରି ଭକ୍ତମାନେ ଆନନ୍ଦିତ ହେବେ ବୋଲି ଆଶ କରୁଛୁ।
ପ୍ରଫେସର ଜୟନ୍ତ କୁମାର ପରିଡ଼ା, ସଭାପତି
ଓଡ଼ିଆ ଲୋକକଳାକୁ ସମ୍ମାନ ଦିଆଯିବ
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଆ ଅସ୍ମିତା ଓ ଲୋକକଳାକୁ ସମ୍ମାନ ଜଣାଇ ପାରମ୍ପରିକ ତୋରଣ ଓ ବାଜାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ଯେଉଁ ରାସ୍ତା ସମସ୍ୟା ଦେଖାଯାଇଛି ତାହା ପୂଜା ପୂର୍ବରୁ ଠିକ କରିବା ପାଇଁ ଆଲୋଚନା ହୋଇଛି। ତେଣୁ ପୂଜାରେ ଦର୍ଶନ ବାଧକ ହେବନାହିଁ।
ଦିଲୀପ ଦାଶଶର୍ମା, ବରିଷ୍ଠ ସଦସ୍ୟ