ଭୁବନେଶ୍ୱର: ୧୯୫୫ ମସିହାରୁ ମାତ୍ର ୧୪ଟଙ୍କାରେ ଆରମ୍ଭ ହୋଇଥିବା ଷ୍ଟେସନ୍‌ବଜାର ଦୁର୍ଗାପୂଜା କମିଟି ଚଳିତ ବର୍ଷ ୭୦ ବର୍ଷରେ ପଦାର୍ପଣ କରିଛି। ପ୍ରତି ବର୍ଷ ଭକ୍ତଙ୍କୁ କିଛି ନୂଆ ଅନୁଭୂତି ସହିତ ସାମାଜିକ ବାର୍ତ୍ତା ପ୍ରଦାନ କରୁଥିବା ଏହି କମିଟି ପକ୍ଷରୁ ଚଳିତ ବର୍ଷ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରୟାସ କରାଯାଇଛି। ଏଆଇ ଯୁଗରେ ମଧ୍ୟ ଗୁଣିଗାରେଡ଼ି ଓ ତନ୍ତ୍ରସାଧନାକୁ ଅନେକ ବିଶ୍ୱାସ କରୁଛନ୍ତି। ମା’ଙ୍କ ନିକଟରେ ପଶୁବଳି ଦିଆଯାଉଥିବା କଥା ଆଜି ମଧ୍ୟ ଲୋକ ମାନନ୍ତି। ତେଣୁ ଏସବୁ ଅନ୍ଧବିଶ୍ବାସ ଦୂର ସହ ସମସ୍ତ ଧର୍ମ ମଧ୍ୟରେ ଏକତା ସ୍ଥାପନ କରିବା ପାଇଁ ପୂଜା କମିଟି ପକ୍ଷରୁ ପ୍ରୟାସ କରାଯାଇଛି। ଏହାବ୍ୟତୀତ ରାମାୟଣର ମା’ ସୀତା ଉଦ୍ଧାରଣ ପ୍ରସଙ୍ଗ ମଧ୍ୟ ତୋରଣରେ ସ୍ଥାନ ପାଇବାକୁ ଯାଉଛି। ୪୦ ଫୁଟ ଉଚ୍ଚ ୧୪୦ ଫୁଟ ଚଉଡ଼ାରେ ବିଶିଷ୍ଟ ଏହି ତୋରଣରେ ତନ୍ତ୍ର ସାଧନା, ପଶୁବଳି, ବିଭିନ୍ନ ଧର୍ମର ଆରାଧ୍ୟ ଆଦି ସ୍ଥାନ ପାଇବ। ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୬ ଫୁଟ ରହିଥିବା ବେଳେ ମେଢ଼ର ଉଚ୍ଚତା ୨୦ ଫୁଟ ରହିଛି। ମା’ଙ୍କୁ ଉଭୟ ସୁନା ଓ ରୁପା ଅଳଙ୍କାରରେ ସଜ୍ଜିତ କରାଯିବ। ପାର୍ଶ୍ୱ ଦେବଦେବୀଙ୍କ ଚାନ୍ଦିର ଅଳଙ୍କାରରେ ଭୂଷିତ କରାଯିବ।

Advertisment

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୦୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେଉଛନ୍ତି। ଏପରିକି ୨୦ଜଣ ମହଳି ସ୍ୱେଚ୍ଛାସେବୀ ମଧ୍ୟ ରହିବେ। ସେହିପରି ୪୦ଟି ସିସିଟିଭି ଲଗାଯିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସହିତ ହ୍ୱିଲ୍‌ଚେୟାରର ବ୍ୟବସ୍ଥା କରାଯାଉଛି। ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଧାରଣ ହୋଇଛି।  ସେହିପରି ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ ସନ୍ଧ୍ୟା ଓ ମେଲୋଡି  କରାଯିବ। 

ଏକ ନିଆରା ଅନୁଭୂତି ପ୍ରଦାନ କରିବ
ଭକ୍ତଙ୍କ ମନରେ ଥିବା ଅନ୍ଧବିଶ୍ୱାସ ଦୂର କରିବାରେସଚେତନତା ସୃଷ୍ଟି କରିବା ସହିତ ଏକ ନିଆରା ଅନୁଭୂତି ପ୍ରଦାନ କରିବ। ଶୃଙ୍ଖଳିତ ଦର୍ଶନ ପାଇଁ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଷ୍ଟମୀଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରସାଦସେବନର ବନ୍ଦୋବସ୍ତ କରାଯାଇଛି।। ତେଣୁ ଭକ୍ତମାନେ ଆନନ୍ଦରେ ଦର୍ଶନ କରିଯିବେ ଏହା ହିଁ ଆଶା। 
ଗଣେଶ ପ୍ରସାଦ ସାହୁ, ସଭାପତି

ପାରମ୍ପରିକ ବାଦ୍ୟରେ ଭସାଣି
ମା’ଙ୍କ ଆର୍ଶୀବାଦରୁ ଆମ ପୂଜା କମିଟି ଚଳିତ ବର୍ଷ ୭୦ ବର୍ଷରେ ପହଞ୍ଚିଛି। ପୂଜାମଣ୍ଡପରେ ପ୍ରାଚୀନ ବିଶ୍ୱାସ ଓ ଅନ୍ଧବିଶ୍ୱାସକୁ ଆମେ ଦର୍ଶାଇବାକୁ ଚେଷ୍ଟା କରିଛୁ। ଡିଜେ ବ୍ୟାନ୍‌ ଥିବାରୁ ପାରମ୍ପରିକ ବାଦ୍ୟ ସହିତ ଛଉ ଓ ସମ୍ୱଲପୁରୀ ପରି ଲୋକନୃତ୍ୟ ସହ ପାରମ୍ପରିକ ବାଦ୍ୟରେ ମା’ଙ୍କୁ ମେଲାଣି ଦିଆଯିବ। 
ଦୀପକ କୁମାର ଜେନା, ସମ୍ପାଦକ