ଭୁବନେଶ୍ବର: ଭୁବନେଶ୍ବରକୁ ମୁଁ ପ୍ରଥମେ ୧୯୬୫ ମସିହାରେ ଆସିଥିଲି। ଜଣେ ବନ୍ଧୁଙ୍କ ଘରେ ରହିଥିଲି। ସେତେବେଳେ ପ୍ରଦର୍ଶନୀ ପଡ଼ିଆରେ ଉତ୍କଳ ଦିବସ ପାଳନ ମନେଅଛି। ସେଠାରେ ବିଭିନ୍ନ ମେଳା ହେଉଥିଲା। ତା’କୁ ଦେଖିବାକୁ ଲୋକେ ଦୂରଦୂରାନ୍ତରୁ ସାଇକେଲ୍‌ ଓ ଶଗଡ଼ରେ ଆସୁଥିଲେ। ସହରର ପ୍ରାୟ ସବୁ ରାସ୍ତା ଅଣଓସାରିଆ ଥିଲା। କଚ୍ଚାରାସ୍ତା ଉପରେ ନାଲିଗୋଡ଼ି ବିଛାହୋଇଥିଲା। ସେତେବେଳକୁ ରବୀନ୍ଦ୍ର ମଣ୍ଡପ ତିଆରି ସରିଲାଣି। ସେଠି ପ୍ରାୟତଃ ପୌରାଣିକ ନାଟକ ହେଉଥିଲା। ପୁରୁଣା ଭୁବନେଶ୍ବରରେ ଚିତ୍ରାଳୟ ଥିଲା। ପୁଅପିଲା ଝିଅ ବେଶରେ ନାଟ କରୁଥିଲେ। ଏହାକୁ ଦେଖିବାକୁ ଭିଡ଼ ଜମୁଥିଲା।

Advertisment

ଭୁବନେଶ୍ବରରେ ପ୍ରଥମ ବଡ଼କୋଠା ରିଜର୍ଭ ବ୍ୟାଙ୍କ ଅଫିସ୍‌ ସେ ସମୟରେ ତିଆରି ହେଉଥିଲା। ଏତେ‌ ବଡ଼ଘର କେମିତି ତିଆରି ହେଉଛି, ଦେଖିବାଲାଗି ବହୁ ଦୂରରୁ ଲୋକ ଆସୁଥିଲେ। ଟାଟା କମ୍ପାନି ଲୁହାଛଡ଼ ଯୋଗାଉଥିଲା, ଶଗଡ଼ରେ ନଈରୁ ବାଲି ଆସୁଥିଲା। ସେହି ଶଗଡ଼ରେ ତାପଙ୍ଗରୁ ଗୋଡ଼ି ଆସୁଥିଲା। ଟିଣଭାରରେ ପାଣି ବୁହା ହେଉଥିଲା। ଭୁବନେଶ୍ବରରେ ଶ୍ରମିକ ମିଳୁ ନଥିଲେ। ବ୍ରହ୍ମପୁରରୁ ଶ୍ରମିକ ଆସି କାମ କରୁଥିଲେ। ଭୁବନେଶ୍ବରରେ ଗୋଟିଏ ମାତ୍ର ବ୍ୟାଙ୍କ ଥିଲା- ଟ୍ରେଜେରି ବ୍ରାଞ୍ଚ୍‌ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ। ଗୋଟିଏ ଘରେ ତାହା ଚାଲୁଥିଲା। 

୧୯୬୯ରେ ବାଣୀବିହାରରେ ନାଁ ଲେଖାଇଥିଲି। ଶ୍ରୀରାମ ଦାଶ ସାର୍‌ କ୍ଲାସ୍‌ ନେଉଥିଲେ। ମଧ୍ୟାହ୍ନ ୧ଟା ୪୫ରେ କ୍ଲାସ୍‌ ଆରମ୍ଭ ହୁଏ। ମୁଁ ସେତେବେଳେ ପୁରୁଣା ଭୁବନେଶ୍ବର ବଡଦାଣ୍ଡ ସାହିରେ ସାଙ୍ଗ ଶରତ ମଲ୍ଲିକଙ୍କ ସହିତ ମେସ୍‌ରେ ରହୁଥିଲି। ସେହି ପାଖରେ ରଥଗଡ଼ା ଛକରେ ଭାସିଆ ମହାନ୍ତି ହୋଟେଲ ଥିଲା।  ବଙ୍ଗାଳି ଯାତ୍ରୀମାନେ ସେହି ହୋଟେଲ୍‌ରେ ଖାଉଥିଲେ। ସେଠି ମାଛ-ଭାତ କିମ୍ବା ଅଣ୍ଡା-ଭାତ ଖାଇ ଟାଉନ୍‌ବସ୍‌ରେ ବାଣୀବିହାରକୁ ଯାଉଥିଲୁ। ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କର ଜଣେ ସମ୍ପର୍କୀୟ ଜଟଣୀରୁ ଗୋଟିଏ ଓଆର୍‌ଟି ବସ୍‌କୁ ନେଇ ରଥଗଡ଼ା ଛକକୁ ସାଢ଼େ ୧୨ଟାରେ ଆସୁଥିଲେ। ଆମେ ବହୁ ଛାତ୍ର ହୋଟେଲରେ ଖାଇ ସେହି ବସ୍‌ରେ ବାଣୀବିହାରକୁ ଯାଉଥିଲୁ। ରଥଗଡ଼ା ଛକରେ ଦାଢ଼ିବାବା ଲସି ଓ ଭାଙ୍ଗ ଦୋକାନ ଭାରି ପ୍ରସିଦ୍ଧ ଥିଲା। ପୁରୁଣା ଭୁବନେଶ୍ବର ଓ ଷ୍ଟେସନ୍‌ ବଜାରରେ ବହୁତ ରିକ୍ସା ଥିଲା। ରିକ୍ସାବାଲା ପ୍ରାୟ ସବୁ ଆନ୍ଧ୍ର ଅଞ୍ଚଳର ଥିଲେ। ପୁରୁଣା ବସ୍‌ଷ୍ଟାଣ୍ଡ୍‌ ନିକଟରେ ଗୋଟିଏ ଓ ତଳ ବଜାରରେ ଆଉ ଗୋଟିଏ ସେଲୁନ୍‌ ଥିଲା। ପୁରୁଣା ଭୁବନେଶ୍ବରର ଗଦାଧର ହସ୍ପିଟାଲକୁ ଯାଇ ଲୋକେ ଧାଡ଼ିରେ ଠିଆ ହୋଇ ଡ଼ାକ୍ତରଙ୍କ ପରାମର୍ଶ ନେଉଥିଲେ। ଡାକ୍ତରଙ୍କ ଫି’ ଥିଲା ୫ଟଙ୍କା। 

ବାଣୀବିହାରରେ ଗୋଟିଏ ବଡ଼ କୃଷ୍ଣଚୂଡ଼ା ଗଛ ଥିଲା। ସେଠି ଜଳଖିଆ ଦୋକାନ ଥିଲା। ବୁଟସିଝା, ଗୁଲୁଗୁଲା, ବରା, ଆଳୁଚପ୍‌, ରସଗୋଲା ଓ ଛେନାଗଜା ଆଦି ବିକ୍ରି ହେଉଥିଲା। ଛାତ୍ରମାନେ ସେଠି ଭିଡ଼ କରୁଥିଲେ। କଲେଜ ଛାତ୍ର ଆନ୍ଦୋଳନ ବେଳେ ଛାତ୍ରମାନେ ଟାଉନ୍‌ ବସ୍‌କୁ ନେଇ ବାଣୀବିହାର ପରିସରରେ ବୁଲିବୁଲି ହୋହଲ୍ଲା କରୁଥିଲେ। ଆନ୍ଦୋଳନରେ ରାସ୍ତାରୋକ କି ଭଙ୍ଗାରୁଜା ହେଉନଥିଲା। ବାଣୀବିହାର ଆଗରେ ଏକ କୁକୁଡ଼ା ଫାର୍ମ ଥିଲା। କିନ୍ତୁ ସେଠିକା ଅଣ୍ଡା ବିକ୍ରି ହେଉଥିଲା ଦୁଇ ନମ୍ବର ମାର୍କେଟ୍‌ ବିଲ୍‌ଡିଂରେ। ଅଣ୍ଡା ଗୋଟାକୁ ୧୦ ପଇସା, ଟିକେ ଫାଟି ଯାଇଥିଲେ ୮ ପଇସା। ମେସ୍‌ରେ ରହୁଥିବା ବାଣୀବିହାର ଛାତ୍ରମାନେ ସେଠାକୁ ଯାଇ ଅଣ୍ଡା କିଣୁଥିଲେ। 

ଦୁଇ ନମ୍ବର ମାର୍କେଟ୍‌ ବିଲ୍‌ଡିଂରେ ପ୍ରଥମେ ଗୋଟିଏ ଦୋକାନ ଥିଲା, ଯେଉଁଠି ବହି, ଖାତା, କଲମ, ଦୁଆତ ଆଦି ବିକ୍ରି ହେଉଥିଲା। ଭୁବନେଶ୍ବରର ସବୁ ଛାତ୍ରଛାତ୍ରୀ ତା’ ଉପରେ ନିର୍ଭର କରୁଥିଲେ। ପରେ ଟେଲରିଂ, ମେଡ଼ିସିନ୍‌, ପୋଷାକ ଆଦି ଦୋକାନ ହେଲା। ଟ୍ରଲିଗାଡ଼ିରେ ଜଳଖିଆ ବିକ୍ରି ହେଉଥିଲା। ନନ୍ଦନକାନନ ଯିବାକୁ କଚ୍ଚ‌ାରାସ୍ତା ଥିଲା। ଦିନରେ ଯାଇ ଦିନରେ ଫେରିବାକୁ ହୁଏ। ରାସ୍ତାରେ ହାତୀ, ବାଘ, ବିଲୁଆଙ୍କ ଭୟ ଥିଲା। ଏକା ଯିବାକୁ କେହି ସାହସ କରୁନଥିଲେ। ପୁରୁଣା ଭୁବନେଶ୍ବରର ଗଦାଧର ହସ୍ପିଟାଲ ପାଖରେ ଏକ ହାତୀଖାଲ ଥିଲା। ହାତୀ ସେହି ଅଞ୍ଚଳକୁ ଆସିଲେ ହାତୀକୁ ଖାଇବା ଲୋଭ ଦେଖାଇ ସେହି ଖାଲରେ ଧରା ଯାଉଥିଲା। ସେମିତି ବର୍ତମାନର ବିଜେବିନଗର ଅଞ୍ଚଳରେ ଗଧିଆ ଖାଲ ଥିଲା। ସେଠି ବହୁତ ଗଧିଆ ଗାତକରି ରହୁଥିଲେ। କେଦାରଗୌରୀ ତୀର୍ଥେଶ୍ବର ରାସ୍ତାରେ ଏକ ଝରଣା ଥିଲା। ସେଠାକୁ ବାଘ ଆସୁଥିଲା ପାଣି ପିଇବାକୁ। ବହୁଲୋକ ସେ ବାଘ ଦେଖିଛନ୍ତି। ସନ୍ଧ୍ୟା ପରେ ଯିବାକୁ ଏହି ରାସ୍ତାରେ ଯିବାକୁ ଲୋକେ ଭୟ କରୁଥିଲେ। କେଦାରଗୌରୀ ଦୁଧକୁଣ୍ଡ ପାଣିରେ ଲୋକଙ୍କ ପେଟରୋଗ ଭଲ ହେଉଥିଲା। ବଙ୍ଗାଳିମାନେ ସେଠାରୁ ପାଣି ଭରି ଟିଣ ଓ ଜାର୍କିନ୍‌ରେ କୋଲକାତା ନେଉଥିଲେ। ପରେ ଯେବେ ଟ୍ୟାକ୍ସି ଆରମ୍ଭ ହେଲା, ୧ଟଙ୍କା ଦେଲେ କଟକ ନେଇ ଯାଉଥିଲା। ହଁ, ସେତେବେଳେ ଧନୀ ଗରିବ ସମସ୍ତଙ୍କ ରାସନ୍‌କାର୍ଡ ଥିଲା।