ବାରଙ୍ଗ: ଓଡ଼ିଶାର ପ୍ରାଣୀ ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଅସ୍ଥି ଓ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ଇନ୍ଦ୍ରମଣି ନାଥ ଗତ ମାସ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି। ସେ ପ୍ରାଣୀ ଚିକିତ୍ସା ବିଭାଗରେ ୩୩ ବର୍ଷ କାଳ ସେବା ଯୋଗାଇଛନ୍ତି। ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅନେକ ସଫଳତା ମଧ୍ୟ  ହାସଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ, ସେ ନିଜ ଜୀବନରେ ୨୧୦ଟି ଜଙ୍ଗଲୀ ହାତୀଙ୍କୁ ଟ୍ରାଙ୍କୁଲାଇଜ୍‌ କରିବା ସହ ଚିକିତ୍ସା କରିଛନ୍ତି। କେବଳ ଟ୍ରାଙ୍କୁଲାଇଜ୍‌ ନୁହେଁ, ରାଜ୍ୟରେ ଯଦି କେଉଁଠି ବନ୍ୟପ୍ରାଣୀଙ୍କ ଚିକିତ୍ସା କରିବା ଦରକାର ହୁଏ, ଡ. ନାଥଙ୍କୁ ଡାକରା ପଡ଼େ। ସେ ନନ୍ଦନକାନନ ପ୍ରାଣୀଉଦ୍ୟାନ, ସମ୍ବଲପୁର ରେସ୍କ୍ୟୁ ସେଣ୍ଟର, ଡେବ୍ରିଗଡ଼, ଚନ୍ଦକା, କେଉଁଝର, ଅନୁଗୁଳ, ଢେଙ୍କାନାଳ, ଶିମିଳିପାଳ, କନ୍ଧମାଳ, ଜେନାଭିଲ ହାତୀକ୍ୟାମ୍ପ ସମେତ ଓଡ଼ିଶାର ଆହୁରି ଅନେକ ଜଙ୍ଗଲକୁ ଯାଇ ୫୦୦ରୁ ଊର୍ଦ୍ଧ୍ବ ବନ୍ୟପ୍ରାଣୀଙ୍କର ସଫଳ ଚିକିତ୍ସା କରିଛନ୍ତି। ଜଙ୍ଗଲୀ ହାତୀକୁ ଆନାସ୍ଥେସିଆ ବା ନିଶ୍ଚେ‌ତକ ଦେଇ ଅଚେତ କରାଇ ଛିଡ଼ାକରି ରଖି ଅଭିନବ ଉପାୟରେ ଚିକିତ୍ସା କରିବା କ୍ଷେତ୍ରରେ ସେ ହିଁ ପ୍ରଥମେ ସଫଳ ହୋଇଥିଲେ। ତାଙ୍କ ସଫଳତାର ତାଲିକା ଖୁବ୍‌ ଲମ୍ବା। ଶିମିଳିପାଳରେ ବଣୁଆ ହାତୀ ‘ବବଲୁ’ର ଅସ୍ତ୍ ରୋପଚାର କରିବା ପରେ ଚିକିତ୍ସା କରି ତା’କୁ ସେ ଭଲ କରିଥିଲେ। ଅନୁଗୁଳରେ ତାଳ ଗିଳି ଗୁରୁତର ହୋଇଥିବା ହାତୀକୁ ଚିକିତ୍ସା କରି ସୁସ୍ଥ କରିଥିଲେ। ଚନ୍ଦକାରେ ମଧ୍ୟ ଜଙ୍ଗଲୀ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ହାତୀ ‘ନନ୍ଦ’ର ଚିକିତ୍ସା କରି ତା’କୁ ସୁସ୍ଥ କରିଥିଲେ। ପୁଣି ଟାୟାର୍‌ ଭିତରେ ଗୋଡ଼ ଫସି ରହିଥିବା ଏକ ହାତୀକୁ ଟ୍ରାଙ୍କୁଲାଇଜ୍‌ କରି ତା’ ଗୋଡ଼ରୁ ଟାୟାର୍‌ କାଢ଼ିବାରେ ସେ ସଫଳ ହୋଇଥିଲେ।

Advertisment

୨୧୦ ଜଙ୍ଗଲୀ ହାତୀଙ୍କୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରିଛନ୍ତି

ପଶୁ ନିଶ୍ଚେତକ ବିଶେଷଜ୍ଞ ପ୍ରଫେସର ଇନ୍ଦ୍ରମଣି

ନିକଟରେ ନନ୍ଦନକାନନରେ ଥିବା ଛୁଆହାତୀ ‘ଆଶା’ର ଚିକତ୍ସା କରି ତା’ ବାମପାଖ ଭଙ୍ଗାଗୋଡ଼କୁ କ୍ଲାମ୍ପ୍‌ ଲଗାଇ ଚିକିତ୍ସା କରିଥିଲେ ଏବଂ ତା’କୁ ସୁସ୍ଥକରି ନୂଆ ଜୀବନ ଦେଇଥିଲେ। ବିରଳ କଳାରଙ୍ଗର ବାଘ ‘ଭିକି’ର ଭଙ୍ଗାଗୋଡ଼କୁ ଚିକିତ୍ସା କରି ସେ ଭଲ କରିଥିଲେ। ଶିମିଳିପାଳରେ ଥିବା ଏକ ହାତୀର ଦାନ୍ତରେ ତା’ ଶୁଣ୍ଢ ପଶି ଯାଇଥିଲା। ଡ. ନାଥ ସେ ଦାନ୍ତକୁ କାଢ଼ି ଦନ୍ତାହାତୀକୁ ସୁସ୍ଥ କରିଥିଲେ। ପୁଣି ଧଳାରଙ୍ଗର ବାଘୁଣୀ ‘ହିମାଂଶୀ’ର ହାର୍ଣ୍ଣିଆ, ସିଂହୀ ‘କଳ୍ପନା’ର ମୁଖଗହ୍ବର ଟ୍ୟୁମର୍‌, ଭାଲୁ ‘ବାଙ୍କୀ’ ଓ ୪ଟି ସମ୍ବରଙ୍କର ପାଟିରେ ହୋଇଥିବା ଟ୍ୟୁମର୍‌ରେ ମଧ୍ୟ ସେ ସଫଳ ଅସ୍ତ୍ରୋପଚାର କରିଥିଲେ। ଗତ ଅକ୍ଟୋବର ୧ ତାରିଖରେ ଚନ୍ଦକାର ହାତୀ ‘ଶଙ୍କର’କୁ ସେ ଆନାସ୍ଥେସିଆ ଦେଇ ଚିକିତ୍ସା କରିଛନ୍ତି। ପ୍ରାୟ ୫ବର୍ଷ ତଳେ ଭୁବନେଶ୍ବର ବିମାନବନ୍ଦର ଇଲାକାରୁ ଏକ କଲରାପତରିଆ ବାଘକୁ ଧରି ଜଙ୍ଗଲରେ ଛଡ଼ା ଯାଇଥିଲା। ସେଥିରେ ସେ ବଡ଼ ଭୂମିକା ନେଇଥିଲେ। ଏହା ସହିତ ସାପର ପେଟକୁ ଅସ୍ତ୍ରୋପଚାର କରି ଟ୍ୟୁମର କାଢ଼ି ସୁସ୍ଥ କରିବା, ହଳଦିଆ ଆନା କୋଣ୍ଡାର ଅସ୍ତ୍ରୋପଚାର ଜରିଆରେ ପ୍ରସବ କରାଇବା, ଓଟପକ୍ଷୀର ଆଖିରେ ଅସ୍ତ୍ରୋପଚାର କରିବା, ଗଣ୍ଡା ଓ ସମ୍ବରଙ୍କ ଟ୍ୟୁମର୍‌କୁ ଅସ୍ତ୍ରୋପଚାର ଜରିଆରେ କାଢ଼ି ସେମାନଙ୍କୁ ସୁସ୍ଥ କରିବାଭଳି ଅନେକ କ୍ଷେତ୍ରରେ ସେ ସଫଳତା ହାସଲ କରିଛନ୍ତି। ଓଡ଼ିଶାର ସବୁଠୁ ଅଭିଜ୍ଞ ଓ ସଫଳ ଟ୍ରାଙ୍କୁଲାଇଜ୍ (ନିଶ୍ଚେତକ) ବିଶେଷଜ୍ଞ ତଥା ପଶୁ ଅସ୍ଥି ଓ ଶଲ୍ୟ ଚିକିତ୍ସାର ବିଶାରଦ ଭାବେ ପ୍ରଫେସର ଡ ଇନ୍ଦ୍ରମଣି ନାଥଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ହାତୀଙ୍କୁ ଆନାସ୍ଥେସିଆ ଦେବା ଓ ତାଙ୍କର ଅସ୍ତ୍ରୋପଚାର କରିବା କ୍ଷେତ୍ରରେ ପାରଦର୍ଶିତା ଓ ଅଭିନବ ପ୍ରୟାସ ପାଇଁ ପ୍ରଫେସର ନାଥଙ୍କୁ ସର୍ବଭାରତୀୟସ୍ତରରେ ୨୦୨୩ରେ ‘ଜୀବନବ୍ୟାପି ସାଧନା ସମ୍ମାନ’ରେ ସମ୍ମାନିତ କରି ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ପ୍ରଫେସର ନାଥ ଚାକିରିରୁ ଅବସର ନେବା ପରେ ବି ଓଡ଼ିଶାର ପ୍ରାଣୀସେବା କ୍ଷେତ୍ରରେ ସକ୍ରିୟ ରହିବେ ବୋଲି କହିଛନ୍ତି।